Jagannatha Temple: ଆସନ୍ତାକାଲି ବନ୍ଦ ରହିବ ଶ୍ରୀ ଜିଉଙ୍କ ଦର୍ଶନ। ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି କୁ ନେଇ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି ।
ଆସନ୍ତାକାଲି ତା ୧୯.୨.୨୦୨୫ ରିଖ, ବୁଧବାର ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ସୂଚନା ଅନୁଯାୟୀ, ବୁଧବାର ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଗୁପ୍ତ ନୀତି। ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ବେଳେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, ଓ କଳା ଇତ୍ୟାଦି ବ୍ୟବହାର କରାଯିବ। ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ମୁଦୁଲି ଆଦି ସେବକମାନେ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।
ବରଗଡ଼ ଧନୁଯାତ୍ରା: ସ୍ଥାୟୀ ରାଜମହଲ ପାଇଁ ୧୨ କୋଟି ୭୯ ଲକ୍ଷ ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର