Bangladesh:ଭାରତ ଓ ବାଂଲାଦେଶରେ ବଢ଼ୁଥିବା ଉତ୍ତେଜନାର ଫାଇଦା ଉଠାଉଛନ୍ତି ଚୀନ୍ ଓ ପାକିସ୍ତାନ। ବାଂଲାଦେଶରେ ଏହି ଦୁଇ ଦେଶର ହସ୍ତକ୍ଷେପ ବଢ଼ିବାରେ ଲାଗିଛି। ଏହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ମଧ୍ୟ କ୍ରମାଗତଭାବେ ଭାରତ ବିରୋଧୀ ନିଷ୍ପତ୍ତି ନେଉଛନ୍ତି।
ଶେଖ୍ ହସିନା ସରକାରଙ୍କ ପତନ ପରଠାରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ରାଜନୈତିକ ଅସ୍ଥିରତା, ମୌଳବାଦ, ହିନ୍ଦୁଙ୍କ ଉପରେ ଅତ୍ୟାଚାର ଭଳି ଘଟଣା ଭାରତୀୟ ଉପମହାଦେଶର ଜିଓ ପଲିଟିକ୍ସକୁ ଗରମ କରି ରଖିଛି।
ବାଂଲାଦେଶରେ ଯାହାସବୁ ଘଟୁଛି ତାହା ଭାରତ ପାଇଁ ଭଲ ନୁହେଁ। କାରଣ ବାଂଲାଦେଶରେ ଅସ୍ଥିରତାର ଫାଇଦା ଉଠାଇବାକୁ ଚୀନ୍ ଓ ପାକିସ୍ତାନ ସବୁପ୍ରକାରର ଉଦ୍ୟମ କରୁଛନ୍ତି। ବାଂଲାଦେଶର କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ କୁଖ୍ୟାତ। ୟୁନୁସଙ୍କ ପାଇଁ ବାଂଲାଦେଶ ଏବେ ଭାରତ ବିରୋଧୀଙ୍କ ଆଡ୍ଡା ପାଲଟିଛି। ବାଂଲାଦେଶର ପାକିସ୍ତାନ ପ୍ରେମ ଏତେ ଉବୁକା ମାରିଲାଣି ଯେ, ଏବେ ବାଂଲାଦେଶୀ ଓ ପାକିସ୍ତାନୀ ନୌସେନା ବଙ୍ଗୋପସାଗରରେ ସମରାଭ୍ୟାସ କରିବାକୁ ଯାଉଛନ୍ତି। ଅର୍ଥାତ ଓଡ଼ିଶାଠାରୁ ମାତ୍ର କେଇ ଶହ ମାଇଲ ଦୁରରେ ହେବ ସମରାଭ୍ୟାସ।
ବାଂଲାଦେଶରେ ବଢ଼ୁଛି ଚୀନ୍ର ପ୍ରଭାବ
ଷ୍ଟ୍ରେଟ୍ସ ନ୍ୟୁଜ୍ ଗ୍ଲୋବାଲ୍ ରିପୋର୍ଟ ଅନୁଯାୟୀ, ଚୀନ୍ ବାଂଲାଦେଶରେ ବିଶେଷ କରି ଭିତ୍ତିଭୂମି, ଶକ୍ତି ଏବଂ ଟେଲିଯୋଗାଯୋଗ କ୍ଷେତ୍ରରେ ନିଜର ପୁଞ୍ଜିନିବେଶ ବଢ଼ାଉଛି। ବାଂଲାଦେଶ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରେ ସକ୍ରିୟ ଅଂଶଗ୍ରହଣ କରିଆସୁଛି। ଚୀନ୍ ଉପରେ ବାଂଲାଦେଶର ମୋଟ ଋଣ ପରିମାଣ ପ୍ରାୟ ୧୭.୫ ବିଲିୟନ ଡଲାର। ଏଭଳି ସ୍ଥିତିରେ ବାଂଲାଦେଶ ଚୀନର ଋଣ ଜାଲରେ ଫସିଯିବାର ସମ୍ଭାବନା ରହିଛି। ବାଂଲାଦେଶର ଦୁଇ ପ୍ରମୁଖ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଏବଂ ବାଂଲାଦେଶ ଆୱାମୀ ଲିଗ୍ ଚୀନର ନିକଟତର। ଉଭୟଙ୍କ କାର୍ଯ୍ୟକାଳ ମଧ୍ୟରେ ବାଂଲାଦେଶରେ ଚୀନର ପୁଞ୍ଜିନିବେଶ ବୃଦ୍ଧି ପାଇଥିଲା।
ବର୍ତ୍ତମାନ ଚୀନ୍ ବାଂଲାଦେଶର କାର୍ଯ୍ୟନିର୍ବାହୀ ସରକାର ଏବଂ ସେଠାକାର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ରହିଛି। ଏଥିରେ ଜମାତ-ଏ-ଇସଲାମି ଭଳି ଉଗ୍ରବାଦୀ ଇସଲାମିକ ସଂଗଠନ ସାମିଲ ରହିଛି। ଚୀନ୍ ଏପର୍ଯ୍ୟନ୍ତ ବାଂଲାଦେଶ ପ୍ରତି ସତର୍କ କିନ୍ତୁ ସୁଯୋଗବାଦୀ ଏବଂ ରଣନୈତିକ ଆଭିମୁଖ୍ୟ ଗ୍ରହଣ କରିଛି। ବାଂଲାଦେଶର ରାଜନୈତିକ ଅସ୍ଥିରତାର ଫାଇଦା ଉଠାଇବା ଏହାର ଲକ୍ଷ୍ୟ। ଏଭଳି ସ୍ଥିତିରେ ଭାରତର ଚିନ୍ତା ଆହୁରି ବଢ଼ିପାରେ।
ସଫ୍ଟପାୱାର ଦ୍ୱାରା ବାଂଲାଦେଶକୁ ଟାର୍ଗେଟ କରୁଛି ଚୀନ୍
ରିପୋର୍ଟ ଅନୁଯାୟୀ, ଯୁବ ବାଂଲାଦେଶୀଙ୍କ ହୃଦୟ ଜିତିବା ପାଇଁ ଚୀନ୍ ନିରନ୍ତର ପ୍ରୟାସ ଜାରି ରଖିଛି। ଏହା ଶିକ୍ଷା, ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ଏହାବ୍ୟତୀତ ଏହା ବାଂଲାଦେଶୀ ଛାତ୍ରଛାତ୍ରୀଙ୍କୁ ଚୀନରେ ପଢ଼ିବା ପାଇଁ ଭ୍ରମଣ ସହାୟତା ଏବଂ ବୃତ୍ତି ପ୍ରଦାନ କରିଥାଏ। ସଫ୍ଟପାୱାର ମାଧ୍ୟମରେ ବାଂଲାଦେଶ ଭଳି ବିକାଶଶୀଳ ଦେଶକୁ ପ୍ରଭାବିତ କରିବା ଏକ ବ୍ୟାପକ ରଣନୀତିର ଅଂଶ ବିଶେଷ।
ଚୀନ୍-ବାଂଲାଦେଶ ପ୍ରତିରକ୍ଷା ସମ୍ପର୍କ ମଧ୍ୟ ସୁଦୃଢ଼ ହୋଇଛି
ସ୍ୱିଡେନ୍ ଥିଙ୍କଟ୍ୟାଙ୍କ ସିପ୍ରି ଅନୁଯାୟୀ, ୨୦୧୯ରୁ ୨୦୨୩ ମଧ୍ୟରେ ବାଂଲାଦେଶକୁ ଆବଶ୍ୟକ ଅସ୍ତ୍ରଶସ୍ତ୍ରର ୭୨% ଚୀନ୍ ପ୍ରଦାନ କରିଛି। ଏହାବ୍ୟତୀତ ଚିଟଗାଓଁର ଦକ୍ଷିଣରେ ଥିବା “ବିଏନଏସ ଶେଖ ହସିନା” ନୌସେନା ଘାଟି ନିର୍ମାଣରେ ବେଜିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୨୦୨୩ରେ ଉଦଘାଟନ ହୋଇଥିବା ଏହି ନୌସେନା ଘାଟିରେ ୬ଟି ବୁଡ଼ାଜାହାଜ ଓ ୮ଟି ଯୁଦ୍ଧ ଜାହାଜ ରହିପାରିବ। ବେଜିଂ ବାଂଲାଦେଶୀ ନୌସେନାକୁ ଦୁଇଟି ବୁଡ଼ାଜାହାଜ (ବିଏନଏସ ନବଯାତ୍ରା ଏବଂ ବିଏନଏସ ଜୟଯାତ୍ରା) ଏବଂ ବହୁ ପରିମାଣର ଫ୍ରିଗେଟ୍ ଏବଂ କର୍ଭେଟ୍ ପ୍ରଦାନ କରିଛି। ବୁଡ଼ାଜାହାଜ ଓ ନୂଆ ଘାଟିକୁ କିପରି ପରିଚାଳନା କରାଯିବ ସେ ନେଇ ଚୀନ୍ ତାଲିମ ଦେବ ବୋଲି ଚର୍ଚ୍ଚା ହେଉଛି।
ଚୀନ୍ ଉପରେ ବାଂଲାଦେଶର ଅର୍ଥନୈତିକ ନିର୍ଭରଶୀଳତା ବୃଦ୍ଧି ପାଇଛି
