ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍ଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆଜି ଲୋକସଭାରେ ଏକ ଐତିହାସିକ ବଜେଟ୍ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଗତ କରିଛନ୍ତି। ଏଥର ବଜେଟ୍ର ଆକାର ରେକର୍ଡ ୫୦ ଲକ୍ଷ ୬୫ହାଜର କୋଟି ଟଙ୍କା ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଗ ପ୍ରଦାନ କରିବ। ସାମଗ୍ରିକଭାବେ ଚଳିତ ବଜେଟ୍ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଚାଷୀ, ଦିନ ମଜୁରିଆ, ମଧ୍ୟମ ବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ ପାଇଁ ଏହି ବଜେଟରେ କିଛି ନା କିଛି ଭଲ ଖବର ଅଛି।
ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି। ଆପଣମାନଙ୍କର ମନେଥିବ, ଗତକାଲି ସଂସଦ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ମାନନୀୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆଗତ ହେବାକୁ ଥିବା ବଜେଟରେ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀ କୃପାଦୃଷ୍ଟି ବର୍ଷିବ, ଏବଂ ଆଜି ଠିକ୍ ସେଇଆ ହିଁ ହେଲା।
ଆୟକର ଦାତାଙ୍କ ପାଇଁ ୧୨ ଲକ୍ଷ ଟଙ୍କା ଅର୍ଥାତ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏହାଦ୍ଵାରା ସେମାନେ ଅତି କମରେ ପ୍ରାୟ ୮୦ ହଜାର ଟଙ୍କା ସଞ୍ଚୟ କରିବେ ଯାହା ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ। ଏହା ହେଉଛି ପ୍ରକୃତରେ ମୋଦୀ ଗ୍ୟାରେଣ୍ଟି-ଯାହା କୁହନ୍ତି, ତାହା କରନ୍ତି।
ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଅନ୍ନଦାତାଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ଅଛି। ଏଥରର ବଜେଟରେ ୧୦୦ ଗୋଟି ଜିଲ୍ଲାରେ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ ଧନଧାନ୍ୟ କୃଷି ଯୋଜନା ପ୍ରସ୍ତାବିତ କରାଯାଇଛି, ଯାହା ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସହାୟକ ହେବ। ଏହି ନୂତନ ଯୋଜନାରେ ଦେଶର ୧ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହେବେ। ପରିବର୍ତ୍ତିତ ସୁଧ ରିହାତି ଯୋଜନା ଅଧୀନରେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଋଣ ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା ଚାଷୀମାନଙ୍କୁ ଆବଶ୍ୟକୀୟ ନଗଦ ରାଶି ଯୋଗାଇବାରେ ସହାୟକ ହେବ।
ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ରେକର୍ଡ ୧୫ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପ୍ରାବଧାନ କରାଯାଇଛି। ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ୫୪ ହଜାର ୮୩୨ କୋଟି ଟଙ୍କା ପ୍ରାବଧାନ କରାଯାଇଛି, ଯାହା ଚଳିତ ବର୍ଷ ପାଇଁ ୩୨ ହଜାର ୪୨୬ କୋଟି ଟଙ୍କା ଥିଲା। ଏହି ବର୍ଦ୍ଧିତ ପ୍ରାବଧାନର ଲାଭ ଓଡିଶା ମଧ୍ୟ ପାଇବ ଏବଂ ଆସନ୍ତା ବର୍ଷ ଆମେ ରେକର୍ଡ ସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇଦେବୁ।
ଜଳ ଜୀବନ ମିଶନ ଯୋଜନାରେ ରେକର୍ଡ ୬୭ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ଚଳିତ ବଜେଟରେ ୨୨ ହଜର ୬୯୪ କୋଟି ଟଙ୍କା ଥିଲା। ଏହାଦ୍ଵାରା ଆମ ସରକାରଙ୍କ ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟର ସବୁ ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲକ୍ଷ୍ୟ ନିଶ୍ଚିତ ଭାବେ ପୂରଣ ହେବ।
କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ବାବଦକୁ ୨୦୨୪-୨୫ ବର୍ଷ ପାଇଁ ୫୫୨୩୨ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ୨-୨୫-୨୬ରେ ଓଡ଼ିଶାକୁ ୬୪୪୦୮ କୋଟି ଟଙ୍କା ମିଳିବ। ଏହି ବର୍ଦ୍ଧିତ ପାଣ୍ଠିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ। ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା ରହିଛି ଏବଂ ଏହା ରାଜ୍ୟ ପାଇଁ ବିକାଶର ନୂତନ ଶିଖର ଛୁଇଁବ।
ପ୍ରଧାନମନ୍ତ୍ରୀ ସଦା ସର୍ବଦା କହି ଆସୁଛନ୍ତି ଯେ ଦେଶରେ ଚାରିଗୋଟି ଜାତି ଅଛନ୍ତି, ସେମାନେ ହେଲେ ଗରିବ, ଯୁବ ବର୍ଗ, ମହିଳା ଏବଂ କୃଷକ। ଚଳିତ ବର୍ଷର ବଜେଟ ମଧ୍ୟ ଏମାନଙ୍କ ପାଇଁ ଉଦ୍ଦିଷ୍ଟ । ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ବଜେଟରେ କୃଷି, ଏମଏସଏମଇ, ନିବେଶ ଏବଂ ରପ୍ତାନି ବିକାଶର ଚାରିଟି ଗ୍ରୋଥ୍ ଇଞ୍ଜିନଭାବେ କାର୍ଯ୍ୟ କରିବ।
ମୋଟାମୋଟି ଭାବେ କହିବାକୁ ଗଲେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ୍ ହେଉଛି ଲୋକାଭିମୁଖୀ, ଲୋକକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ।
ବଜେଟ୍ ୨୦୨୫-୨୬: ଲୋକସଭା ନିର୍ବାଚନ ଏବଂ ଇଭିଏମ୍ ପାଇଁ ଖର୍ଚ୍ଚ ବହନ ପାଇଁ ୧୪,୦୦୦ କୋଟି