ପରୀକ୍ଷା ସମୟ ଅନେକ ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଥାଏ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାନସିକ ଚାପଗ୍ରସ୍ତ ହେବା ପରିବର୍ତ୍ତେ ଆତ୍ମବିଶ୍ୱାସର ସହ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି।
“ପରୀକ୍ଷା ପୂର୍ବରୁ ସାମାନ୍ୟ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଶିକ୍ଷକଙ୍କ ପରାମର୍ଶ କୁ ଅନୁସରଣ କରନ୍ତୁ, ସମୟର ସଦୁପଯୋଗ କରନ୍ତୁ ଏବଂ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରନ୍ତୁ । ସଫଳତା ମିଳିବା ନିଶ୍ଚିତ ବୋଲି ଭୁବନେଶ୍ୱର ୟୁନିଟ୍-୧ ସରକାରୀ ହାଇସ୍କୁଲରେ ଆୟୋଜିତ ‘ପରୀକ୍ଷା ପେ ଆଲୋଚନା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି।
ଏହି ଅବସରରେ ନୂଆଦିଲ୍ଲୀରେ ‘ପରୀକ୍ଷା ପେ ଆଲୋଚନା’ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସଳଖ ବାର୍ତ୍ତାଳାପର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରୀକ୍ଷା ଚାପ କୁ ହ୍ରାସ କରିବା ଏବଂ ଶିକ୍ଷା ପ୍ରତି ସକାରାତ୍ମକ ଆଭିମୁଖ୍ୟ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।
ଧୈର୍ଯ୍ୟ, ସଂକଳ୍ପ ଓ ଦୃଢ଼ ବିଶ୍ୱାସ ସହିତ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଏବଂ ପରୀକ୍ଷା ଦେବା ସମୟରେ ଚାପମୁକ୍ତ ହୋଇ ସଫଳତା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଜୀବନ ପ୍ରତି ଆନନ୍ଦମୟ ମନୋଭାବକୁ ପ୍ରୋତ୍ସାହିତ କରିଥାଏ ଏବଂ ଛାତ୍ରଛାତ୍ରୀମାନେ ପରୀକ୍ଷା ପୂର୍ବରୁ ସମୟର ସଦୁପଯୋଗ କରିବା ଉଚିତ ଏବଂ ପରୀକ୍ଷା ସମୟରେ ଚାପଗ୍ରସ୍ତ ନ ହୋଇ ନିଜକୁ ମାନସିକ ସ୍ତରରେ ମଜବୁତ ରଖିବା ଉଚିତ୍ ।
ଭୟ ଏକାଗ୍ରତା ଉପରେ ପ୍ରଭାବ ପକାଇଥାଏ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମାଝୀ କହିଛନ୍ତି ଯେ ଏକାଗ୍ରତା ପାଇଁ ଛାତ୍ରଛାତ୍ରୀଙ୍କୁ ଟିକିଏ ବିଶ୍ରାମ ନେବାକୁ ପଡ଼ିବ। ଅଧିକ ସମୟ ଧରି ଏକାଗ୍ରତାର ସହ ଅଧ୍ୟୟନ କରିବା ପାଇଁ ମଝିରେ ୫-୧୦ ମିନିଟ୍ ବିଶ୍ରାମ ନିଅନ୍ତୁ ଏବଂ ସମ୍ପୂର୍ଣ୍ଣ ଏକାଗ୍ରତା ସହିତ ପୁନର୍ବାର ଅଧ୍ୟୟନ କରନ୍ତୁ।
ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ତୁମେ ତୁମର କଠିନ ପରିଶ୍ରମର ଫଳ ନିଶ୍ଚିତ ଭାବରେ ପାଇବ । ଆତ୍ମବିଶ୍ୱାସ ଓ ଆଗକୁ ବଢିବାର ଇଚ୍ଛା ରଖି କଠିନ ପରିଶ୍ରମ ଜାରି ରଖିଲେ ଆପଣଙ୍କ ପ୍ରୟାସ ବ୍ୟର୍ଥ ଯିବ ନାହିଁ । ପରୀକ୍ଷା ଫଳ ଅପେକ୍ଷା ପରୀକ୍ଷା ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଲେ ହିଁ ସଫଳତା ମିଳିପାରିବ।
ଡିଜିଟାଲ ଡିଭାଇସ୍ ର ବ୍ୟବହାର ସମ୍ପର୍କରେ ଶ୍ରୀ ମାଝୀ କହିଛନ୍ତି ଯେ ପାଠପଢ଼ା ସମୟରେ ଏହି ଉପକରଣଗୁଡ଼ିକୁ ଖୁବ୍ କମ୍ ବ୍ୟବହାର କରାଯିବା ଉଚିତ ୍ ଏବଂ ଅଧିକ ଏକାଗ୍ରତା ସୁନିଶ୍ଚିତ କରିବା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ମୋବାଇଲ୍ ଫୋନ୍ ଠାରୁ ଦୂରେଇ ରହିବା ଉଚିତ୍।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୟୁନିଟ୍-୧ ସରକାରୀ ହାଇସ୍କୁଲର ୧୬୮ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ପ୍ରାକ୍ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପ୍ରଶ୍ନ ପଚାରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିସା ନାୟକ, ଶୁଭମ ପାତ୍ର, ଜେ ମିନାକ୍ଷୀ, ସସ୍ମିତା ସାହୁ, ସଞ୍ଜୀବ ଦିଗାଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି କିଟ୍ ବଣ୍ଟନ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ର ରାଜ୍ୟ ପ୍ରକଳ୍ପ ନିର୍ଦେଶିକା ଅନନ୍ୟା ଦାସଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Also read https://purvapaksa.com/mp-seeks-amit-shahs-help-for-protection-of-gandhamardan/

