Maha Kumbh: ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ବସ୍ ସେବାକୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି ଓଡ଼ିଶା ସରକାର।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ମହାକୁମ୍ଭ ମେଳା ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ବସ୍ ସେବା ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।
ଏହା ସହ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟରେ ଜନସାଧାରଣଙ୍କ ସହ ଅଧିକ ଅପଡେଟ୍ ସେୟାର କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳାକୁ ସ୍ୱତନ୍ତ୍ର ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଥିଲା।
ମହାକୁମ୍ଭର ସଙ୍ଗମ ଅଞ୍ଚଳରେ ବୁଧବାର ସକାଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମୌନି ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ କରିବା ପାଇଁ ଜାଗା ପାଇଁ ହନ୍ତସନ୍ତ ହେଉଥିବା ବେଳେ ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ବସ୍ ସେବାକୁ ବାତିଲ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି।
ଗତ ଜାନୁଆରି ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୪ଟି ସ୍ଥାନରୁ ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ପୁରୀ, ବ୍ରହ୍ମପୁର, ଭବାନୀପାଟଣା ଓ ସମ୍ବଲପୁରରୁ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ବସ୍ ଚଳାଚଳ ଆରମ୍ଭ ହୋଇଥିଲା। ପରେ କୋରାପୁଟ ଓ କେନ୍ଦୁଝରରୁ ମହାକୁମ୍ଭକୁ ବସ୍ ସେବା ମଧ୍ୟ ଆରମ୍ଭ ହୋଇଥିଲା।
ସ୍ୱତନ୍ତ୍ର ବସ୍ ସେବା ବାତିଲ ଯୋଗୁଁ ଯାତ୍ରୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିପାଇଁ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗ ଦୁଃଖ ପ୍ରକାଶ କରିଛି। ମହାକୁମ୍ଭ ମେଳା ପାଇଁ ଟିକେଟ ବୁକ୍ କରିଥିବା ଲୋକଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ଟଙ୍କା ଫେରସ୍ତ କରିବ।
ଭଙ୍ଗା ଘରରୁ ପୋର୍ସ ପର୍ଯ୍ୟନ୍ତ: ସଫଳତାର ଯାତ୍ରା ବାଣ୍ଟିଲେ ଓଡ଼ିଆ ଉଦ୍ୟୋଗୀ ସୌମେନ୍ଦ୍ର ଜେନା