Raimati and Sasmita: ସଂସ୍କୃତି ଏବଂ ପରମ୍ପରାରେ ସମୃଦ୍ଧ ଓଡ଼ିଶାରେ ଏଭଳି ଅନେକ ଉଲ୍ଲେଖନୀୟ ମହିଳା ଅଛନ୍ତି ଯେଉଁମାନେ ସେମାନଙ୍କ ଗୋଷ୍ଠୀରେ ଓ ସମ୍ପ୍ରଦାୟରେ ପରିବର୍ତ୍ତନ ଆଣିବା ସହ ସଶକ୍ତୀକରଣର ଆଲୋକ ପାଲଟିଛନ୍ତି । ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମହିଳା ସମୁଦାୟର ନେତ୍ରୀମାନଙ୍କୁ ସକ୍ରିୟଭାବେ ପ୍ରୋତ୍ସାହିତ କରୁଛନ୍ତି। ବିଶେଷକରି ମିଶନ ଶକ୍ତି, ଯାହା କି ମହିଳା ସଶକ୍ତୀକରଣ ପାଇଁ ଉତ୍ସର୍ଗୀକୃତ ଏକ ପ୍ରମୁଖ କାର୍ଯ୍ୟକ୍ରମ।
ତୃଣମୂଳ ସ୍ତରରେ ନେତୃତ୍ୱର ପରିବର୍ତ୍ତନ ଓ ସଶକ୍ତିକରଣର ଉଦାହରଣ ଦେଉଛି ଏହି ମହିଳାଙ୍କ କାହାଣୀ । ନିଜର ଅତୁଟ ପ୍ରତିବଦ୍ଧତା ମାଧ୍ୟମରେ ସେମାନେ କେବଳ ନିଜ ସମ୍ପ୍ରଦାୟର ଉନ୍ନତି କରିନାହାନ୍ତି ବରଂ ଭବିଷ୍ୟତ ପିଢ଼ି ପାଇଁ ପରିବର୍ତ୍ତନ ଓ ସକ୍ଷମତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କୁ ସଶକ୍ତ କରି ସେମାନେ ଏଭଳି ଏକ ଭବିଷ୍ୟତ ଗଠନ କରୁଛନ୍ତି ଯେଉଁଠାରେ ମହିଳାମାନେ ସମଗ୍ର ଓଡ଼ିଶାରେ ଅର୍ଥପୂର୍ଣ୍ଣ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ।
୨୦୦୧ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)କୁ ପ୍ରୋତ୍ସାହନ ଦେଇ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆର୍ଥିକ ସହାୟତା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ସୁଯୋଗ ପ୍ରଦାନ କରିଆସିଛି। କୃଷି, ହସ୍ତଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ବିନା ସୁଧରେ ଋଣ, ବଜାର ସଂଯୋଗ ଏବଂ ତାଲିମ ମାଧ୍ୟମରେ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ଏହି ଉଲ୍ଲେଖନୀୟ ମହିଳାମାନଙ୍କ ମଧ୍ୟରେ ଅଛନ୍ତି “ମିଲେଟ୍ ରାଣୀ” ଭାବରେ ପରିଚିତ ରାଇମତୀ ଘିଉରିଆ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ସସ୍ମିତା ମଙ୍ଗରାଜ। ସେମାନଙ୍କର ଜୟଯାତ୍ରା ସ୍ଥିରତା, ଅଭିନବତା ଏବଂ ସମର୍ପଣ ଶକ୍ତର ପ୍ରମାଣ ।
ଆସନ୍ତୁ ଜାଣିବା ସେମାନଙ୍କ କାହାଣୀ ।
ରାଇମତି ଘିଉରିଆ
କୋରାପୁଟ ଜିଲ୍ଲା ନୂଆଗଡ ଗାଁର ଆଦିବାସୀ ଚାଷୀ ରାଇମତି ଘିଉରିଆ । ବାଜରା ରାଣୀଭାବେ ରାଇମତୀ ଘିଉରିଆ ସମସ୍ତଙ୍କ ପାଖରେ ପରିଚିତ । ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବାଜରାର ସଂରକ୍ଷଣ ଏବଂ ଚାଷ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ।
ଭୂମିଆ ଜନଜାତିର ରାଇମତୀଙ୍କର କୃଷି ପ୍ରତି ଆଗ୍ରହ ପିଲାଦିନେ ଜାଗ୍ରତ ହୋଇଥିଲା । କିନ୍ତୁ ବିବାହ ପରେ ହିଁ ସେ ବାଜରା ସଂରକ୍ଷଣରେ ଗଭୀର ଭାବରେ ପ୍ରବେଶ କରିଥିଲେ ।
ପ୍ରାରମ୍ଭିକ ସ୍ତରରେ ସେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ; ଯେପରିକି ବାଜରାର ବ୍ୟାବସୟିକ ଲାଭ ଏବଂ ବିଭିନ୍ନ ପ୍ରଜାତି ଉତ୍ପାଦନରେ ଅସୁବିଧା । ଏହି ଅସୁବିଧାକୁ ସାମ୍ନା କରିବା ସହ ସେ ବର୍ତ୍ତମାନ ୩୦ଟି ବିରଳ ପ୍ରଜାତିର ବାଜରା ସଂରକ୍ଷଣ କରିଛନ୍ତି ଏବଂ ଶତାଧିକ ମହିଳାଙ୍କୁ ସ୍ଥାୟୀ ଚାଷ ପଦ୍ଧତିରେ ପ୍ରଶିକ୍ଷଣ ଦେଇଛନ୍ତି । ତାଙ୍କୁ ଏମଏସ ସ୍ୱାମୀନାଥନ ଫାଉଣ୍ଡେସନ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା, ଯିଏ ତାଙ୍କୁ ଅଧିକ ପ୍ରକାରର ବାଜରା ଉତ୍ପାଦନ କରିବାରେ ସାହାଯ୍ୟ କରିଥିଲେ ।
ଏବେ ସେ ୫ଟି ଭିନ୍ନ ଭିନ୍ନ ପ୍ରକାରର ବାଜରା ଚାଷ କରୁଛନ୍ତି। ତାଙ୍କ ଏହି ପ୍ରୟାସ ହିଁ ତାଙ୍କୁ ‘ମିଲେଟ୍ କୁଇନ୍’ ଉପାଧି ଦେଇଥିଲା। ଧାନ ଚାଷ ପରି ଧାଡ଼ିରେ ବାଜରା ଚାରା ରୋପଣ କରିବାର ଏହି ଅଭିନବ ପଦ୍ଧତି ଯୋଗୁଁ ବାଜରା କୃଷକମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁନାହିଁ ଏବଂ ଶ୍ରମ ହ୍ରାସ ହେଉଛି।
ରାଇମତିଙ୍କ କୌଶଳ ଶିଖିବା ତାଲିକାରେ ପାଖାପାଖି ୫୦୦ ଜଣ ଲୋକ ନାମ ଲେଖାଇଛନ୍ତି – ଯେଉଁମାନଙ୍କ ମଧ୍ୟରୁ ୩୦୦ ଜଣ ମହିଳା । ସେ ଏଭଳି ଏକ ସ୍ଥାୟୀ କୌଶଳ ଶିଖାଉଛନ୍ତି, ଯାହା ଭବିଷ୍ୟତ ପିଢ଼ି ପାଇଁ ପାରମ୍ପରିକ ଚାଷ ପଦ୍ଧତିର ନିରନ୍ତରତାକୁ ସୁନିଶ୍ଚିତ କରିବ। ଏହି ସଫଳତା ସତ୍ତ୍ୱେ ସରକାରୀ ସହାୟତା ଅଭାବରୁ ସଂଘର୍ଷ କରୁଛନ୍ତି ରାଇମତୀ । “ମୋତେ ସରକାରଙ୍କଠାରୁ କୌଣସି ସହାୟତା ମିଳୁନାହିଁ, ଏପରିକି ପଞ୍ଚାୟତ ମଧ୍ୟ କୌଣସି ପ୍ରକାରର ସହାୟତା ପ୍ରଦାନ କରୁନାହିଁ,” ବୋଲି ସେ କୁହନ୍ତି ।
“ମୁଁ ଚାହୁଁଛି ଯେ ଏହି ନୂତନ କୌଶଳ ପରବର୍ତ୍ତୀ ପିଢ଼ିର କୃଷକମାନଙ୍କ ନିକଟରେ ବଞ୍ଚିରହୁ ଯାହାଦ୍ୱାରା ସେମାନେ ଏହାକୁ ଆଗକୁ ନେଇପାରିବେ । ସେ ଆହୁରି କହିଛନ୍ତି, ଯେମିତି ମୋ ଗାଁ’ର ମହିଳାମାନେ ମୋ’ଠାରୁ ପ୍ରେରଣା ପାଇବେ, ସେମିତି ଓଡ଼ିଶାର ବିଭିନ୍ନ ଗାଁ’ରେ ଅଧିକ ମହିଳା ନେତ୍ରୀ ଉଭା ହୋଇ ଅନ୍ୟମାନଙ୍କୁ ପ୍ରେରଣା ଦେବେ ବୋଲି ମୁଁ ଆଶା କରୁଛି।’’ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ସହ ବାଜରା ଜମିର ସଂରକ୍ଷଣ ନେଇ ତାଙ୍କର ଅବିଶ୍ୱସନୀୟ କାହାଣୀ ବାଣ୍ଟିବା ପରେ ତାଙ୍କର ଏହି ପ୍ରୟାସ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥିଲା।
ଚାଲନ୍ତୁ ଏବେ ଜାଣିବା ସସ୍ମିତା ମଙ୍ଗରାଜଙ୍କ ବିଷୟରେ
ସାମୂହିକ ଉଦ୍ୟୋଗ ମାଧ୍ୟମରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାର ସସ୍ମିତା ମଙ୍ଗରାଜ ୨୦୧୬ ମସିହାରୁ ଅବହେଳିତ ମହିଳାଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି। ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ଆହ୍ୱାନକୁ ଅନୁଭବ କରି ସେ ଭୁବନେଶ୍ୱରର ବିଭିନ୍ନ ବସ୍ତିର ୪୦୦ ଜଣ ସଦସ୍ୟଙ୍କୁ ନେଇ “ସାଇ ଶକ୍ତି ମହିଳା ସମିତି” ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ଶିକ୍ଷୟିତ୍ରୀ ଭାବରେ ନିଜର ପୃଷ୍ଠଭୂମିକୁ ଉପଯୋଗ କରି ସସ୍ମିତା ଏହି ମହିଳାମାନଙ୍କ ବିଶ୍ୱାସ ଅର୍ଜନ କରି ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଦିଗରେ ମାର୍ଗଦର୍ଶନ କରିଥିଲେ ।
ଏହି ଗୋଷ୍ଠୀ ମସଲା, ଅଟା, ବାଜରା ଏବଂ ଛତୁଆ ଉତ୍ପାଦନରେ ନିୟୋଜିତ । ମୁଖ୍ୟତଃ ସ୍ଥାନୀୟ ବଜାରକୁ ଖାଦ୍ୟ ଯୋଗାଉଛନ୍ତି ଏହି ଗୋଷ୍ଠୀ । ବ୍ରାଣ୍ଡିଂ ଏବଂ ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହେବା ସତ୍ତ୍ୱେ, ସେମାନଙ୍କର ସାମୂହିକ ପ୍ରୟାସ ସଦସ୍ୟମାନଙ୍କ ପରିବାର ପ୍ରତିପୋଷଣ କରିବା, ପିଲାଙ୍କ ପାଠପଢ଼ା ପାଇଁ ଖର୍ଚ୍ଚ କରିବା ଏବଂ ଅତ୍ୟାବଶ୍ୟକ ଖର୍ଚ୍ଚ ବହନ କରିବାରେ ସକ୍ଷମ କରିଛି ।
ସସ୍ମିତା କୁହନ୍ତି, “ସମସ୍ତେ ଚାହାଁନ୍ତି ଯେ ଏସ୍ଏଚଜିର ବିକାଶ ହେଉ, କିନ୍ତୁ ଆମେ ଆର୍ଥିକ ଏବଂ ସାମାଜିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛୁ । “ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସମସ୍ୟା ହେଉଛି ଆମେ ଏକ ବ୍ରାଣ୍ଡ ନୁହଁ । ଲୋକମାନେ ଗୁଣାତ୍ମକ ଉତ୍ପାଦ ନୁହେଁ ବରଂ ବ୍ରାଣ୍ଡରୁ କିଣିବାକୁ ପସନ୍ଦ କରନ୍ତି। ତଥାପି ସେ ଆଶାବାଦୀ ଓ ଏହି ମିଶନରେ ସଂକଳ୍ପବଦ୍ଧ ଅଛନ୍ତି।
ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଗୁରୁତ୍ୱ ଦେଇ ସେ କୁହନ୍ତି, “ଗୋଟିଏ ହୀରାର ମୂଲ୍ୟ ରହିଛି, କିନ୍ତୁ ଯଦି ଆମେ ଅନେକ ହୀରାକୁ ଏକ ହାରରେ ବାନ୍ଧିଥାଉ, ତେବେ ତାହାର ମୂଲ୍ୟ ବୃଦ୍ଧି ପାଇଥାଏ। ଗ୍ରୁପର ପହଞ୍ଚକୁ ବିସ୍ତାର କରିବା, ଏହାକୁ ଏକ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡରେ ପରିଣତ କରିବା ଏବଂ ପୁରୀ ଜିଲ୍ଲାର ୧୦୦ରୁ ଅଧିକ ମହିଳାଙ୍କୁ ଅନୁରୂପ ପ୍ରୟାସ ଆରମ୍ଭ କରିବାକୁ ପ୍ରେରଣା ଦେବା ତାଙ୍କର ଲକ୍ଷ୍ୟ ।
ତୃଣମୂଳ ନେତୃତ୍ୱର ପରିବର୍ତନ ଶକ୍ତିର ଉଦାହରଣ ଦେଉଛି ଏହି ଦୁଇ ମହିଳାଙ୍କ କାହାଣୀ । ନିଜର ଅତୁଟ ପ୍ରତିବଦ୍ଧତା ମାଧ୍ୟମରେ ସେମାନେ କେବଳ ନିଜ ସମ୍ପ୍ରଦାୟର ଉନ୍ନତି କରିନାହାନ୍ତି ବରଂ ଭବିଷ୍ୟତ ପିଢ଼ି ପାଇଁ ପରିବର୍ତ୍ତନ ଓ ସଶକ୍ତୀକରଣ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।
ସାମାଜିକ ଆହ୍ୱାନର ମୁକାବିଲା କରିବାରେ ଆତ୍ମନିର୍ଭରଶୀଳତା, ସ୍ଥିରତା ଏବଂ ସ୍ଥାନୀୟ ନେତୃତ୍ୱର ଭୂମିକା ଉପରେ ସେମାନଙ୍କ ଯାତ୍ରା ଏକ ବଡ଼ ଉଦାହରଣ । ଅନ୍ୟମାନଙ୍କୁ ସଶକ୍ତ କରି ସେମାନେ ଏକ ଭବିଷ୍ୟତ ଗଠନ କରୁଛନ୍ତି ଯେଉଁଠାରେ ମହିଳାମାନେ ସମଗ୍ର ଓଡ଼ିଶାରେ ଅର୍ଥପୂର୍ଣ୍ଣ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ।
ଜଣେ ପୂର୍ବତନ ଡିଏମ୍ କେ ବିଧାୟକଙ୍କ ପୁଅ ତଥା ଟଙ୍କା ଚିହ୍ନ ଡିଜାଇନର ଉଦୟ କୁମାରଙ୍କୁ ଭେଟନ୍ତୁ