Divorce: ବିବାହ ହେଉଛି ସୃଷ୍ଟିର ନିୟମ। ନୀଡ଼ ରଚନାର ଆଦିପର୍ବ ହେଉଛି ବିବାହ।
ଦୁଇ ମନ ଦୁଇ ଦେହ ଏକାଠି ହେବାର ଏକ ଦୁର୍ବାର ପ୍ରତିଜ୍ଞା ହେଉଛି ବିବାହ। ସାତଜନ୍ମ ପାଇଁ କେହି କାହା ଠାରୁ ଅଲଗା ନ ହେବା ପାଇଁ ବନ୍ଧନର ନାମ ହେଉଛି ବିବାହ। ସାହାନାଇ, ଶୁଭଶଙ୍ଖର ଧ୍ୱନି, ବ୍ରହ୍ମରେ ମନ୍ତ୍ରପାଠ, ତେତ୍ରିଶକୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି ପୁଅଟିଏ ଝିଅକୁ ବରଣ କରିନିଏ ସାତଜନ୍ମ ପାଇଁ। ସଂସାର ପଥରେ ପଥିକ ସାଜନ୍ତି ଉଭୟେ। ଉଭୟଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼େ। ସେଗୁଡ଼ିକ ହେଉଛି ଦାୟିତ୍ୱବୋଧ ଆଉ କର୍ତ୍ତବ୍ୟ।

ଉଭୟ ଶ୍ରମ ସ୍ୱେଦ ଆଉ ସହଯୋଗ ଓ ବୁଝାମଣାରେ ଏହି ବିବାହ ନାମକୁ ନୀଡ଼କୁ ବଞ୍ଚାଇ ରଖନ୍ତି ତମାମ ଜୀବନ। ଯେଉଁ ଜୀବନରେ ପର ମୂହୁର୍ତ୍ତରେ କୁନି କୁନି ଜହ୍ନ ତାରା ଜନ୍ମ ନିଅନ୍ତି। ସେମାନଙ୍କୁ ସମାଜରେ ଉଡ଼ାଇ ଶିଖାଇବା ପାଇଁ ସ୍ୱାମୀ ସ୍ତ୍ରୀ ତିଳ ତିଳ ଜଳନ୍ତି। ସେମାନଙ୍କ ଠାରୁ ବହୁତ କିଛି ଆଶା କରନ୍ତି। ତେବେ କୁହାଯାଏ ଯେଉଁଠି ରାଗ ଅଭିମାନ ଯେତେ ଥାଏ, ସେଇଠି ଦାମ୍ପତ୍ୟ ଜୀବନ ସେତିକି ଦୃଢ଼ ଥାଏ।
କିନ୍ତୁ ଏବେ ଦେଖାଯାଉଛି ଯେ ଛୋଟ ଛୋଟ କଥାକୁ ନେଇ ଏବେ କାର ସଂସାର ଭାଙ୍ଗି ଯାଉଛି। କେହି କାହାକୁ ବୁଝିବା ଆଗରୁ ଉଭୟ ସାରା ଜୀବନ ଖାଲି ଜଳନ୍ତି ସିନା, ମାତ୍ର ପ୍ରକୃତ ଶାନ୍ତି କାହାକୁ ମିଳେନି। ଝିଅଟିଏ ଶାଶୁ ଘରେ ପାଦ ଦେଇଥାଏ ଭାବିଥାଏ ତା ସ୍ୱାମୀର ସ୍ନେହ ଆଉ ପ୍ରେମରେ ଭୁଲିଯିବ ସବୁକିଛି। ମାତ୍ର ସମୟେ ସମୟେ ଦେଖାଯାଉଛି ସ୍ୱାମୀର ପରକିୟା ପ୍ରୀତି ପାଇଁ ଗଢ଼ି ହେବାକୁ ଯାଉଥିବା ଏକ ସୁନ୍ଦର ସ୍ୱର୍ଗ ହଠାତ ଭୁଷୁଡ଼ି ପଡ଼େ।
ଯିଏ କଥା ଦେଇଥାଏ ବିବାହ ବେଦୀରେ ହୋମ ନିଆଁକୁ ସାକ୍ଷୀ ରଖି ତା ହାତ କେବେ ଛାଡ଼ିବନି। ସେଇ ହିଁ ପ୍ରଥମେ ଭାଙ୍ଗିଦିଏ ସମ୍ପର୍କର ପବିତ୍ର ବନ୍ଧନକୁ। ଏଣୁ ଗଢ଼ିହେବାକୁ ଯାଉଥିବା ନୀଡ଼କୁ ସ୍ୱର୍ଗଠୁ ସୁନ୍ଦର କରିବା ପାଇଁ ହେଲେ ପରସ୍ପର ମଧ୍ୟରେ ତ୍ୟାଗ, ବୁଝାମଣା ଓ ସହଯୋଗ ରହିବା ଦରକାର। ଏଥିପାଇଁ ଉଭୟଙ୍କୁ ସମାନ ଭାବେ ତ୍ୟାଗ କରିବାକୁ ପଡ଼ିବ। ହୋଇପାରେ ଝିଅଟିଏ ଅଧିକ ତ୍ୟାଗ କରିବ।

