Saif Ali Khan: ୧୯୬୫ର ଭାରତ-ପାକ୍ ଯୁଦ୍ଧ ପରେ ଶତ୍ରୁ ସମ୍ପତ୍ତି ଆଇନ ପ୍ରଣୟନ କରାଯାଇଥିଲା। ଏହା ଅଧୀନରେ ଯେଉଁମାନେ ଦେଶ ବିଭାଜନ ପରେ ଦେଶ ଛାଡ଼ି ପାକିସ୍ତାନ ଯାଇ ସେଠାରେ ବସବାସ କରିଥିଲେ, ସେମାନଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତିଭାବେ ବିବେଚନା କରାଯାଉଥିଲା।
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସୈଫ୍ଙ୍କୁ ତାଙ୍କ ନିଜ ଘରେ ଛୁରିରେ ଆକ୍ରମଣ କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସୈଫଙ୍କୁ ଡିସଚାର୍ଜ କରାଯାଇଛି ଏବଂ ଆକ୍ରମଣର ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ସେପଟେ ସୈଫ୍ ଅଲ୍ଲୀ ଖାନ୍ ଓ ତାଙ୍କ ପରିବାରର ଭୋପାଳ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବାସ୍ତବରେ ପଟୌଦି ପରିବାରର ଏହି ସମ୍ପତ୍ତି ସରକାରଙ୍କ କବ୍ଜାକୁ ଯାଇପାରେ, ଯାହାକୁ ନେଇ ଆଇନଗତ ଲଢ଼େଇ ଚାଲିଛି। ଭୋପାଳ ରାଜପରିବାରୁ ମିଳିଥିବା ଏହି ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ୨୦୧୫ରେ ଏହି ଐତିହାସିକ ସମ୍ପତ୍ତି ଉପରେ ଲାଗିଥିବା ରହିତାଦେଶ ହଟିଥିଲା, ଯାହା ପରେ ପଟୌଦି ପରିବାରକୁ ସେମାନଙ୍କ ପକ୍ଷ ରଖିବାକୁ ସମୟ ମିଳିଥିଲା। ତେବେ ତାଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଦାବି ଉପସ୍ଥାପନ କରାଯାଇନାହିଁ। ଆସନ୍ତୁ ଜାଣିବା ସୈଫ୍ ଓ ତାଙ୍କ ପରିବାରର ଏହି ସମ୍ପତ୍ତିକୁ ସରକାର କେମିତି ଦଖଲ କରିପାରିବେ? ଏ ନେଇ କ’ଣ ରହିଛି ଆଇନ? କେମିତି ସୈଫ୍ଙ୍କ ପରିବାରକୁ ଏହି ସମ୍ପତ୍ତି ମିଳିଥିଲା।
କେମିତି ପାଇଲେ ପଟୌଦି ପରିବାରା ଏହି ସମ୍ପତ୍ତି?
ଭୋପାଳର ଶେଷ ନବାବ ହମିଦୁଲ୍ଲା ଖାନ୍ଙ୍କ ପରେ ତାଙ୍କ ବଡ଼ ଝିଅ ଆବିଦା ସୁଲତାନଙ୍କର ଏହି ସମ୍ପତ୍ତି ଉପରେ ଅଧିକାର ଥିଲା। ତେବେ ୧୯୫୦ ମସିହାରେ ଭାରତ-ପାକିସ୍ତାନ ବିଭାଜନ ପରେ ଆବିଦା ସୁଲତାନ ସବୁକିଛି ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ, ଯାହାପରେ ଭୋପାଳ ରାଜ୍ୟର ସମସ୍ତ ସମ୍ପତ୍ତି ଆବିଦାଙ୍କ ସାନ ଭଉଣୀ ସାଜିଦା ସୁଲତାନଙ୍କ ପାଖକୁ ଆସିଥିଲା। ସାଜିଦା ସୁଲତାନ ସୈଫ୍ ଅଲ୍ଲୀ ଖାନ୍ଙ୍କ ଜେଜେବାପା ନବାବ ଇଫ୍ତିଖାର ଅଲ୍ଲୀ ଖାନ୍ ପଟୌଦିଙ୍କୁ ବିବାହ କରିଥିଲେ। ଇଫ୍ତିଖାର ପଟୌଦିଙ୍କ ପରେ ସୈଫ୍ ଅଲ୍ଲୀ ଖାନ୍ଙ୍କ ପିତା ମନସୁର ଅଲ୍ଲୀ ଖାନ୍ ପଟୌଦି ଏହି ସମ୍ପତ୍ତିର ଦେଖାଶୁଣା କରୁଥିଲେ।
ବିବାଦର କାରଣ କ‘ଣ?
ସୈଫ୍ ଅଲ୍ଲୀ ଖାନ୍ ଏବଂ ପଟୌଦି ପରିବାରର ଭୋପାଳରେ ୧୫,୦୦୦ କୋଟି ଟଙ୍କାର ସମ୍ପତ୍ତି ଶତ୍ରୁ ସମ୍ପତ୍ତି ଆଇନ ଅଧୀନରେ ବିବାଦ ଘେରରେ ରହିଛି। ବାସ୍ତବରେ ଏହି ଆଇନ ଅନୁଯାୟୀ ଏଭଳି ସମ୍ପତ୍ତି ଉପରେ ସରକାରଙ୍କ ଦାବି ରହିଛି। ଫେବୃଆରୀ ୨୪, ୨୦୧୫ରେ ଶତ୍ରୁ ସମ୍ପତ୍ତିର ଅଧିରକ୍ଷକ ଏହି ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ବୋଲି ଘୋଷଣା କରିଥିଲେ। ଆଦେଶରେ କୁହାଯାଇଥିଲା ଯେ ଭୋପାଳର ନବାବ ହମିଦୁଲ୍ଲା ଖାଁଙ୍କ ବଡ଼ ଝିଅ ଆବିଦା ସୁଲତାନ ପାକିସ୍ତାନ ଚାଲି ଯାଇଥିଲେ, ତେଣୁ ଭୋପାଳର ନବାବଙ୍କ ସମ୍ପତ୍ତି, ଯାହାକୁ ସେ ଉତ୍ତରାଧିକାରୀଭାବେ ଗ୍ରହଣ କରିବାକୁ ଯାଉଥିଲେ, ତାହା ଶତ୍ରୁ ସମ୍ପତ୍ତି ଥିଲା। ସୈଫ୍ ଅଲ୍ଲୀ ଖାନ୍ଙ୍କ ମା’ ତଥା ପ୍ରସିଦ୍ଧ ଅଭିନେତ୍ରୀ ଶର୍ମିଲା ଟାଗୋର ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସମ୍ପତ୍ତିକୁ ସରକାର ନିଜ ଅକ୍ତିଆରକୁ ନେଇପାରିବେ କି?
ଏହା ପଛରେ ଶତ୍ରୁ ସମ୍ପତ୍ତି ଆଇନ ରହିଛି। ୧୯୬୫ରେ ଭାରତ-ପାକ୍ ଯୁଦ୍ଧ ପରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ଭାରତ ଓ ପାକିସ୍ତାନ ବିଭାଜନ ପରେ ଦେଶ ଛାଡ଼ିଥିବା ଲୋକମାନେ ପାକିସ୍ତାନ ଯାଇ ସେଠାରେ ବସବାସ କରିଥିଲେ। ସେମାନଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତିଭାବେ ବିବେଚନା କରାଯାଉଥିଲା। ଚୀନ୍ ସହ ଯୁଦ୍ଧ ପରେ ଚୀନ୍ ଉପରେ ଲାଗୁ ହୋଇଥିବା ସମାନ ଆଇନ ଏବଂ ଭାରତ ଛାଡ଼ି ଚୀନ୍ ଯାଇଥିବା ଲୋକଙ୍କ ସମ୍ପତ୍ତିକୁ ମଧ୍ୟ ଶତ୍ରୁ ସମ୍ପତ୍ତି ଘୋଷଣା କରାଯାଇଥିଲା। ଏଭଳି ସମ୍ପତ୍ତିକୁ କେନ୍ଦ୍ର ସରକାର ନିଜ ଅକ୍ତିଆରକୁ ନେଇଥାନ୍ତି। ଏଭଳି ସମ୍ପତ୍ତିକୁ ଦେଶ ପାଇଁ ବିପଦ ବୋଲି ବିବେଚନା କରାଯାଏ, ଯାହାକୁ ବିଦେଶୀ ଶକ୍ତିମାନଙ୍କ ପାଇଁ ବ୍ୟବହାର କରାଯାଇପାରିବ।
ଏଆଇ ସାହାଯ୍ୟରେ ୪୮ ଘଣ୍ଟାରେ କ୍ୟାନସର ଟିକା,ଏମିତି ଦାବି କରିଥିବା ଲାରି ଏଲିସନଙ୍କ ବାବଦରେ ଜାଣନ୍ତୁ
