Trafic Restrictions: ରାତି ପହିଲେ ମହାଶିବରାତ୍ରୀ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛି ପ୍ରଶାସନ । ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ।
ପ୍ରଭୁ ଲିଙ୍ଗରାଜ ସମେତ ବିଭିନ୍ନ ଶୈବପୀଠରେ ଭକ୍ତ ଭିଡ଼ ଦେଖିବାକୁ ମିଳିବ । ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀରେ ଲାଗୁ ହୋଇଛି ଟ୍ରାଫିକ କଟକଣା।
ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀ ଉଭୟଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଯେଭଳି ରାସ୍ତାରେ ଭିଡ଼ ନହୁଏ କିମ୍ବା ଜାମ୍ କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।
ସୂଚନା ଅନୁଯାୟୀ, ପାର୍କିଂ ପାଇଁ ୧୨ଟି ସ୍ଥାନ ଚିହ୍ନଟ ହୋଇଛି। ରଥ ରୋଡ୍ ଏବଂ ପୁନମାଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି ଗୁଡ଼ିକ ବଢ଼େଇବାଙ୍କ ଛକଠାରୁ ଆଗକୁ ନଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।
ଅନ୍ୟପଟେ କେଦାରଗୌରୀ ମନ୍ଦିର ଓ ସାନିଟାରୀୟମ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କୋଟିତୀର୍ଥ ଗଳି ଦେଇ କଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ।
ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚାଳନା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଶହରୁ ଅଧିକ ପୋଲିସ ଅଧିକାରୀ ନିଯୁକ୍ତ ହେବେ ବୋଲି ପୋଲିସ କମିଶନର କହିଛନ୍ତି। ଏହି ଶୁଭ ଅବସରରେ ଯେପରି କୌଣସି ଅଘଟଣ ନ ଘଟୁ ସେଥିପ୍ରତି ଦୃଷ୍ଟି ଦିଆଯିବ ।
ALSO READ: https://purvapaksa.com/history-of-mahashivaratri/