ଗତ ୧୦ ମାସ ତଳେ ୨୦୨୪ ସାଧାରଣ ନିର୍ବାଚନ ସରିଯାଇଛି। ନିର୍ବାଚନର ଫଳାଫଳ ଏବେ ରାଜ୍ୟ ରାଜନୀତିରେ ‘ବିଜୁବାଦ’ର ଅସ୍ତିତ୍ୱ ପ୍ରତି ପ୍ରଶ୍ନ ଉଠାଇଛି। ଗତ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀ ପାଳନ ସମୟରେ ରାଜ୍ୟର ବିଜେପି ସରକାର ତାଙ୍କୁ ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ସମକକ୍ଷ କରିବାକୁ ପ୍ରୟାସ କରିଛି। ବିଜୁଙ୍କୁ ନେଇ ଗତ ୨୦ ବର୍ଷ ଧରି ଚାଲିଆସୁଥିବା ପରମ୍ପରାକୁ ବଡ଼ ଚତୁରତାର ସହ ଭାଙ୍ଗି ଦିଆଯାଇଛି। ଏହି ଘଟଣାକୁ ‘ବିଜୁବାଦ’ର ଅସ୍ତିତ୍ୱ ପ୍ରଶ୍ନର ପ୍ରଥମ ଅଧ୍ୟାୟଭାବେ ଗ୍ରହଣ କରାଯାଇପାରେ।
ପୁଣି ଲଗାତାରଭାବେ ରାଜ୍ୟ ବିଜେପିର କିଛି ନେତାମାନେ ବିଜୁ ବାବୁଙ୍କୁ ନେଇ ବିଭିନ୍ନ ଟେଲିଭିଜନରେ ମନୋଲଗ୍ ପ୍ରଦାନ କରୁଛନ୍ତି। ଏହା ଆଗାମୀ ଏପ୍ରିଲ ୧୭ ତାରିଖ ଘଟଣାରେ ଆଉକିଛି ନୂଆ ଦିଗ ସୃଷ୍ଟି କରିବାର ସଙ୍କେତ ଦେଉଛି। ଏହି ସଙ୍କେତକୁ ଲଗାମ ଦେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ରଣନୀତିକାର ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବେ ବିଜୁ ପରିବାରରୁ ଦାୟାଦ ଖୋଜିବା ଆରମ୍ଭ କରିଛନ୍ତି। ଏଥିଲାଗି ସେମାନେ ଦିଲ୍ଲୀରେ ଡେରା ପକାଇଥିବା ବି ଆଲୋଚନା ହେଲାଣି।
ଓଡ଼ିଶା ରାଜନୀତିରେ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଯେ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ପୁଣି ବିଗତ ୨୮ ବର୍ଷ ଧରି ତାଙ୍କ ନାଁରେ ଓଡ଼ିଶାର ଘରେ ଘରେ, କୋଣେ ଅନୁକୋଣେ ବିଜେଡି ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଛି। ଏହି କଥାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସେହି ଭୋଟ୍ ବଳରେ ବିଜେଡି ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଛି। ବିଜୁଙ୍କ ପୁଅ ନବୀନ ପଟ୍ଟନାୟକ ରାଜ୍ୟରେ ସବୁଠାରୁ ଅଧିକ ସମୟ ଏକକାଳୀନ କ୍ଷମତା ଭୋଗ କରିଥିବା ମୁଖ୍ୟମନ୍ତ୍ରୀ ସାଜିଛନ୍ତି।
ଏବେ କିଏ ମାନୁ ବା ନ ମାନୁ, ନବୀନ ଆଉ ଦଳର ସେହି ଚମକକୁ ଅଧିକ ଚମକାଇବା ଲାଗି ସମର୍ଥ ହେଉନାହାନ୍ତି। ନିଜ ଭିତରେ ଆଗ୍ରହର ଅଭାବ ହେଉ ବା ବୟସାଧିକ୍ୟ ଏବଂ ସ୍ୱାସ୍ଥ୍ୟ ସମସ୍ୟା ତାଙ୍କୁ ଏବେ ଜଣେ କାମଚଳା ନେତାରେ ପରିଣତ କରିଛି। ଏଣୁ ଦଳକୁ ଆଗକୁ ନେବା ପାଇଁ ଜଣେ ନୂଆା ନେତା ଆବଶ୍ୟକ। ହେଲେ ସବୁଠାରୁ ବଡ଼ ସମସ୍ୟା ହେଲା ନବୀନ କାହା ଉପରେ ନିର୍ଭର କରିପାରୁ ନାହାନ୍ତି। ଯାହା ଉପରେ ନିର୍ଭର କରିବାକୁ ଚାହୁଁଥିଲେ ତାଙ୍କୁ ରାଜ୍ୟବାସୀ ଗତ ନିର୍ବାଚନରେ ନାକଚ କରି ଦେଇଛନ୍ତି। ଅର୍ଥାତ୍ ସଙ୍କଟରେ ପଡ଼ିଛି ‘ବିଜୁବାଦ’ ବା ବିଜୁ ନାଁ’ରେ ଥିବା ଭୋଟ୍ ବ୍ୟାଙ୍କ।
