Mobile service: ଓଡ଼ିଶାର ୩୨୫୪ ଗାଁରେ ମୋବାଇଲ୍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି ଯାହାର ବେଗ ଅତ୍ୟନ୍ତ ଧିମା। ରାଜ୍ୟରେ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ୨ଜି ସେବାରେ ପରିବର୍ତ୍ତନ ନ ହେବା ରାଜ୍ୟର ଦୁର୍ବଳ ମୋବାଇଲ ସଂଯୋଗକୁ ପ୍ରତିପାଦନ କରୁଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩ହଜାରରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନଥିବାବେଳେ ପାଖାପାଖି ହଜାରେ ଗାଁରେ ଏବେବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି। ଏହା ଫଳରେ ବ୍ୟାଙ୍କ୍ ସେବାଠାରୁ ଆରମ୍ଭକରି ରାସନକାର୍ଡର ଇ-କେୱାଇସି ଯାଞ୍ଚ ସବୁକିଛି ବାଧାପ୍ରାପ୍ତ ହେଉଛି।
ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଏବେବି ଓଡ଼ିଶାର ୩୨୫୪ ଗାଁରେ ମୋବାଇଲ୍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି ଯାହାର ବେଗ ଅତ୍ୟନ୍ତ ଧିମା। ରାଜ୍ୟରେ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ୨ଜି ସେବାରେ ପରିବର୍ତ୍ତନ ନ ହେବା ରାଜ୍ୟର ଦୁର୍ବଳ ମୋବାଇଲ ସଂଯୋଗକୁ ପ୍ରତିପାଦନ କରୁଛି।
ସବୁଠାରୁ ବଡ଼କଥା ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ରାଜ୍ୟର ୧୦ଟି ପଛୁଆ ଜିଲ୍ଲାର ଶତାଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନାହିଁ। ଫଳରେ ସେହିସବୁ ପଛୁଆ ଅଞ୍ଚଳରେ ଶିକ୍ଷାଦାନଠାରୁ ଆରମ୍ଭକରି ବ୍ୟାଙ୍କସେବା ଆଦି ବାଧାପ୍ରାପ୍ତ ହେବାରେ ଲାଗିଛି।
ବର୍ତ୍ତମାନ ଶିକ୍ଷାବ୍ୟବସ୍ଥାରେ ନାମଲେଖାଠାରୁ ଆରମ୍ଭକରି ପରୀକ୍ଷା ଆଡମିଟ୍ କାର୍ଡ ପାଇବା ଓ ପରୀକ୍ଷା ଆଦି ବିଷୟରେ ଜାଣିବା ପାଇଁ ଓଟିପି ଅତି ଜରୁରୀ ହୋଇଥାଏ। ତେବେ ଏହିସବୁ ଅଞ୍ଚଳରେ ମୋବାଇଲ୍ ସଂଯୋଗ ନ ଥିବାରୁ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଉକ୍ତ ଅଞ୍ଚଳରେ ଆର୍ଥିକ ଦେଣ ନେଣ ପାଇଁ ବ୍ୟବହାର ହେଉଥିବା ୟୁପିଆଇ ମଧ୍ୟ କାର୍ଯ୍ୟ କରୁନାହିଁ। ଏଥିପାଇଁ ମୋବାଇଲ୍ ସଂଯୋଗ ଆବଶ୍ୟକ।
ସେହିଭଳି ତିନି ହଜାରରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରୁନଥିବାରୁ ରାସନକାର୍ଡର ଇ-କେୱାଇସି ଯାଞ୍ଚ କ୍ଷେତ୍ରରେ ମଧ୍ୟ ଏହା ବାଧକ ସାଜିଛି। ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୬ହଜାରରୁ ଅଧିକ ରାସନକାର୍ଡର ଇ-କେୱାଇସି ଯାଞ୍ଚ ହୋଇପାରିନାହିଁ। ଦୁର୍ଗମ ଅଞ୍ଚଳରେ ଯେଉଁମାନେ ମୋବାଇଲ୍ ଫୋନ୍ ଓ ଏହା ଜରିଆରେ ଇଣ୍ଟରନେଟ୍ ଯୋଗେ ଅତି ସହଜରେ ଏହା କରିପାରିଥାନ୍ତେ ସେମାନେ ଏବେ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି।
ମୋବାଇଲ୍ ସେବା ଅପହଞ୍ଚ ହୋଇଥିବା ଅଞ୍ଚଳରେ ଲୋକେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ତତ୍କାଳନ ସୂଚନା ପାଇପାରୁ ନାହାନ୍ତି। ବିଶେଷକରି ରାଜ୍ୟ ସରକାର ବଜ୍ରପାତ ଓ ପାଣିପାଗ ସଂକ୍ରାନ୍ତରେ ମୋବାଇଲ୍ ଫୋନ୍ ଜରିଆରେ ଯେଭଳି ସୂଚନା ପଠାଉଛନ୍ତି ତାହା ଏହିସବୁ ଅଞ୍ଚଳର ଲୋକଙ୍କ ପାଇଁ ଅପହଞ୍ଚ ହୋଇଛି।
କେନ୍ଦ୍ର ସରକାର ରାଜ୍ୟର ପଛୁଆ ଜିଲ୍ଲା ବିଶେଷକରି ମାଓ ଅଧ୍ୟୁଷିତ ଜିଲ୍ଲାରେ ମୋବାଇଲ୍ ଟାୱାର ସ୍ଥାପନ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହିତ ଅର୍ଥ ଯୋଗାଇ ଦେଉଥିବାବେଳେ ଏବେ ବି ରାଜ୍ୟର ୩ହଜାରରୁ ଅଧିକ ଗାଁରେ ମୋବାଇଲ୍ ପହଞ୍ଚି ନପାରିବା ଓ ହଜାରେ ପାଖପାଖି ଗାଁରେ ୨ଜି ମୋବାଇଲ୍ ସେବା ଚାଲିବା ଏବେ ରାଜ୍ୟରେ ମୋବାଇଲ୍ ସଂଯୋଗ ଓ ଟେଲି ସାନ୍ଧ୍ରତା ଉପରେ ପ୍ରଶ୍ନବାଚୀ ଲଗାଇଲାଣି।
Also readhttps://purvapaksa.com/tigers-in-other-states-are-not-adapting-to-odisha-climate/
