Virat Kohli Ranji Traphy: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରାୟ ୧୩ ବର୍ଷ ପରେ ରଣଜୀ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି।
କୋହଲି ଦିଲ୍ଲୀ ଦଳ ପକ୍ଷରୁ ଖେଳୁଛନ୍ତି। ଗୁରୁବାର (ଜାନୁଆରୀ ୩୦) ଅର୍ଥାତ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରେଳବାଇ ବିପକ୍ଷରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା। ଦିଲ୍ଲୀ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି।
ଏପରି ସ୍ଥିତିରେ କୋହଲିଙ୍କୁ ଦେଖି ପ୍ରଶଂସକମାନେ ପାଗଳ ହୋଇଯାଇଥିଲେ, ଫଳରେ କିଛି ପ୍ରଶଂସକମାନେ ଆହତ ହୋଇଥିଲେ । ବିରାଟ କୋହଲିଙ୍କୁ ଦେଖିବା ପାଇଁ ଦିଲ୍ଲୀର ପ୍ରଶଂସକମାନେ ଉତ୍ସାହିତ ଥିଲେ। ଅରୁଣ ଜେଟଲୀ ଷ୍ଟାଡିୟମ ବାହାରେ ଭୋର ୩ଟାରୁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ପ୍ରଶଂସକମାନେ ଷ୍ଟାଡିୟମ ଭିତରକୁ ଯିବା ପାଇଁ ବହୁତ ପାଗଳ ହୋଇଯାଇଥିଲେ। ଏହାକୁ ନେଇ ଷ୍ଟାଡିୟମ ବାହାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ କିଛି ପ୍ରଶଂସକ ଆହତ ହୋଇଥିଲେ। ଗେଟ୍-୧୬ ବାହାରେ ଲୋକେ ପରସ୍ପରକୁ ଧକ୍କା ଦେବା ଆରମ୍ଭ କରିଥିଲେ। ଫଳରେ କିଛି ପ୍ରଶଂସକ ପ୍ରବେଶ ଦ୍ୱାର ନିକଟରେ ପଡ଼ି ଆହତ ହୋଇଥିଲେ।
ଏହି ଘଟଣାରେ ୩ ଜଣ ପ୍ରଶଂସକ ଆହତ ହୋଇଛନ୍ତି। ଏଥିରେ ପୁଲିସର ଏକ ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କିଛି ଲୋକ ଜୋତା ଓ ଚପଲ ଛାଡି ଚାଲିଯାଇଥିଲେ । ଦିଲ୍ଲୀ ଜିଲ୍ଲା ଓ କ୍ରିକେଟ ଆସୋସିଏସନ୍ (ଡିଡିସିଏ)ର ସୁରକ୍ଷା କର୍ମୀ ଓ ପୁଲିସ ଅଧିକାରୀମାନେ ଗେଟ୍ ନିକଟରେ ଆହତ ପ୍ରଶଂସକଙ୍କ ଚିକିତ୍ସା କରିଥିଲେ। ଜଣେ ପ୍ରଶଂସକଙ୍କ ଗୋଡ଼ରେ ବ୍ୟାଣ୍ଡେଜ୍ ମଧ୍ୟ ଲଗାଯାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଜଣେ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, କିଙ୍ଗ କୋହଲି ଶେଷ ଥର ପାଇଁ ୨୦୧୨ରେ ରଣଜୀ ମ୍ୟାଚ୍ ଖେଳିଥିଲେ। ସେହି ସମୟରେ ସେ ଗାଜିଆବାଦରେ ଉତ୍ତରପ୍ରଦେଶ ବିପକ୍ଷରେ ନିଜର ଶେଷ ରଣଜୀ ମ୍ୟାଚ୍ ଖେଳିଥିଲେ। ଏବେ ପ୍ରାୟ ୧୩ ବର୍ଷ ପରେ ସେ ରଣଜୀ ମ୍ୟାଚ୍ ଖେଳିବାକୁ ଆସିଛନ୍ତି। ପୂର୍ବରୁ ଲାଗୁଥିଲା ଏହି ମ୍ୟାଚ୍ ର ସିଧା ପ୍ରସାରଣ ହେବ ନାହିଁ। କିନ୍ତୁ ଶେଷ ମୁହୂର୍ତ୍ତରେ ଏକ ବଡ଼ ପରିବର୍ତ୍ତନ କରାଯାଇଥିଲା। ଜିଓ ସିନେମା ଏହି ମ୍ୟାଚର ସିଧା ପ୍ରସାରଣ କରୁଛି । ଡିଡିସିଏ ସମ୍ପାଦକ ଅଶୋକ କୁମାର ଶର୍ମା କହିଛନ୍ତି ଯେ ପ୍ରଥମ ଦିନରେ ଅତି କମରେ ୧୦,୦୦୦ ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି ।
ALSO READ: https://purvapaksa.com/this-indian-cricketer-has-separated-from-their-partner-through-divorce/
ଡିଭୋର୍ସ ଦେଇ ପାର୍ଟନରଙ୍କ ଠାରୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର