ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର କେତେକ କାରବାର ଉପରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍ଟି) ଶେଷ କରିଛନ୍ତି। ଏଣିକି ଆଉ ଗିଫ୍ଟ କାର୍ଡ ଏବଂ ଭାଉଚରରେ ଜିଏସ୍ଟି ଲାଗୁ ହେବନାହିଁ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପ୍ରିପେଡ ଭାଉଚର, ଗିଫ୍ଟ କାର୍ଡ ଓ ଡିଜିଟାଲ ୱାଲେଟ ଭଳି ସୁବିଧା ଉପରେ ସେବା ଓ ସାମଗ୍ରୀ କର (ଜିଏସଟି) ଲାଗୁ କରିବେ ନାହିଁ। ତେବେ ସିବିଆଇସିର ଏହି ନିଷ୍ପତ୍ତି ସେହି ବ୍ୟବସାୟୀଙ୍କ ନିମନ୍ତେ ଆଶ୍ୱସ୍ତିକର ହୋଇଛି ଯେଉଁମାନେ ଦୀର୍ଘ ସମୟରୁ ଗିଫ୍ଟ କାର୍ଡ ଓ ଭାଉଚର ସମ୍ପର୍କିତ କାରବାର ଚଳାଉଥିଲେ।
ସିବିଆଇସି ସ୍ଥିତିକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ ଭାଉଚର, କାର୍ଡ ଅଥବା ୱାଲେଟ୍ ଦେବାକୁ ମାଲ୍ ଅଥବା ସେବା ଯୋଗାଣ ମନେ କରାଯିବ ନାହିଁ। ଅର୍ଥାତ ଭାଉଚର ଅଥବା ଗିଫ୍ଟ କାର୍ଡରେ ଜିଏସ୍ଟି ଲାଗିବ ନାହିଁ। ହେଲେ ଯେତେବେଳେ ଏହି ସବୁ ଭାଉଚର ଅଥବା ଗିଫ୍ଟ କାର୍ଡରେ ସାମଗ୍ରୀ କି ସେବା କ୍ରୟ କରାଯିବ ସେଠାରେ ଜିଏସ୍ଟି ଲାଗିବ। ଏ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଚିନ୍ତାରେ ଥିଲେ ଯେ ଗିଫ୍ଟ କାର୍ଡ ଅଥବା ଭାଉଚର ଇସ୍ୟୁ କଲେ ସେମାନଙ୍କ ଉପରେ ଜିଏସ୍ଟି ଲାଗୁ ହୋଇପାରେ। ଏହି ଭ୍ରମ ଯୋଗୁ ଅନେକ ବ୍ୟବସାୟୀ ଭାଉଚର ଜାରି କରିବାକୁ ଆଶଙ୍କା ପ୍ରକାଶ କରୁଥିଲେ। ଏବେ ସିବିଆଇସିର ଏହି ବୟାନ ପରେ ବ୍ୟବସାୟୀମାନେ ଆଶ୍ୱସ୍ତ ହୋଇଛନ୍ତି।
ସିବିଆଇସିଙ୍କ ଏହି ନିଷ୍ପତ୍ତି ଯୋଗୁ ଅଫ୍ଲାଇନ ଓ ଅନ୍ଲାଇନ ଉଭୟ ରିଟେଲରମାନଙ୍କୁ ଲାଭ ମିଳିବ। ଆମ ଦେଶରେ ପର୍ବପର୍ବାଣୀ ଉତ୍ସବ କାଳରେ ବିପୁଳ ପରିମାଣରେ ଗିଫ୍ଟ ଭାଉଚର ଓ କାର୍ଡ କାବରାର ହୋଇଥାଏ। ସିବିଆଇସି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଡିଜିଟାଲ ୱାଲେଟ, ଯେଉଁଥିରେ ଲୋକେ ପଇସା ରଖି ଅନଲାଇନ କାରବାର କରିଥାନ୍ତି, ତାହା ଉପରେ ମଧ୍ୟ ସିଧା ଜିଏସ୍ଟି ଲାଗୁ ହେବ ନାହିଁ। କିନ୍ତୁ ସେହି ୱାଲେଟରୁ ଯଦି କୌଣସି ସାମଗ୍ରୀ ଅଥବା ସେବା କ୍ରୟ କରାଯାଏ ତେବେ ସେହି ସାମଗ୍ରୀ ଓ ସେବା ଉପରେ ପୂର୍ବରୁ ଧାର୍ଯ୍ୟ ଜିଏସ୍ଟି ଲାଗୁ ହେବ। ଏହି ନିୟମ ପେଟିଏମ୍, ଫୋନ୍ ପେ, ଗୁଗଲ୍ ପେ ଭଳି ଡିଜିଟାଲ ପେମେଣ୍ଟସ ଆପ୍ ନିମନ୍ତେ ମଧ୍ୟ ଲାଗୁ ବୋଲି କୁହାଯାଇଛି।
ସେହିପରି ଭାଉଚର ବିତରଣ କାଳରେ ଯେଉଁ ଅତିରିକ୍ତ ସେବା ଯେପରି ବିଜ୍ଞାପନ ଅଥବା ଗ୍ରାହକଙ୍କ ସହାୟତା ତା ଉପରେ ଜିଏସ୍ଟି ଲାଗୁ ହେବ। ସିବିଆଇସି ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି କୌଣସି ବ୍ୟବସାୟୀ ଭାଉଚର ଅଥବା ଗିଫ୍ଟ କାର୍ଡକୁ ପ୍ରମୋଟ କରିବା ଲାଗି ବିଜ୍ଞାପନ ଏଜେନ୍ସିଙ୍କ ସେବା ନିଅନ୍ତି, ତେବେ ସେହି ଏଜେନ୍ସିକୁ ଦିଆଯାଉଥିବା ଫି ଉପରେ ଶୁଳ୍କ ନିଶ୍ଚିତ ଲାଗିବ। ସେହିପରି କଷ୍ଟମର କେୟାର ଅଥବା ସେହିଭଳି ଅନ୍ୟ ସେବାର ଉପଯୋଗ ହେଉଥିଲେ ଏହା ଉପରେ ଲାଗୁ ଟିକସର ଅନୁପାଳନ କରାଯିବ।
Also readhttps://purvapaksa.com/remembering-pritish-nandys-apology-to-odisha-cm-on-illustrated-weekly/
ପ୍ରୀତିଶ ନନ୍ଦୀଙ୍କ ଜାନକୀଙ୍କୁ କ୍ଷମାପ୍ରାର୍ଥନା ଯାହା ଓଡ଼ିଶା ରାଜନୀତି ଓ ସାମ୍ବାଦିକତାକୁ ନୂଆ ମୋଡ଼ ଦେଇଥିଲା
