Sudasha vrat: ଯେଉଁ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଆନ୍ତି, ତାଙ୍କୁ ଜୀବନରେ କେବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।
ଏଥିସହ, ଏପରି ବ୍ୟକ୍ତିଙ୍କ ଜୀବନ ବହୁତ ଖୁସିରେ କଟିଥାଏ। ଆଜି ପବିତ୍ର ସୁଦଶାବ୍ରତ ,ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ ନାମରେ ଦଶଟି ଗଣ୍ଠି ପକାଯାଏ। ସେହି ନାମଗୁଡ଼ିକ ହେଲା ଲକ୍ଷ୍ମୀ ନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନେସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ। ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ।
ଏହି ବ୍ରତରେ ସାଧାରଣ ଦ୍ରବ୍ୟ ଛଡ଼ା ଦଶ ଫୁଲ, ଦଶ ଫଳ, ଦଶ ଦୂର୍ବା, ଦଶ ଖିଅ ସୂତାର ଦଶ ଗଣ୍ଠିଯୁକ୍ତ ଡୋର ଓ ଦଶଟି ମଣ୍ଡାର ଆବଶ୍ୟକ ହୁଏ। ଏହି ବ୍ରତରେ ମହାଲକ୍ଷ୍ମୀଙ୍କୁ ପୂଜାକରିବା ସହ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରାଯିବାର ବିଧି ରହିଛି। ପୂଜା ଶେଷରେ ବିବାହିତା ନାରୀମାନେ ବ୍ରତଧାରଣ କରନ୍ତି।
ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାଆନ୍ତି। ଐଶ୍ୱର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଥାଏ।
ପଦ୍ମପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ ହୁଏ। ଏହିଁ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ।
ବ୍ରତ କାହାଣୀ
ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି ।
ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।
ALSO READ: https://purvapaksa.com/why-we-celebrate-shamba-dashami/