ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକାର ସ୍ଵତନ୍ତ୍ର ସ୍ଥାନ ରହିଛି । ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭାବେ ଭିତରକନିକା ବେଶ୍ ପରିଚିତ । ଯେଉଁଥି ପାଇଁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିଡ ଜମାଇଥାନ୍ତି ଭିତରକନିକାରେ । ଭିତରକନିକାର ଧଳା କୁମ୍ଭୀର, ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀ,ଦଳ ଦଳ ହରୀଣ ପଲ , ମିୟୁଜିୟମ,ବୋଟ୍ଟ ଲାଇବ୍ରେରୀ,ସ୍କାଏ ଓ୍ଵାକ୍,ମ୍ୟାନଗ୍ରୁପ୍ ନର୍ସରୀ ଓ ନଦୀରେ ନୌବିହାର ପର୍ଯ୍ୟଟକମାନଙ୍କୁ ଆନମନା କରେ । ଯେଉଁଥି ପାଇଁ ହଜାର ହଜାର ପର୍ଯ୍ୟଟକ ଭିଡ଼ ଜମାଉଛନ୍ତି । ଜଙ୍ଗଲ ଉପରେ କାଠ ପୋଲରେ ୬୦୦ ମିଟର ଚାଲିଚାଲି ପ୍ରକୃତିର ଶୋଭାରାଜିକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ ।
ଭିତରକନିକା ବୁଲିବାକୁ ହେଲେ ପର୍ଯ୍ୟଟକମାନେ ଗୁପ୍ତି,ଖୋଳା ପଟେ ଜଳପଥ ଦେଇ ପ୍ରବେଶ କରିପାରିବେ ଓ ସ୍ଥଳ ପଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଭିତରକନିକା ବୁଲିପାରିବେ । ପର୍ଯ୍ୟଟକମାନେ ଭିତରକନିକା ରେ ରାତ୍ରୀଯାପନ କରିବାକୁ ହେଲେ ଡାଙ୍ଗମାଳ ନେଚର କ୍ୟାମ୍ପରେ ବନବିଭାଗ ପକ୍ଷରୁ କଟେଜ କରାଯାଇଛି ।
ମୋଟ ଭିତରକନିକାରେ ୧୬ଟି କଟେଜ ଥିବାବେଳେ ଚଳିତବର୍ଷ ନୂତନ ଭାବେ ୩ଟି ବିଳାସପୂର୍ଣ୍ଣ କଟେଜ ବ୍ରାହ୍ମଣୀ , ବୈତରଣୀ ଓ ଧାମରା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ମାନଙ୍କୁ ନିୟୋଜିତ କରିବା ସହ ନୈବିହାର କରୁଥିବା ପର୍ଯ୍ୟଟକଙ୍କୁ ଲାଇଭ ଜ୍ୟାକେଟ ପିନ୍ଧିବାକୁ କୁହାଯାଉଛି ।ବଉଳା କୁମ୍ଭୀର ଓ ପକ୍ଷୀ ମାନଙ୍କ ଭୂସ୍ଵର୍ଗ ପ୍ରକୃତିର ଗନ୍ତାଘର ଭିତରକନିକା ଦିନକୁ ଦିନ ପର୍ଯ୍ୟଟକ ମାନଙ୍କୁ ବିମୋହିତ କରୁଛି ।