୧୫ ଜୁନ୍ ୧୯୫୩ରେ ଜନ୍ମ ହୋଇଥିବା କମ୍ଭମପଟି ହରି ବାବୁ ବିଭକ୍ତ ଆନ୍ଧ୍ରପ୍ରଦେଶର ତେଲେଙ୍ଗାନା ରାଜ୍ୟରୁ ପ୍ରଥମ ରାଜ୍ୟପାଳ। ସେ ମଧ୍ୟ ପ୍ରଥମ ତେଲୁଗୁ ରାଜ୍ୟପାଳ। ମିଜୋରାମର ରାଜ୍ୟପାଳ ଭାବରେ ପ୍ରଥମେ ସେ ରାଜଭବନରେ ପ୍ରବେଶ କରିଥିଲେ। ହରି ବାବୁ ୧୬ତମ ଲୋକସଭା ସମୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବିଜୟ ହାସଲ କରିଥିଲେ। ଏଥିସହ ସେ ୨୦୧୪ରୁ୨୦୧୮ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟିର ସଭାପତି ଭାବରେ କାର୍ଯ୍ୟ କରିଥିଲେ।
ପ୍ରକାଶମ ଜିଲ୍ଲାରେ ଅବସ୍ଥିତ ଥିମସାମୁଦ୍ରାମରେ ଜନ୍ମଗ୍ରହଣ କରିଥିବା ହରି ବାବୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଶିକ୍ଷା ପାଇଁ ବିଶାଖାପାଟନମକୁ ସ୍ଥାନାନ୍ତର ହୋଇଥିଲେ ଏବଂ ସେଠାରେ ସେ ମାଷ୍ଟର ଅଫ୍ ଟେକ୍ନୋଲୋଜି ଏବଂ ପିଏଚଡି ମଧ୍ୟ ହାସଲ କରିଥିଲେ।
ପରବର୍ତ୍ତୀ ସମୟରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦାନ କରି ୧୯୯୩ରେ ଆସୋସିଏଟ୍ ପ୍ରଫେସର ହୋଇଥିଲେ। ରାଜନୀତିରେ ଯୋଗ ଦେବା ପାଇଁ ସେ ସ୍ୱେଚ୍ଛାକୃତ ଭାବରେ ଅବସର ନେଇଥିଲେ।
ହରି ବାବୁଙ୍କ ରାଜନୈତିକ ଯାତ୍ରା ତାଙ୍କ ଛାତ୍ର ଅବସ୍ଥାରେ ହିଁ ଆରମ୍ଭ ହୋଇଥିଲା। ସେ ସ୍ଵତନ୍ତ୍ର ଆନ୍ଧ୍ର ରାଜ୍ୟ ପାଇଁ ଜୟ ଆନ୍ଧ୍ର ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜଣେ ଛାତ୍ର ନେତା ଭାବରେ ସେ ଟେନେଟୀ ବିଶ୍ୱନାଥମ୍, ଜି ଲାଛାନ୍ନା ଏବଂ ଭେଙ୍କୟା ନାଇଡୁ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସହଯୋଗ କରିଥିଲେ। ଅଧିକନ୍ତୁ, ସେ ୧୯୭୨ରୁ ୧୯୭୩ ପର୍ଯ୍ୟନ୍ତ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ଛାତ୍ର ସଂଗଠନର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।
୧୯୭୪ରୁ ୧୯୭୫ ପର୍ଯ୍ୟନ୍ତ ହରି ବାବୁ ଲୋକସଭା ସମିତି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ, ଯାହା ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ମେଣ୍ଟେନାନ୍ସ ଅଫ୍ ଆଭ୍ୟନ୍ତରୀଣ ସୁରକ୍ଷା ଅଧିନିୟମ (MISA) ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା ଏବଂ ବିଶାଖାପାଟନମ୍ ସେଣ୍ଟ୍ରାଲ୍ ଜେଲ୍ ଏବଂ ମୁର୍ଶିଦାବାଦ ଜେଲରେ ୧୮ମାସ କାରାଗାରରେ ରହିଥିଲେ।
୧୯୭୭ ମସିହାରେ ସେ ଜନତା ପାର୍ଟିର ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ହୋଇଥିଲେ। ସେ ୧୯୭୮ ରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଜନତା ଯୁବ ମୋର୍ଚ୍ଚା ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ୧୯୯୦ଦଶକ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟି ପ୍ରତି ନିଜର ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେ ୧୯୯୧ ରୁ ୧୯୯୩ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ ଏବଂ ୧୯୯୩ ରୁ ୨୦୦୩ ପର୍ଯ୍ୟନ୍ତ ରାଜ୍ୟ ୟୁନିଟର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।
୧୯୯୯ରେ ହରି ବାବୁ ବିଶାଖାପାଟନମ୍ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୩ରେ ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟିର ଦଳୀୟ ନେତା ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ମାର୍ଚ୍ଚ ୨୦୧୪ରେ ସେ ବିଜେପି ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।
ସେ ବିଶାଖାପାଟନମ୍ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସଫଳତାର ସହ ପ୍ରତିଦ୍ୱନ୍ଦ୍ୱିତା କରି ୱାଇଏସଆର କଂଗ୍ରେସ ପାର୍ଟି ପ୍ରାର୍ଥୀ ୱାଇଏସ ବିଜୟାମ୍ମାଙ୍କୁ ୯୦,୪୮୮ ଭୋଟ ବ୍ୟବଧାନରେପରାଜିତ କରିଥିଲେ।
୧୯ ଜୁଲାଇ ୨୦୨୧ରେ ହରି ବାବୁ ମିଜୋରାମର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ, ୨୬ ଡିସେମ୍ବର ୨୦୨୪ରେ ସେ ଓଡ଼ିଶାର ରାଜ୍ୟପାଳ ହେବେ ବୋଲି ଘୋଷଣା ହେଲା ଓ ଜାନୁଆରୀ ୩ରେ ଦାୟିତ୍ଵ ଗ୍ରହଣ କଲେ।
ମେଡିକାଲ ସିଟ୍ ଖାଲି ରହିପାରିବ ନାହିଁ, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
