ଓଡ଼ିଶାର ତାଳଚେର-ବିମଳାଗଡ଼ ନ୍ୟୁ ବ୍ରଡ୍ ଗେଜ୍ (ବିଜି) ରେଳ ସଂଯୋଗ ପ୍ରକଳ୍ପର ପଲ୍ଲହରାରୁ ମହୁଲଡିହା ମଧ୍ୟରେ ୩୦.୬୨ କିଲୋମିଟର ରାସ୍ତା ପାଇଁ ରେଳ ମନ୍ତ୍ରଣାଳୟ ଟେଣ୍ଡର ଆହ୍ୱାନ କରିଛି।ତାଳଚେର-ବିମଳାଗଡ଼ ରେଳ ସଂଯୋଗ ୨୦୦୩-୦୪ମସିହାରେ ମଞ୍ଜୁର ହୋଇଥିଲେ ହେଁ ଜମି ଅଧିଗ୍ରହଣ ସମସ୍ୟା, ଆଇନଗତ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଆହ୍ୱାନ ଯୋଗୁଁ ବର୍ଷ ବର୍ଷ ଧରି ଅନେକ ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏସବୁ ଅସୁବିଧା ସତ୍ତ୍ୱେ ତାଳଚେର ରୁ ସୁନାଖାନି ମଧ୍ୟରେ ୨୦ କିଲୋମିଟର ରେଳ ଲାଇନ ନିର୍ମାଣ ସହ ପ୍ରାୟ ୨୬% ପ୍ରକଳ୍ପ ଶେଷ ହୋଇସାରିଛି । ଏହାବ୍ୟତୀତ ଅନୁଗୁଳ ଜିଲ୍ଲାର ଖମାର ଆଡ଼କୁ ଆହୁରି ୩୦.୫ କିଲୋମିଟର ରେଳ ସଂଯୋଗ ସଂପ୍ରସାରଣ କରାଯାଇଛି ଏବଂ ଏହି ପ୍ରକଳ୍ପକୁ ଯଥାଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ମୋଟ ୧୪୯.୭୮ କିଲୋମିଟର ବ୍ୟାପ୍ତ ଏହି ରେଳ ସଂଯୋଗ ତାଳଚେରକୁ ବିମଳାଗଡ଼ ସହିତ ସଂଯୋଗ କରିବ ଏବଂ ଟେଣ୍ଡର ପାଇଁ ଆମନ୍ତ୍ରଣରେ ମାଟିକାମ, ସେତୁ ନିର୍ମାଣ, ଷ୍ଟେସନ ସୁବିଧା, ଡ୍ରେନେଜ୍ ବ୍ୟବସ୍ଥା ସମେତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଟେଣ୍ଡର ପାଇଁ ଆନୁମାନିକ ମୂଲ୍ୟ ୭୨୬.୧୨୯ କୋଟି ଟଙ୍କା ରହିଛି।
ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ତାଳଚେର ଓ ବିମଳାଗଡ଼ରେ ରେଳ ଲାଇନର ଉଭୟ ପାର୍ଶ୍ୱରୁ କାମ ଆରମ୍ଭ ହୋଇଛି। ବିମଳାଗଡ଼-ମହୁଲଡିହା ସେକ୍ସନ୍ ନିର୍ମାଣାଧୀନ ଥିବା ବେଳେ ପଲ୍ଲହରା ରୁ ମହୁଲଡିହା ମଧ୍ୟରେ ଅବଶିଷ୍ଟ ୩୦.୬୨ କିଲୋମିଟର ରାସ୍ତା ପାଇଁ ଟେଣ୍ଡର ବାହାରିବା ଦ୍ୱାରା ଅଗ୍ରଗତି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ପାଖାପାଖି ୧୨ ବର୍ଷ ବିଳମ୍ବର ସମ୍ମୁଖୀନ ହୋଇଥିବା ତାଳଚେର-ବିମଳାଗଡ଼ ପ୍ରକଳ୍ପ ଏବେ ପୂର୍ବତଟ ରେଳପଥ (ଇସିଓଆର) ପକ୍ଷରୁ ନିଆଯାଇଥିବା ସକ୍ରିୟ ପଦକ୍ଷେପ ଯୋଗୁଁ ତ୍ୱରାନ୍ୱିତ ହେଉଛି। ଜମି ଅଧିଗ୍ରହଣ ଏବଂ ମକଦ୍ଦମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ।
୨୦୨୧ମସିହାରେ ସୁନାଖାନି ଓ ସାମଲ ଷ୍ଟେସନ ମଝିରେ ଅବସ୍ଥିତ ବରୁଆଁ ପାହାଡ଼ରେ ଥିବା ୮୪୦ ମିଟର ଲମ୍ବା ସୁଡ଼ଙ୍ଗରେ ଇସିଓଆର ଇଞ୍ଜିନିୟରିଂ ଟିମ୍ ସଫଳତାର ସହ ଚୂଡ଼ାନ୍ତ ବିସ୍ଫୋରଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଥିଲେ। ଏହି ସଫଳତା ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ଆହ୍ୱାନକୁ ଅତିକ୍ରମ କରିଛି ଏବଂ ପ୍ରକଳ୍ପର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଏହି ରେଳ ସଂଯୋଗ ସମ୍ପୂର୍ଣ୍ଣ ହେଲେ ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା ପ୍ରାୟ ୧୨୬ କିଲୋମିଟର ହ୍ରାସ ପାଇବ। ଏହା ରପ୍ତାନି ମାନର ଲୁହାପଥର ପରିବହନରେ ସହାୟକ ହେବ, ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳ ସମେତ ଏହି ଅଞ୍ଚଳର ଶିଳ୍ପଗୁଡ଼ିକ ଉପକୃତ ହେବ।
Also read https://purvapaksa.com/4-poachers-held-with-rare-melanistic-tiger-skin-in-odishas-similipal/