Higher Education: ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ମଧ୍ୟରୁ ୧୩୦୭ଟି ପଦବୀ ଖାଲି।
ଶୁକ୍ରବାର ଦିନ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରିଥିବା କଳାପାହାଡ଼ମାନଙ୍କର ଅସଲ ମୁଖା ଖୋଲି ଦେଇଛନ୍ତି।
ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏକ ପ୍ରଶ୍ନର ଜବାବରେ ଉଚ୍ଚଶିକ୍ଷା ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଅଛି। ସେଥିମଧ୍ୟରୁ ୧୩୦୭ଟି ପଦବୀ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ କରିବା ପରିବର୍ତ୍ତେ ଅତିଥି ଅଧ୍ୟାପକ ଓ ଅବରସପ୍ରାପ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦିଆଯାଉଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ିଥିବା ତଥା ରାଜନୀତି କରି ଚର୍ଚ୍ଚାକୁ ଆସିଥିଲେ ସେଠାରେ ୪୬ଟି ପ୍ରଫେସର ପଦବୀ ଥିବାବେଳେ ୩୬ଟି ଖାଲି ପଡ଼ିଛି। ସେହିପରି ୭୫ଟି ଆସୋସିଏଟ୍ ପ୍ରଫେସର ପଦବୀ ରହିଥିବା ବେଳେ ୪୫ଟି ଖାଲି ପଡ଼ିଛି। ୧୧୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୫୫ଟି ଖାଲି ପଡ଼ିଛି। ଅର୍ଥାତ୍ ଏଠାରେ ମୋଟ୍ ୨୩୯ଟି ପଦରୁ ୧୩୬ଟି ଖାଲି ପଡ଼ିଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷା ବାତାବରଣକୁ ଫେରାଇ ଆଣି ପୁଣି ତା’ର ସୁନାମ ଆଣିବାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଆଦୌ ଇଚ୍ଛୁକ ନୁହଁନ୍ତି। ତେଣୁ ନିଜ ଉପରକୁ ଦୋଷ ଯେପରି ଆସିବ ନାହିଁ ତେଣୁ ସେ ଏହାର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ଲୋକମାନଙ୍କର ଦୃଷ୍ଟି ଏଡ଼ାଇବାରେ ସଫଳ ହୋଇଛନ୍ତି। ଏହାଦ୍ୱାରା ସେ ନିଜ ଉପରୁ ଦାୟିତ୍ୱ ଖସାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରକୁ ମିଶାଇ ମୋଟ ୨୬୭ଟି ପଦବୀ ରହିଥିବାବେଳେ ସେଥିରୁ ୧୫୭ଟି ଖାଲି ପଡ଼ିଛି। ୨୯ଟି ପ୍ରଫେସର ପଦବୀରୁ ୨୦ଟି ଖାଲି ପଡ଼ିଥିବା ବେଳେ ୭୧ଟି ଆସୋସିଏଟ୍ ପ୍ରଫେସର ପଦବୀରୁ ୫୨ଟି ଓ ୧୬୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୮୫ଟି ଖାଲି ପଡ଼ିଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ରାଜ୍ୟରେ ଉଚ୍ଚଶିକ୍ଷାର ଏହି ବିକଳ ଚିତ୍ର ସାମ୍ନାକୁ ଆସୁଥିବାବେଳେ ଏହାକୁ ସୁଧାରିବାରେ ତାଙ୍କର ଆଦୌ ଇଚ୍ଛା ନ ଥିବା ପରି ମନେହୁଏ। ଏବେ ସେ ୟୁଜିସି ଆଇନରେ ସଂଶୋଧନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତାଙ୍କର ଏହି ଉଦ୍ୟମକୁ ବିରୋଧୀଦଳ ସମେତ ଅନେକ ରାଜ୍ୟ ବିରୋଧ କରୁଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ରାଜ୍ୟର ଶିକ୍ଷାର ମାନକୁ ବର୍ଣ୍ଣନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦାୟିତ୍ୱହୀନତାକୁ ପରୋକ୍ଷରେ ସୂଚାଇ ଦେଇଛନ୍ତି। ରାଜ୍ୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୦ ପ୍ରତିଶତରୁ ଅଧିକ ପିଲାଙ୍କୁ ‘ହରଣ’ ଆସୁନି । ୩୦ ପ୍ରତିଶତରୁ ଅଧିକ ପିଲାଙ୍କୁ ‘ଫେଡ଼ାଣ’ ଆସୁନି ବୋଲି ସେ ବିଦାନସଭାରେ କହିଛନ୍ତି।
ନିଜେ ଓଡ଼ିଆ କହିପାରୁନଥିବାରୁ ସବୁବେଳେ ସମାଲୋଚନାର ଶୀକାର ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏଥିରୁ ରକ୍ଷା ପାଇବା ପାଇଁ କ୍ଷମତାରେ ଥିବାବେଳେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ଯେହେତୁ ଓଡ଼ିଆ ଜାଣନ୍ତି ନାହିଁ ତେଣୁ ସେ ପିଲାଙ୍କ ପାଠ ପଢ଼ିବା ପାଇଁ ମୋଟ ୨୧ଟି ଅଧ୍ୟାପକ ପଦବୀ ମଞ୍ଜୁର କରି ସବୁଗୁଡ଼ିକ ଖାଲି ରଖିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ପାଇଁ ୩ଟି ପ୍ରଫେସର, ୬ଟି ଆସୋସିଏଟ୍ ପ୍ରଫେସର ଓ ୧୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ସୃଷ୍ଟି କରାଯାଇଥିବାବେଳେ ସବୁଗୁଡ଼ିକ ଖାଲି ପଡ଼ିଛି। ୧୦ ଜଣ ଅତିଥି ଅଧ୍ୟାପକରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି।
ନବୀନଙ୍କ ଏକାନ୍ତ ଅନୁଗତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ତାଙ୍କୁ ରାଜନୈତିକ ଗୁରୁ ନବୀନ ପଟ୍ଟନାୟକଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ୨୦୨୩ରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ପାଠପଢ଼ାକୁ ବନ୍ଦ କରି ନିଜ ସଭାରେ ପିଲାଙ୍କୁ ଯୋଗଦେବା ପାଇଁ ପ୍ରନ୍ସିପାଲମାନଙ୍କୁ ପତୁଆ ଜାରୀ କରିଥିଲେ। ପିଲାଙ୍କୁ ସଭାରେ ବିରିଆନୀ ଖାଇବାକୁ ଦେଇ ମଞ୍ଚରେ ରେକର୍ଡ ଡ୍ୟାନ୍ସ କରାଉଥିଲେ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରକୁ ମିଶାଇ ଥିବା ୧୮୨ଟି ପଦବୀରୁ ୯୩ଟି ଖାଲି ପଡ଼ିଥିବାବେଳେ ଜିଏମ୍ ବିଶ୍ୱବିଦ୍ୟାଳୟରେ ୧୪୪ରୁ ୭୮ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୧୩୫ଟିରୁ ୭୧ଟି, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୧୧୭ଟିରୁ ୪୯ଟି, ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୧୧୨ଟିରୁ ୧୧୨ଟି, ଏସ୍ଜେଏସ୍ଭିରେ ୩୮ଟିରୁ ୧୯ଟି, ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୩୭ଟିରୁ ୭୮ଟି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ଟିରୁ ୧୦୬ଟି, ଧରଣୀଧର ବିଶ୍ୱବିଦ୍ୟାଳୟରେ ୯୭ଟିରୁ ୯୭ଟି, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୧୧ଣୁ ୧୧୧ଟି, ଏମ୍ଏସ୍ ଲ’ ବିଶ୍ୱବିଦ୍ୟାଳୟରେ ୫୦ରୁ ୩୦ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୧୧୨ଟିରୁ ୮୪ଟି ପଦବୀ ଖାଲି ପଡ଼ିଛି।
ଏହି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୨୮୭ଟି ପ୍ରଫେସର ପଦବୀରୁ ୨୪୨ଟି ଖାଲି ପଡ଼ିଥିବାବେଳେ ୫୭୮ଟି ଆସୋସିଏଟ୍ ପ୍ରଫେସର ପଦବୀରୁ ୪୩୧ଟି ଖାଲି ପଡ଼ିଛି। ସେହିପରି ୧୧୩୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୬୩୪ଟି ଖାଲି ପଡ଼ିଛି।
Also readhttps://purvapaksa.com/valentine-day-unique-agreement-between-a-couple/
ଭାଲେଣ୍ଟାଇନ୍ସ ଡେ’ରେ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ଅଜବ ଉପହାର: ଭାଲେଣ୍ଟାଇନ୍ସ ଚୁକ୍ତିନାମା
