Heat Wave: ଫଗୁଣ ମାସରୁ ହିଁ ଅସମ୍ଭାଳ ତାତି । ଗରମରେ କଲବଲ ହେଉଛି ଜୀବନ । ରାଜ୍ୟରେ ତାତି ଛୁଇଁଲା ୩୯ ଡିଗ୍ରୀ ।
ମାର୍ଚ୍ଚ ଆରମ୍ଭରୁ ହିଁ ଅସମ୍ଭାଳ ତାତି ହେବାରେ ଲାଗିଛି। ସମୟ ଯେତେ ଗଡୁଛି ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସକାଳେ ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ରାତିରେ ଗରମରୁ ଶାନ୍ତି ମିଳୁନି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି ।
ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଏବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା । ଏବେଠୁ ଅନେକ ସ୍ଥାନର ତାପମାତ୍ରା ୩୯ ଡିଗ୍ରୀ ପାର କରିଥିବାବେଳେ କିଛି ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।
ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା କହିଛନ୍ତି ଯେ, “୫ରୁ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖତଃ ଶୁଖିଲା ରହିବ । ବର୍ଷା ହେବାର ସମ୍ଭାବନା ନାହିଁ । କାଳବୈଶାଖୀର ବି ସମ୍ଭାବନା ନାହିଁ । ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟା ପରେ କିଛି ସ୍ଥାନରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିପାରେ।” ଏବେ ଠାରୁ ହିଁ ଅସମ୍ଭାଳ ତାମମାତ୍ରା ଦେଖି ଆମେ ଅନୁମାନ କରି ପାରିବ ଯେ ଏଥର ରେକର୍ଡ ଭାଙ୍ଗିବ ତାତି ।
ALSO READ: https://purvapaksa.com/apartment-part-plot-registration-likely-from-april-in-odisha/