Assembly politics: ବିରୋଧୀ ଦଳର ସଦସ୍ୟମାନେ ବି ସେମାନଙ୍କ ସ୍ଥିତିକୁ ଭୁଲି ଯାଉଛନ୍ତି। ବିଭିନ୍ନ ବିଭାଗରେ ଥିବା ତ୍ରୁଟି ବିଚ୍ୟୁତିକୁ ସାମ୍ନାକୁ ଆଣିବାଦ୍ଵାରା ସେମାନେ ନବୀନ ସରକାରଙ୍କ କାର୍ଯ୍ୟକଳାପକୁ ହିଁ ପଦାରେ ପକାଉ ନାହାନ୍ତି କି?
ଓଡ଼ିଶାରେ ଏବେ ଏକ ପ୍ରକାର ଅଦ୍ଭୁତ ରାଜନୀତି ଚାଲିଛି। ବିରୋଧୀ ଦଳ ସୁଧୁରୁ ନାହିଁ କି ଶାସକ ଦଳ କିଛି ଶିଖୁ ନାହିଁ। ଚଳିତ ବଜେଟ୍ ଅଧିବେଶନ ସମୟରେ ବିଧାନସଭାରେ ଦେଖାଯାଇଥିବା ହଙ୍ଗାମା ପରିପ୍ରେକ୍ଷୀରେ ଏସବୁ କଥା ମନକୁ ଆସିଛି।
ବିଜୁ ଜନତା ଦଳ ସଦସ୍ୟଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ଅଚଳ ହେବା ନେଇ ଚିନ୍ତା ପ୍ରକାଶ କରି ଭାରତୀୟ ଜନତା ପାର୍ଟି ବିଧାୟକ ଜୟନାରାୟଣ ମିଶ୍ର ଶନିବାର ଦିନ ଗୃହର କାର୍ଯ୍ୟଧାରା ଉପରେ ପୂର୍ବତନ ବ୍ୟୁରୋକ୍ରାଟD ଭିକେ ପାଣ୍ଡିଆନଙ୍କ ପ୍ରଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ହେଭିୱେଟ ଜୟନାରାୟଣଙ୍କ କହିବା କଥା ଥିଲା ଯେ ତାଙ୍କର ଏହି ମତ ବିଧାନସଭା ଲବିରେ ଅନେକ ବିଜେଡି ବିଧାୟକଙ୍କ ସହ ହୋଇଥିବା ଆଲୋଚନା ଉପରେ ଆଧାରିତ। ବିଜେଡି ନେତାମାନେ କୁଆଡେ଼ ଜୟ ନାରାୟଣଙ୍କୁ କହିଥିଲେ ଯେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଆଧାରରେ ହିଁ ପ୍ରାୟ ସବୁ ନିଷ୍ପତ୍ତି ନିଆଯାଉଛି। ବିଜେଡି ବିଧାୟକମାନେ ମୋତେ ଏ ବିଷୟରେ କହିଥିଲେ। ଯେତେବେଳେ ବାଚସ୍ପତି ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବକୁ ଅନୁମତି ଦେଲେ, ବିଜେଡି ଗୃହ କାର୍ଯ୍ୟକୁ ଅଚଳ କରିଦେଲା। ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ନେତାମାନେ କାମ କରୁଛନ୍ତି ବୋଲି ଜୟ ନାରାୟଣ କହିଛନ୍ତି।
ଜୟନାରାୟଣ ମିଶ୍ରଙ୍କ ମୁଣ୍ଡବ୍ୟଥା ହେଉଛି ବିଧାନସଭାର କାର୍ଯ୍ୟଧାରା ଉପରେ ଜଣେ ବାହ୍ୟ ବ୍ୟକ୍ତିଙ୍କ ଅନୁପଯୁକ୍ତ ପ୍ରଭାବ। ବିରୋଧୀ ଦଳଦ୍ୱାରା ମୁଲତବୀ ପ୍ରସ୍ତାବ ଆଗତ କରିବା ପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ଗୃହର କାର୍ଯ୍ୟ ଚାଲିପାରୁନାହିଁ। ବିଜେଡିକୁ କଟାକ୍ଷ କରି ବିଜେପି ନେତା ଦାବି କରିଛନ୍ତି ଯେ ପାଣ୍ଡିଆନଙ୍କ ନିକଟତର ହେବା ଏବଂ ତାଙ୍କର ନିକଟତମ ସହାୟକ’ ହେବା ପାଇଁ ଆଞ୍ଚଳିକ ଦଳର ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି।
ଜୟ ନାରାୟଣ ମିଶ୍ରଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଏହାକୁ ଖଣ୍ଡନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନ ସମୟରେ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ବାଦ୍ ଦେବାକୁ ସେ ଦାବି କରିଛନ୍ତି। ମିଶ୍ର ମାନଗଢ଼ା କାହାଣୀ କହୁଛନ୍ତି ବୋଲି ପ୍ରମିଳାଙ୍କ ମତ। ବିଜେଡି ସଭାପତି ଏବଂ ବିରୋଧୀ ଦଳ ନେତା ଦଳର ନିର୍ବିବାଦୀୟ ନେତା ଏବଂ ସେ ସଂଗଠନର ସମସ୍ତ ନିଷ୍ପତ୍ତି ନିଅନ୍ତି। ପାଣ୍ଡିଆନଙ୍କ ଭୂମିକା ବିଷୟରେ ତାଙ୍କୁ ସୂଚନା ଦେଇଥିବା ବିଜେଡି ନେତାଙ୍କ ନାମ ପ୍ରକାଶ କରିବାକୁ ସେ ମିଶ୍ରଙ୍କୁ ଅନୁରୋଧ କରିଥିଲେ।
ବାସ୍ତବ କଥା ହେଲା,ବିରୋଧୀ ଦଳର ସଦସ୍ୟମାନେ ତାଙ୍କ ନେତା ନବୀନ ପଟ୍ଟନାୟକଙ୍କ ଦ୍ଵାରା ପରିଚାଳିତ ହେବେ କି ପାଣ୍ଡିଆନଙ୍କ ଇଙ୍ଗିତରେ ଚାଲିବେ ତାହା ଦେଖିବା ସେମାନଙ୍କ କାମ। ଜୟ ନାରାୟଣ ମିଶ୍ର ଏଥିରେ ମୁଣ୍ଡ ଖେଳାଇବାର ଆବଶ୍ୟକ ନାହିଁ କି ଏଭଳି ଏକ ହାଲକା ଅଭିଯୋଗ ଗୃହରେ ଆଣିବା ବି ଉଚିତ ନୁହେଁ। ଗୃହର ନିୟମ ଅନୁସାରେ ଗୃହ ଚାଲିବ। ଏହି ଦାୟିତ୍ଵ ବାଚସ୍ପତିଙ୍କର।
ଆହୁରି ମଜା କଥା ହେଉଛି ଯେ ବିରୋଧୀ ଦଳର ସଦସ୍ୟମାନେ ବି ସେମାନଙ୍କ ସ୍ଥିତିକୁ ଭୁଲି ଯାଉଛନ୍ତି। ପ୍ରଶ୍ନକାଳ ସମୟରେ ସ୍କୁଲ ଏବଂ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଏବଂ ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ, କ୍ରୀଡା ଏବଂ ଯୁବ କଲ୍ୟାଣ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସଂସ୍କୃତି ଏବଂ ସାହିତ୍ୟ, ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ସହିତ ଜଡ଼ିତ ଅନେକ ପ୍ରଶ୍ନକୁ ବିରୋଧୀ ଦଳର ସଦସ୍ୟମାନେ ହିଁ ଅଧିକ ଉଠାଉଛନ୍ତି। ଏହିସବୁ ବିଭାଗରେ ଥିବା ତ୍ରୁଟି ବିଚ୍ୟୁତିକୁ ସାମ୍ନାକୁ ଆଣିବାଦ୍ଵାରା ସେମାନେ ନବୀନ ସରକାରଙ୍କ କାର୍ଯ୍ୟକଳାପକୁ ହିଁ ପଦାରେ ପକାଉ ନାହାନ୍ତି କି?
କହିବା ଅନାବଶ୍ୟକ ଯେ ମାତ୍ର ଆଠମାସ ତଳେ ବିଜେପି ସରକାର ଗଠନ କରିଛି ଓ ଯାବତୀୟ ଦୀର୍ଘସ୍ଥାୟୀ ପ୍ରସଙ୍ଗ ଓ ସମସ୍ୟାର କାରଣ ନବୀନ ପଟ୍ଟନାୟକଙ୍କ ସରକାର। ଏଣୁ ବିଜେଡ଼ି ସଦସ୍ୟ ଏଭଳି ପ୍ରଶ୍ନ ଗୃହରେ ନ ଉଠାନ୍ତୁ ଯାହା ତାଙ୍କ ପାଇଁ ବୁମେରାଁ ହେବ ଓ ତାହା ସିଧା ନବୀନ ପଟ୍ଟନାୟକଙ୍କ ଉପରକୁ ଯିବ। ବିରୋଧୀ ଦଳର ଅମୁକ ବିଧାୟକ ଶହେଟି ପ୍ରଶ୍ନ ପଚାରିଛନ୍ତି ଓ ଅନ୍ୟଜଣେ ବିଧାୟକ ଅଠାନବେଟି ପ୍ରଶ୍ନ ଉତ୍ଥାପନ କରିଛନ୍ତି ଏଭଳି ବାହାଦୂରୀର ବି କିଛି ଅର୍ଥ ନାହିଁ।
Also readhttps://purvapaksa.com/know-when-a-big-stampede-like-new-delhi-railway-station-happened-in-india/
ଲୋକମାନେ ଆଉ କେତେଦିନ ମରିବେ… ଦେଖନ୍ତୁ ଘଟିଥିବା ବଡ଼ ଧରଣର ଅଘଟଣର ଏହି ଆଶ୍ଚର୍ଯ୍ୟଜନକ ଚିତ୍ର
