ଡ. ସମନ୍ୱୟ ନନ୍ଦ
କିଛିଦିନ ତଳେ ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ଘଟିଥିଲା । ତାଙ୍କର ପରଲୋକ ଘଟିବା ପରେ ତାଙ୍କର ଏକ ପୁରୁଣା ସାକ୍ଷାତ୍କାରର ଏକ ଛୋଟ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ତାଙ୍କର ଏକ ପୁରୁଣା ପ୍ରସଙ୍ଗ ଅର୍ଥାତ୍ ତାଙ୍କର ଜନ୍ମ ସମୟର ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ।
ଜାକିର ହୁସେନଙ୍କ ପିତା ମଧ୍ୟ ତବଲା ବାଦକ ଥିଲେ ଓ ତାଙ୍କର ନାମ ଆଲ୍ଲା ରଖା ଥିଲା। ଏହି କ୍ଲିପରେ ଜାକିର ହୁସେନ ତାଙ୍କର ପୁରୁଣା କଥା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଜନ୍ମ ଗ୍ରହଣ କରିବା ପରେ ମୋତେ ଘରକୁ ଅଣାଗଲା ଓ ମୋତେ ମୋ ପିତାଙ୍କ କୋଳରେ ରଖି ଦିଆଗଲା। ନବଜାତ ଶିଶୁର କାନରେ ଇସ୍ଲାମୀ ପ୍ରାର୍ଥନା ପଢ଼ାଯାଇ ତାକୁ ସ୍ୱାଗତ କରାଯିବା ଓ କିଛି ଭଲ ଶବ୍ଦ କହିବାର ପରମ୍ପରା ରହି ଆସିଥିଲା। ସେତେବେଳେ ମୋ ପିତା ମୋତେ କୋଳରେ ନେଲେ ଓ ନିଜର ଓଠକୁ ମୋର କାନରେ ରଖି ତବଲାର ଲୟକୁ ମୋର କାନରେ ଶୁଣାଇଲେ। ଏହାକୁ ଶୁଣି ସାରିବା ପରେ ମୋ ମା’ ରାଗି ଯାଇଥିଲେ। ସେ ମୋ ପିତାଙ୍କୁ ପଚାରିଲେ ଯେ, ତୁମେ ଏହା କ’ଣ କରୁଛ? ତୁମକୁ ନବଜାତ ଶିଶୁ କାନରେ ଇସ୍ଲାମୀ ପ୍ରାର୍ଥନା କହିବା କଥା। ତବଲାର ଲୟ ଶୁଣାଇବା କଥା ନୁହଁ।
ଜାକିର ହୁସେନ ଏହି କ୍ଲିପରେ ଆଗକୁ କହିଥିଲେ ଯେ ମୋର ପିତା ଜଣେ ମୁସ୍ଲମାନ ଥିଲେ। ହେଲେ ସେତେବେଳେ ସେ ମୋ ମା’ଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଯେ, ଏହା ହିଁ ହେଉଛି ମୋର ପ୍ରାର୍ଥନା। ମୁଁ ଏହି ଭଳି ପ୍ରାର୍ଥନା କରିଥାଏ। ମୁଁ ମାତା ସରସ୍ୱତୀ ଓ ଭଗବାନ ଗଣେଶଙ୍କ ଉପାସକ। ମୋତେ ଏହି ଜ୍ଞାନ ମୋର ଗୁରୁ ଓ ଶିକ୍ଷକମାନଙ୍କ ଠାରୁ ମିଳିଛି। ଏହାକୁ ମୋ ପୁଅକୁ ଦେବାକୁ ଚାହୁଁଛି।
ତବଲା ବାଦନ ପାଇଁ ସାରାବିଶ୍ୱରେ ପ୍ରସିଦ୍ଧ ଥିବା ଜାକିର ହୁସେନ ଶୁଣାଇଥିବା ଏହି ପ୍ରସଙ୍ଗ ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ମୁସ୍ଲମାନ ହୋଇ ସୁଦ୍ଧା ସେ ଭାରତର ସଂସ୍କୃତିରୁ କଟି ନ ଥିଲେ। ସେ ଜଣେ ନୈଷ୍ଠିକ ମୁସଲମାନ ହେବା ସତ୍ତ୍ୱେ; ଜ୍ଞାନ, କଳା ସଙ୍ଗୀତ ପାଇଁ ମାତା ସରସ୍ୱତୀଙ୍କୁ ଉପାସନା କରୁଥିଲେ। ତାଙ୍କ ମଧ୍ୟରେ ଭାରତର ସାଂସ୍କୃତିକ ମୂଲ୍ୟବୋଧ କେତେ ଗଭୀରଭାବେ ଭର୍ତ୍ତି ହୋଇ ରହିଥିଲା ଏହା ହେଉଛି ଏକ ପ୍ରମୁଖ ଉଦାହରଣ। ଆଲ୍ଲା ରଖା ହୁଅନ୍ତୁ କିମ୍ବା ଜାକିର ହୁସେନ ହୁଅନ୍ତୁ ଉଭୟ ମୁସଲମାନ ହୋଇଥିଲେ ସୁଦ୍ଧା ନିଜକୁ ହଜାର ହଜାର ବର୍ଷର ଭାରତୀୟ ସଭ୍ୟତା ଓ ସଂସ୍କୃତିରୁ କାଟି ନ ଥିଲେ। ସେମାନେ ମାତା ସରସ୍ୱତୀଙ୍କୁ ଜ୍ଞାନ, କଳା ଓ ସଂସ୍କୃତିର ଦେବୀ ବୋଲି ମନେକରି ତାଙ୍କୁ ଉପାସନା କରି ଆସୁଥିଲେ।
ଏବେ ଆଉ ଏକ ଉଦାହରଣ ଉପରେ ଦୃଷ୍ଟି ପକାଇବା। ଘଟଣାଟି ଝାଡ଼ଖଣ୍ଡର। ରାଜଧାନୀ ରାଞ୍ଚିରେ ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ବା ରିମ୍ସ ନାମରେ ଏକ ପ୍ରସିଦ୍ଧ ମେଡିକାଲ କଲେଜ ଅଛି। ଅନ୍ୟ ରାଜ୍ୟମାନଙ୍କ ଭଳି ଝାଡ଼ଖଣ୍ଡରେ ମଧ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ଆରାଧନା କରାଯାଇଥାଏ। ରାଞ୍ଚିର ରିମ୍ସ ମେଡିକାଲ କଲେଜରେ ମଧ୍ୟ ଛାତ୍ରଛାତ୍ରୀମାନେ ବସନ୍ତ ପଞ୍ଚମୀ ଦିନ ମା’ ବାଗଦେବୀଙ୍କୁ ଆରାଧନା କରି ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ଏମବିବିଏସର ଛାତ୍ରଛାତ୍ରୀମାନେ ସରସ୍ୱତୀ ପୂଜା କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଥିଲେ। ପିଲାମାନେ ମଧ୍ୟ ଏହି ପୂଜାର୍ଚ୍ଚନା ପାଇଁ ଚାନ୍ଦା ଆଦାୟ କରି ସାରିଥିଲେ। ପାଖାପାଖି ୭୦ ପ୍ରତିଶତ କାମ ସରି ସାରିଥିଲା।
ହଠାତ ରିମ୍ସ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ବାହାରିଥିଲା ଯେଉଁଥିରେ କୁହା ଯାଇଥିଲା ଯେ ରିମ୍ସରେ ସରସ୍ୱତୀ ପୂଜା କରାଯାଇ ପାରିବ ନାହିଁ। ଏଥିପାଇଁ ଯେଉଁ ତର୍କ ଦିଆଯାଇଥିଲା ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ। ଏଥିରେ କୁହାଯାଇଥିଲା ଯେ ରିମ୍ସରେ ଛାତ୍ର ଓ ଅଣଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବାର ଆଶଙ୍କା ଥିବା କାରଣରୁ ପୂଜା କରାଯାଇ ପାରିବ ନାହିଁ। ପରେ ଜଣାପଡ଼ିଥିଲା ଯେ ଝାଡଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଇର୍ଫାନ ଅନ୍ସାରୀ ଏହା ପଛରେ ଅଛନ୍ତି। ତାଙ୍କର ଚାପ କାରଣରୁ ରିମ୍ସ ପ୍ରଶାସନ ପକ୍ଷରୁ ପୂଜାକୁ କରାଇ ନ ଦିଆଯିବାକୁ ତୁଗଲକୀ ଆଦେଶ କରାଯାଇଥିଲା। ରିମ୍ସ ପ୍ରଶାସନର ଏହି ନିଷ୍ପତ୍ତି ବିରୁଦ୍ଧରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା ଓ ଏହାକୁ ଛାତ୍ରଛାତ୍ରୀମାନେ ଜୋରସୋରରେ ବିରୋଧ କରିଥିଲେ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଇର୍ଫାନ ଅନ୍ସାରୀ ବନ୍ଦ କରାଯିବାର ନିଷ୍ପତ୍ତିକୁ ସମର୍ଥନରେ ବାହାରିଥିଲେ। ସେ କହିଥିଲେ ଯେ ଆଇନ ଶୃଙ୍ଖଳା ବିଗିଡ଼ି ଯିବାର ଆଶଙ୍କାକୁ ଆଖି ଆଗରେ ରଖି ରିମ୍ସରେ ପୂଜା କରିବାକୁ ଅନୁମତି ଦିଆଯାଇ ନାହିଁ। ସେ ଖୋଲାଖୋଲିଭାବେ ସରସ୍ୱତୀ ପୂଜାର ବିରୋଧରେ ଆସିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦ୍ୱିଗୁଣିତ ହେଲା। କେବଳ ଛାତ୍ରଛାତ୍ରୀମାନେ ନୁହନ୍ତି ବରଂ ଅନେକ ବଡ଼ ବଡ଼ ଡାକ୍ତର ମଧ୍ୟ ରିମ୍ସ ପ୍ରଶାସନର ଏହି ଭାରତୀୟ ସଂସ୍କୃତି ବିରୋଧୀ ନିଷ୍ପତ୍ତିର ବିରୋଧରେ ଖୋଲାଖୋଲି ବାହାରିଥିଲେ। ସୋସିଆଲ ମିଡିଆରେ ଏହାକୁ ନେଇ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା।
ଛାତ୍ରଛାତ୍ରୀ ଓ ଡାକ୍ତରମାନେ ସୋସିଆଲ ମିଡିଆରେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଦେଖାଯାଇଥିଲା। ଛାତ୍ରଛାତ୍ରୀମାନେ କହିଥିଲେ ଯେ ରିମ୍ସର ପ୍ରଶାସନରେ ଥିବା ବଡ଼ ବଡ଼ ଲୋକମାନେ ସେମାନଙ୍କର ଦାୟିତ୍ୱକୁ ସଠିକଭାବେ ନିର୍ବାହ କରିପାରୁନାହାନ୍ତି । ତେଣୁ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଦେଶର ସାଂସ୍କୃତିକ ପରମ୍ପରା ଉପରେ କୁଠାରାଘାତ କରୁଛନ୍ତି। ଏହା ସମ୍ପୂର୍ଣ୍ଣଭାବେ ନିନ୍ଦନୀୟ।
ଏହାକୁ ନେଇ ବିରୋଧ ବଢ଼ିବା ଦେଖି ରିମ୍ସ ପ୍ରଶାସନକୁ ଶେଷରେ ନଇଁବାକୁ ପଡ଼ିଥିଲା। ରିମ୍ସ ପ୍ରଶାସନ ତା’ର ପୂର୍ବବର୍ତ୍ତୀ ନିର୍ଦ୍ଦେଶକୁ ବଦଳାଇ ପୁଣିଥରେ ରିମ୍ସରେ ସରସ୍ୱତୀ ପୂଜା ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଥିଲା।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ଭାରତରେ ସରସ୍ୱତୀ ପୂଜାକୁ ବିରୋଧ କାହିଁକି ହୁଏ? ଜ୍ଞାନର ଦେବୀ ମା’ ସରସ୍ୱତୀଙ୍କୁ ବିରୋଧ କରାଯିବାର ଉଦ୍ଦେଶ୍ୟ କ’ଣ? ଇରଫାନ ଅନ୍ସାରୀ ଭଳି ଲୋକମାନେ ଏପରି କାହିଁକି କରନ୍ତି? ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ଯେତେବେଳେ ନିଜକୁ ମା’ ସରସ୍ୱତୀଙ୍କ ଉପାସକ ବୋଲି କହୁଛନ୍ତି ସେତେବେଳେ ଇର୍ଫାନ ଅନ୍ସାରୀ ଭଳି ଲୋକମାନେ ସରସ୍ୱତୀ ପୂଜାକୁ ବନ୍ଦ କରିବାକୁ କାହିଁକି ଚାହାନ୍ତି? ଏଭଳି କରି ସେମାନେ କ’ଣ ଚାହୁଁଛନ୍ତି?
ଏଠାରେ ଆଉ ଏକ କଥା ମନେରଖିବାକୁ ପଡ଼ିବ ଇର୍ଫାନ ଅନ୍ସାରୀ ଜଣେ ଜଣାଶୁଣା ହିନ୍ଦୁ ବିରୋଧୀ ଓ ଇସଲାମିଷ୍ଟ ନେତା। ତାଙ୍କର କାର୍ଯ୍ୟ ଶୈଳୀ ଉପରେ ଦୃଷ୍ଟି ପକାଇଲେ ତାହା ସ୍ପଷ୍ଟ ହୋଇଯାଏ। ଗତ କିଛି ବର୍ଷ ମଧ୍ୟରେ ଝାଡ଼ଖଣ୍ଡର ମୁସଲମାନ ବହୁଳ ଗାଁ’ମାନଙ୍କରେ ଥିବା ସରକାରୀ ସ୍କୁଲରେ ଆଉ ରବିବାର ଛୁଟି ହେଉ ନାହିଁ। ଏହି ଗାଁ’ମାନଙ୍କରେ ରବିବାର ବଦଳରେ ଶୁକ୍ରବାର ଦିନ ଛୁଟି ହେଉଛି। ଏଥିରେ ମଦ୍ରାସାଗୁଡ଼ିକର କଥା କୁହା ଯାଉନାହିଁ ବରଂ ସରକାରୀ ସ୍କୁଲଗୁଡ଼ିକର କଥା କୁହାଯାଉଛି। ଇସ୍ଲାମିଷ୍ଟ ମାନେ ଯେଉଁ ଅଞ୍ଚଳରେ ତାଙ୍କର ଜନସଂଖ୍ୟା ଅଧିକ ଅଛି ଓ ଶକ୍ତି ଅଧିକ ଅଛି ସେଠାରେ ସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କୁ ଭୟଭୀତ କରି ଓ ଚାପ ପ୍ରୟୋଗ କରି ସରକାରୀ ସାପ୍ତାହିକ ଛୁଟି ରବିବାର ବଦଳରେ ଶୁକ୍ରବାର କରାଉଛନ୍ତି। ରାଜ୍ୟର ଶିକ୍ଷା ବିଭାଗ ନିକଟରେ ଏହାର କୌଣସି ସୂଚନା ନାହିଁ। ସବୁଠାରୁ ବଡ଼ କଥା ହେଲା ଯେ ଇର୍ଫାନ ଅନ୍ସାରୀଙ୍କ ନିଜ ଅଞ୍ଚଳରେ ଏହିପରି ଘଟଣା ଅଧିକ ମାତ୍ରାରେ ହେଉଛି। ବିରୋଧୀଙ୍କ ଅଭିଯୋଗ ଯେ ଇର୍ଫାନ ଅନ୍ସାରୀଙ୍କ ସମର୍ଥନରେ ଏପରି କାମ ହେଉଛି। ତେଣୁ ଅନ୍ସାରୀ କେତେ ସେକୁଲାର ତାହା ଏଥିରୁ ଅନୁମାନ କରାଯାଇପାରେ।
ଇଣ୍ଡୋନେସିଆ ହେଉଛି ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମୁସଲମାନ ଦେଶ। ସେଠାରେ ଥିବା ନୋଟରେ ଗଣେଶଙ୍କ ଫଟୋ ଚିତ୍ର ରହିଥାଏ। ସେଠାକାର ଏୟାରୱେଜ୍ର ନାମ ହେଉଛି ଗରୁଡ଼ ଏୟାରୱେଜ୍। ରାମାୟଣ ସେଠାରେ ମଞ୍ଚସ୍ଥ କରାଯାଇଥାଏ। ଏ ସମ୍ପର୍କରେ ପଚାରିଲେ ଇଣ୍ଡୋନେସିଆର ଲୋକମାନେ କହନ୍ତି ଆମେ ରିଲିଜିୟନ ବଦଳାଇଛୁ, ନିଜ ପୂର୍ବ ପୁରୁଷଙ୍କ ସଂସ୍କୃତିକୁ ବଦଳାଇ ନାହୁଁ। ତେଣୁ ପ୍ରଭୁ ଶ୍ରୀରାମ ହେଉଛନ୍ତି ଆମର ଆଦର୍ଶ। ହେଲେ ଭାରତରେ ଇର୍ଫାନ ଅନ୍ସାରୀମାନେ ଏଭଳି କାହିଁକି ଭାବୁ ନାହାନ୍ତି। ସେମାନେ ମା’ ସରସ୍ୱତୀଙ୍କୁ ପୂଜାକୁ ବନ୍ଦ କରିବାକୁ କାହିଁକି ଚେଷ୍ଟା କରୁଛନ୍ତି। ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରି ନିଜର ପୂର୍ବ ପୁରୁଷଙ୍କ ସଂସ୍କୃତିକୁ ନିଜର ବୋଲି କାହିଁକି ସ୍ୱୀକାର କରୁନାହାନ୍ତି। ଏହା କିଛି ପ୍ରଶ୍ନ ଯାହାର ଉତ୍ତର ଖୋଜା ଯିବାର ଆବଶ୍ୟକତା ରହିଛି।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
Also readhttps://purvapaksa.com/special-attention-to-small-countries-characteristics-of-modis-foreign-policy/
ଛୋଟ ଦେଶଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ; ମୋଦୀଙ୍କ ବିଦେଶ ନୀତିର ବିଶେଷତ୍ୱ