ସମୟ ବଦଳିଛି। ତା’ ସହିତ ବଦଳି ଯାଉଛି ସମ୍ପର୍କର ସଂଜ୍ଞା। ଦିନଥିଲା ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଏକାଠି ବିତାଇବାର ସଂକଳ୍ପ ନେଉଥିବା ପତିପତ୍ନୀଙ୍କ ମୁହଁରୁ ଭୁଲ୍ରେ ବି ବିବାହ ବିଚ୍ଛେଦର କଥା ବାହାରୁନଥିଲା। ମାତ୍ର ଆଜି କେବଳ ମହାନଗର ନୁହେଁ, ଛୋଟ ଛୋଟ ଗାଁରେ ବି ଛାଡ଼ପତ୍ର ସଂଖ୍ୟା ବଢ଼ିଚାଲିଛି। ପାରିବାରିକ ସମ୍ପର୍କର ପରିଭାଷା ବଦଳି ଯାଉଛି ଯେମିତି। ଟିକେ ଟିକେ କଥାରେ ଭାଙ୍ଗି ଯାଉଛି ସଂସାର। ଯୌନକ୍ଷୁଧାକୁ ମେଣ୍ଟାଇବା ପାଇଁ ନାରୀ ଓ ପୁରୁଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ବିବାହ ପୂର୍ବର ସମ୍ପର୍କକୁ ଆମ ସମାଜ ସ୍ୱୀକୃତି ଦିଏନାହିଁ।
ଏହା ବାଦ ସମାଜରେ ବାସ କରୁଥିବାରୁ ଉଭୟ ପତିପତ୍ନୀ ଭାବେ କେତେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ତୁଲାଇଥାନ୍ତି। ସେଥିପାଇଁ ବେଦୀରେ ଯେଉଁ ବାହାଘର ହୋଇଥାଏ, ସେଥିରେ ଅନେକ ନୀତି ନିୟମ ରହିଥାଏ। ସାତଫେରା ଦାୟିତ୍ୱ ଉଭୟ ସ୍ୱାମୀ-ସ୍ତ୍ରୀ ନିଭାଇବା ପାଇଁ ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥାଏ। ବିବାହ ଦୁଇ ଉଭୟ ପୁରୁଷ ଓ ନାରୀର ସମ୍ପର୍କକୁ ଦୃଢ଼ କରିଥାଏ।

କ’ଣ କହେ ହିନ୍ଦୁ ବିବାହ କୋଡ଼?
ଭାରତରେ ବିବାହ ଏକ ବନ୍ଧନ । ବିବାହବନ୍ଧନର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ତେଣୁ ଏହି ବନ୍ଧନରୁ ବାହାରିବାକୁ କେହି ସହଜରେ ଚାହାନ୍ତି ନାହିଁ । ତେଣୁ ଭାରତୀୟ ସମାଜରେ ତଲାକକୁ ଭଲ ଦୃଷ୍ଟିରେ ଦେଖା ଯାଇ ନ ଥାଏ । ତଥାପି ଭାରତରେ ପ୍ରତି ବର୍ଷ ଲକ୍ଷଲକ୍ଷ ବିବାହ ବିଚ୍ଛେଦ ମାମଲା କୋର୍ଟକୁ ଆସୁଛି । ସ୍ୱାଧୀନତା ପରେ ୫୦ ଦଶକରେ ହିନ୍ଦୁ ମ୍ୟାରେଜ କୋଡ ବିଲ ଆସିଥିଲା । ଏଥିରେ ମହିଳାଙ୍କୁ ତଲାକ ପାଇଁ ଆଇନଗତ ଅଧିକାର ମିଳିଥିଲା । ୧୯୭୬ରେ ଏହାକୁ ସଂଶୋଧନ କରାଯାଇଥିଲା ଏବଂ ସ୍ୱାମୀ-ସ୍ତ୍ରୀ ସହମତିରେ ତଲାକ ପାଇଁ ଅନୁମତି ମିଳିଥିଲା ।
ବଢ଼ି ବଢ଼ି ଚାଲିଛି ବିବାହ ବିଚ୍ଛେଦ ମାମଲା
୨୦୧୧ ଜନଗଣନା ରିପୋର୍ଟ ଅନୁସାରେ, ଭାରତରେ ୧୩.୬୨ ଲକ୍ଷ ଲୋକଙ୍କର ବିବାହ ବିଚ୍ଛେଦ ଘଟିଛି । ଏହି ସଂଖ୍ୟା ମୋଟ ଜନସଂଖ୍ୟାର ୦.୧୧ ପ୍ରତିଶତ । ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପାଖାପାଖି ୨ ଗୁଣ ଅଧିକ । ଜନଗଣନା ରିପୋର୍ଟ ଅନୁସାରେ ତଲାକ ନେଇଥିବା ପୁରୁଷଙ୍କ ସଂଖ୍ୟା ୪.୫୨ ଲକ୍ଷ ଥିବାବେଳେ ମହିଳାଙ୍କ ସଂଖ୍ୟା ୯.୦୯ ଲକ୍ଷରୁ ଅଧିକ।
ସେତିକି ନୁହେଁ, ବିବାହ ବିଚ୍ଛେଦ ସଂଖ୍ୟାଠାରୁ ଅଧିକ ଥିଲା ବିବାହ ପରେ ଅଲଗା ରହୁଥିବା ଲୋକଙ୍କ ସଂଖ୍ୟା । ଅର୍ଥାତ ବିବାହବିଚ୍ଛେଦ ନ ହେଲେ ବି ଉଭୟେ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ରହୁଛନ୍ତି । ଏପରି ଲୋକଙ୍କ ସଂଖ୍ୟା ୩୫.୩୫ ଲକ୍ଷରୁ ଅଧିକ । ଏଥିରେ ମଧ୍ୟ ମହିଳା ଅଧିକ ଅଛନ୍ତି । ପ୍ରାୟ ୨୪ ଲକ୍ଷ ମହିଳା ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇ ରହୁଛନ୍ତି ।
![]()
ALSO READ: https://purvapaksa.com/smoke-can-affect-children-health/