ଗତ ଏକ ଦଶନ୍ଧି ଧରି ଚୀନ୍ ବାଂଲାଦେଶର ସବୁଠାରୁ ବଡ଼ ବାଣିଜ୍ୟ ସହଯୋଗୀ, ଯାହାର କାରବାର ୨୫ ବିଲିୟନ ଡଲାରରୁ ଅଧିକ। ଚୀନ୍ର ସରକାରୀ ଗଣମାଧ୍ୟମ ଅନୁଯାୟୀ, ବାଂଲାଦେଶରେ ୭୦୦ ଚୀନ୍ ଆର୍ଥିକ କମ୍ପାନି ଅଛନ୍ତି। ବାଂଲାଦେଶ ନିଜର ବୟନ ଶିଳ୍ପ ଚଳାଇବା ପାଇଁ ଚୀନ ଉପରେ ଅଧିକ ନିର୍ଭରଶୀଳ, ଯାହା ବାଂଲାଦେଶକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଛି। ବାଂଲାଦେଶ ପ୍ରତିବର୍ଷ ପ୍ରାୟ ୪୫ ବିଲିୟନ ଡଲାର ମୂଲ୍ୟର ବସ୍ତ୍ର ରପ୍ତାନି କରିଥାଏ। ଯାହାକି ବାଂଲାଦେଶର ମୋଟ ରପ୍ତାନିର ୮୦% ଅଟେ। ଫାଇବର ପୋଷାକ ତିଆରି ପାଇଁ କଞ୍ଚାମାଲର ୭୦%ରୁ ଅଧିକ ଚୀନ୍ରୁ ଆସିଥାଏ।
ପାକିସ୍ତାନ ସହ ପ୍ରେମ
ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ଭାଙ୍ଗିବାରେ ପାକିସ୍ତାନର ଭୂମିକା ମଧ୍ୟ ପଦାକୁ ଆସିଛି। ଏହା କୂଟନୀତି ଓ ବାଣିଜ୍ୟ ମାଧ୍ୟମରେ ବାଂଲାଦେଶ ସହ ସମ୍ପର୍କକୁ ସୁଦୃଢ଼ କରୁଛି। ପାକିସ୍ତାନ ଏକ ନୂଆ ଭିସା ନୀତି ଘୋଷଣା କରିଛି, ଯେଉଁଥିରେ ବାଂଲାଦେଶକୁ ୧୨୬ଟି ଦେଶ ମଧ୍ୟରେ ସାମିଲ କରାଯାଇଛି ଯାହାର ନାଗରିକମାନେ ମାଗଣା ଭିସାରେ ପାକିସ୍ତାନ ଯାଇପାରିବେ। ଗତ ବର୍ଷ ମହମ୍ମଦ ୟୁନିସ୍ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ଦୁଇଥର ସାକ୍ଷାତ ହୋଇଥିଲା, ଯେଉଁଥିରେ ପାକିସ୍ତାନର ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା।
ପାକିସ୍ତାନ ସହ ନୌସେନା ଅଭ୍ୟାସ କରିବ ବାଂଲାଦେଶ
ରିପୋର୍ଟ ଅନୁଯାୟୀ, ଢାକାରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତ ହସିନା ଶାସନର ପତନ ପରଠାରୁ ନିୟମିତ ଭାବେ ବିଏନପି, ଜମାତ-ଇ-ଇସଲାମି ଏବଂ ଅନ୍ୟ ଉଗ୍ରବାଦୀ ବ୍ୟକ୍ତି ଓ ଗୋଷ୍ଠୀର ନେତାମାନଙ୍କୁ ସାକ୍ଷାତ୍ କରୁଛନ୍ତି। ଇତିମଧ୍ୟରେ ବାଂଲାଦେଶ ପରବର୍ତ୍ତୀ ସରକାର ଗଠନ କରିବା ପରେ ଆନୁଷ୍ଠାନିକଭାବେ ପାକିସ୍ତାନରୁ କୃଷିଜାତ ଦ୍ରବ୍ୟ ଆମଦାନୀ ବୃଦ୍ଧି କରିବାକୁ ଆଗ୍ରହ ପ୍ରକାଶ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ପାକିସ୍ତାନୀ ନୌସେନା ସହ ମିଳିତ ନୌସେନା ସମରାଭ୍ୟାସ ପାଇଁ ବାଂଲାଦେଶ ପ୍ରସ୍ତୁତି ଚଳାଇଛି। ଏହାବ୍ୟତୀତ ଫେବ୍ରୁଆରି ୨୦୨୫ରେ କରାଚିରେ ହେବାକୁ ଥିବା ବହୁରାଷ୍ଟ୍ରୀୟ ନୌସେନା ସମରାଭ୍ୟାସରେ ବାଂଲାଦେଶ ମଧ୍ୟ ଅଂଶଗ୍ରହଣ କରିବ।
Also readhttps://purvapaksa.com/anant-singh-firing-who-are-sonu-monu-bihar-bahubali-ex-mla-attacked/