ଯଦି ଏ ସଙ୍କଟ ବଢ଼େ ତେବେ ଦଳ ଭାଗ ଭାଗ ହେବାର ଆଶଙ୍କା ବି ରହିଛି। ଶାସକ ଦଳର କିଛି ବିଧାୟକ ବିଜୁ ଜନତା ଦଳର ନେତାଙ୍କ ଉପରେ ବିଭିନ୍ନ ଆରୋପ ଲଗାଇ ବିଜୁବାବୁଙ୍କୁ ନିଜ ପକ୍ଷଭୁକ୍ତ କରିବାକୁ ଚାହୁଁଛନ୍ତି। ତାଙ୍କ ନାଁ’ରେ ଥିବା ଭୋଟ୍ ବ୍ୟାଙ୍କକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି। ସେଥିଲାଗି ଆସନ୍ତା ଏପ୍ରିଲ ୧୭ ଅର୍ଥାତ୍ ବିଜୁଙ୍କ ଶ୍ରାଦ୍ଧ ଦିବସ ଆଉ ଏକ ମଉକା ସୃଷ୍ଟି କରିଛି।
ହେଲେ ଏ ବିଷୟରେ ଖୋଦ୍ ବିଜେଡି ମୁଖିଆ ନବୀନ ଓ ମୁଖ୍ୟ ରଣନୀତିକାର ପାଣ୍ଡିଆନ୍ ବି ସତର୍କ ହୋଇଥିବା ଚର୍ଚ୍ଚା ହେଉଛି। ପୂଣ୍ୟତିଥିରେ କିଛି ନୂଆ ଘୋଷଣା ପାଇଁ ଦୁଇଜଣ ଦିଲ୍ଲୀଗସ୍ତରେ ରହିଥିବା ଆଲୋଚନା ହେଉଛି। ରାଜନୀତିକ ଖବରକୁ ନିକଟରୁ ଅନୁଧ୍ୟାନ କରୁଥିବା ସୂତ୍ର ଅନୁସାରେ ଏହି ଦୁଇଜଣ ବିଜୁ ବାବୁଙ୍କ ବଡ଼ପୁଅଙ୍କ ସହ ଆଲୋଚନା କରିବେ। ଖାଲି ସେତିକି ନୁହେଁ ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜୁଙ୍କ ନାତି ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣଙ୍କୁ ଓଡ଼ିଶା ଆଣିବା ଲାଗି ଅନୁରୋଧ କରିବେ।
ଆପଣଙ୍କର ମନେଥାଇପାରେ, ନିର୍ବାଚନ ପରେ ଅରୁଣ ଭୁବନେଶ୍ୱର ଆସି ନବୀନଙ୍କୁ ଭେଟିଥିଲେ। ଜୁନ୍ ପ୍ରଥମ ସପ୍ତାହର ଏହି ଘଟଣା ସେତେବଳେ ରାଜନୀତିକ ଚହଳ ସୃଷ୍ଟି କରିଥିଲା। ଦଳୀୟ ନେତା ଓ ସାଧାରଣ ଲୋକେ ବିଜେଡିର ପରାଜୟ ପଛରେ ପାଣ୍ଡିଆନ୍ଙ୍କୁ ଦାୟୀ କରିଥିଲେ। ଏଣୁ ପାଣ୍ଡିଆନ୍ ଆଉଟ ହୋଇ ଅରୁଣ ଇନ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେତେବେଳେ ପାଣ୍ତିଆନ୍ଙ୍କୁ କୌଣସି ଆଘାତ ଦେବାକୁ ଚାହୁଁ ନ ଥିଲେ ମୁଖିଆ। ତାଙ୍କର ସେବା ପାଇଁ ତାଙ୍କୁ ପ୍ରଶଂସା କରିବାକୁ ଭୁଲି ନ ଥିଲେ ନବୀନ।
ଏବେ କିନ୍ତୁ ପାଣ୍ଡିଆନ୍ ଆଉ ଓଡ଼ିଶାରେ ରହିବାକୁ ଚାହୁଁ ନାହାନ୍ତି। କିଛି ଗଣମାଧ୍ୟମ ଅନୁସାରେ ସେ ବିଦେଶ ଯାଇ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରିବେ। ଏପରିକି ଏ ଖବର ପାଇବା ପରେ ଦଳର କିଛି ବରିଷ୍ଠ ନେତା ତାଙ୍କ ପାଖକୁ ଯାଇ ଓଡ଼ିଶା ଛାଡ଼ି ନ ଯିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ହେଲେ ଏସବୁ ଅନୁରୋଧକୁ ପଛରେ ପକାଇ ନବୀନ ଏବଂ ପାଣ୍ତିଆନ ଏବେ ଦିଲ୍ଲୀ ଗସ୍ତରେ ରହିଛନ୍ତି।
ଅରୁଣ ପଟ୍ଟନାୟକ ହେଉଛନ୍ତି ବିଜୁ ବଂଶର କନିଷ୍ଠ ଦାୟାଦ। ଆମେରିକାର ଓ୍ୱସ୍ଲିବୟାନ ବିଶ୍ୱବିଦ୍ୟାଳୟରୁ ପାଠପଢ଼ି ଫେରିବା ପରେ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ଆକ୍ୱା ଏଗ୍ରୀର ସିଇଓ ଭାବେ କାର୍ଯ୍ୟ କରିଥିଲେ। ୨୦୨୧ ମସିହାରୁ କିନ୍ତୁ ସେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଏହା ପୁଣି ଇଣ୍ଡୋନେସିଆରେ। ଜାମୁଜାମୁ ବଟାନିକାଲ୍ ସ୍କିନ କେୟାରର ସେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଜାଣନ୍ତି ଏ କମ୍ପାନୀରେ କିଏ ସବୁ ସହାୟକ ଅଛନ୍ତି? ଯେଉଁ ସୁକର୍ଣ୍ଣୋଙ୍କୁ ବଞ୍ଚାଇ ବିଜୁବାବୁ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ, ତାଙ୍କରି ଝିଅ ଅର୍ଥାତ୍ ପୂର୍ବତନ ରାଷ୍ଟ୍ରପତି ମେଗାଓ୍ୱତୀ ସୁକର୍ଣ୍ଣୋପୁତ୍ରୀଙ୍କ ଭଉଣୀ କାର୍ତ୍ତିକା ସୁକର୍ଣ୍ଣୋ। ସେ ଲଣ୍ଡନରେ ରହନ୍ତି। ମିଡିଆ ଗଣଯୋଗାଯୋଗର ଛାତ୍ରୀ। ଏବେ ୫୮ ବର୍ଷ ବୟସ।
ରାଜନୀତିକ ଚର୍ଚ୍ଚା ଅନୁସାରେ ଅରୁଣ ଏକଦା ରାଜନୀତିରେ ପ୍ରବେଶ ପାଇଁ ଇଚ୍ଛା ପ୍ରକଟ କରିଥିଲେ। ବ୍ୟବସାୟ ଛାଡ଼ି ରାଜ୍ୟସଭାର ସଦସ୍ୟ ହେବାକୁ ଚାହିଁଥିଲେ। ଏହି ସମୟରେ ସେ ନବୀନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ହେଲେ ସେ ସମୟରେ ପାଣ୍ଡିଆନଙ୍କ ପାଇଁ ତାଙ୍କୁ ସଫଳତା ମିଳି ନ ଥିଲା ବୋଲି କୁହାଯାଏ। ଏଣୁ ସେ ନିଜ ଜେଜେବାପାଙ୍କ ନାଁରେ ସମ୍ମାନ ଥିବା ଇଣ୍ଡୋନେସିଆରେ ବ୍ୟବସାୟକୁ ବଢ଼ାଇବା ପାଇଁ ଚାଲିଯାଇଥିଲେ।
ଏବେ ପ୍ରଶ୍ନ ଉଠୁଛି ଏବେର ରାଜନୀତିକ ଅବସ୍ଥା ଏବଂ ନବୀନଙ୍କ ହୃଦୟ ପରିବର୍ତ୍ତନରେ ଅରୁଣ ତରଳିବେ କି? ନିଜର ପୂର୍ବ ଇଚ୍ଛାକୁ ପୂରଣ କରିବା ଲାଗି ଓଡ଼ିଶା ରାଜନୀତିରେ ଯୋଗ ଦେବେ କି? ଏହା ହେଲେ ବିଜେଡି ପାଇଁ ବିଜୁବାଦକୁ ଆଉ କିଛିବର୍ଷ ଆଗକୁ ନେବାକୁ ଜଣେ ସାରଥି ମିଳିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା କେବଳ ସେଇ କିଛି ଲୋକଙ୍କ ମୁହଁରେ ସୀମିତ ରହିବ ନା ଏପ୍ରିଲ ୧୭ରେ ବିଜୁଙ୍କ ସ୍ମୃତିଚାରଣାବେଳେ ବାସ୍ତବ ରୂପ ନେବ, ତାହାକୁ ଅପେକ୍ଷା କରିବା।
ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ଆଇଜି ଅରୁଣ ବୋଥ୍ରାଙ୍କୁ ଜୟନାରାୟଣଙ୍କ ଟାର୍ଗେଟ
