CMO:ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ମନୋଜ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବଭାବେ ୨୦୦୬ ବ୍ୟାଚ୍ ଏଜିଏମୟୁଟି କ୍ୟାଡ଼ରର ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ଆଜି ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ଅନୁରୋଧରେ ଶ୍ରୀ ସାହୁଙ୍କୁ କେନ୍ଦ୍ର ସରକାର ଗତମାସରେ ଓଡ଼ିଶାକୁ ପଠାଇଥିଲେ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଭାବେ ଅବସ୍ଥାପିତ କରାଯାଇଛି। ସେ ଆଇଏଏସ୍ କ୍ୟାଡ଼ରରେ ସ୍ୱତନ୍ତ୍ର ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗୁରୁବାର ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା।
ଅବଶ୍ୟ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶପଥ ନେବା ପରେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ମାତ୍ର ସେତେବେଳେ ସେ ଡେପୁଟି ନିର୍ବାଚନ କମିଶନରଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ନିଯୁକ୍ତିରେ ବିଳମ୍ବ ହୋଇଥିଲା। ଶ୍ରୀ ସାହୁ ଗତମାସରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗଦେବା ପରେ ଆଜି ତାଙ୍କୁ ଏହି ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି।
ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ଶ୍ରୀ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ। ଚାକିରିରୁ ଆରମ୍ଭରୁ ସେ ଡାମନ ଓ ଡିଉରେ ଜିଲ୍ଲାପାଳଭାବେ କାର୍ଯ୍ୟ ତୁଲାଇଛନ୍ତି। ପରେ ୨୦୧୨ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ ସରକାରରେ ବିଭିନ୍ନ ପଦବୀରେ କାର୍ଯ୍ୟ କରି ୨୦୧୫ରେ ଗୋଆ ସରକାରରେ ପ୍ରାୟ ଏକବର୍ଷ କାର୍ଯ୍ୟ କରିଛନ୍ତି।
୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜଳଶକ୍ତି ଡେପୁଟି ସଚିବ ଓ ପରେ ନିର୍ଦ୍ଦେଶକ ଭାବେ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଡେପୁଟି ନିର୍ବାଚନ କମିଶନର ଭାବେ ୨୦୨୨ ଡିସେମ୍ବରରୁ ୨୦୨୪ ନଭେମ୍ବର ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ତୁଳାଇଥିଲେ।
Also readhttps://purvapaksa.com/odisha-govts-push-for-opelip-ii-with-a-loan-component-raises-posers/
