SSMB29 shooting in Odisha: ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜାମୌଲି ଓଡ଼ିଶାର କୋରାପୁଟରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି-୨୯’ର ସୁଟିଂ ଆରମ୍ଭ କରିସାରିଛନ୍ତି।
ବର୍ତମାନ ଏହି ଟିମ୍ ତାଳମାଳି ପାହାଡ଼ ଉପରେ ସୁଟିଂ କରୁଛି, ଯାହା ଜଙ୍ଗଲ, ଉପତ୍ୟକା ଏବଂ ଝରଣା ଦ୍ୱାରା ଘେରି ରହିଛି । ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ୁଥିବା ବେଳେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ସୁଟିଂ ସ୍ଥଳରେ ଭିଡ଼ ଜମାଇଥିବାରୁ ସୁରକ୍ଷା ଚିନ୍ତା ବଢିଯାଇଛି।
ତାଳମାଳି ହିଲ୍ ଟପ୍ ରେ ଆକ୍ସନ୍ ଦୃଶ୍ୟ!
ସୂଚନା ଅନୁଯାୟୀ, ସେମିଳିଗୁଡା ନିକଟ ତାଳମାଳି ପାହାଡ଼ ଉପରେ ଏବେ ଟିମ୍ କିଛି ଆକ୍ସନ ଦୃଶ୍ୟ ସୁଟିଂ କରୁଛନ୍ତି। ଫିଲ୍ମର ଦୁଃସାହସିକ ଦୃଶ୍ୟ ଦେଓମାଳି ପାହାଡ଼ ପାଦଦେଶରେ ସୁଟିଂ କରାଯିବ।
ଭିଡ଼ ବଢ଼ୁଥିବାରୁ ସୁରକ୍ଷା ଚିନ୍ତା ବଢ଼ିଛି
ସୁଟିଂ ସେଟ୍ ଦେଖିବା ପାଇଁ ପ୍ରଶଂସକମାନେ ବିଭିନ୍ନ ସ୍ଥାନରେ ଭିଡ଼ ଜମାଉଥିବା ବେଳେ ମହେଶ ବାବୁଙ୍କ ଆଗମନ ଯୋଗୁଁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଟଲିଉଡ ତାରକାଙ୍କ ଏକ ଝଲକ ପାଇବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ମାନେ ଏହି ସ୍ଥାନରେ ଭିଡ ଜମାଉଛନ୍ତି । ଯଦିଓ ପ୍ରିୟଙ୍କା ଚୋପ୍ରା ଜୋନସ୍ ଏପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି, କିନ୍ତୁ କିଛି ଦିନ ମଧ୍ୟରେ ସେ ଆସିବା ପରେ ପ୍ରଶଂସକଙ୍କ ଉପସ୍ଥିତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, କଟକ, ଭୁବନେଶ୍ୱର ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ମଧ୍ୟ ପ୍ରଶଂସକମାନେ ସୁଟିଂ ସ୍ଥାନରେ ପହଞ୍ଚିଛନ୍ତି।
ସୁଟିଂ ସେଟରେ ହେଉଥିବା ଭିଡରୁ ଟଲିଉଡ ସେନସେସନ ମହେଶ ବାବୁଙ୍କ କ୍ରେଜ ସ୍ପଷ୍ଟ ଜଣାପଡୁଛି । ସ୍ଥାନୀୟ ଲୋକ ଓ ସିନେପ୍ରେମୀଙ୍କ ବ୍ୟତୀତ ଦେଓମାଳି ଓ ଆଖପାଖ ସୁନ୍ଦର ସ୍ଥାନକୁ ଆସୁଥିବା ଅନେକ ପର୍ଯ୍ୟଟକ ମହେଶ ବାବୁଙ୍କ ଆକ୍ସନ ଦେଖିବାର ସୁଯୋଗ ହାତଛଡ଼ା କରୁନାହାନ୍ତି।
ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ସୁଟିଂ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧ ପ୍ଲାଟୁନ୍ ପୁଲିସ ଓ ଆଇଆରପି ବାଟାଲିୟନର କିଛି ଯବାନଙ୍କୁ ମୁତୟନ କରାଯାଇଛି। ଏହାବ୍ୟତୀତ ଆକ୍ସନ ସମୟରେ କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଘରୋଇ ସିକ୍ୟୁରିଟି ଏଜେଣ୍ଟଙ୍କୁ ମଧ୍ୟ ଅଣାଯାଇଛି ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ସୁଟିଂ ପାଇଁ ଅନୁମତି ଦେଇଛି। କିଛି ପର୍ଯ୍ୟଟନସ୍ଥଳୀ ସମେତ ଦେଓମାଳି, ତଳମାଳି ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ସୁଟିଂ ପାଇଁ ଟିମ୍ ଅନୁମତି ହାସଲ କରିଛି।
ସୁଟିଂ ସେଟରୁ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନଙ୍କ ଭାଇରାଲ ଭିଡିଓ
ପୂର୍ବରୁ ସୁଟିଂ ସେଟ୍ ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ନିକଟରେ ଟଲିଉଡ ପ୍ରିନ୍ସ ମହେଶ ବାବୁଙ୍କ ଏକ କ୍ଷୁଦ୍ର କ୍ଲିପ୍ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି । ଏହି କ୍ଷୁଦ୍ର କ୍ଲିପ୍ ରେ ଗୁଣ୍ଟୁର କାରାମ ଅଭିନେତାଙ୍କୁ ହ୍ଵିଲଚେୟାରରେ ଥିବା ପୃଥ୍ୱୀରାଜଙ୍କ ସମ୍ମୁଖରେ ଆଣ୍ଠୁରେ ବସିବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି।