ପଶ୍ଚିମ ବିକ୍ଷୋଭ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ନୂଆବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଉତ୍ତର ଓ ଉତ୍ତର ପଶ୍ଚିମାଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ରବିବାର ସକାଳ ପର୍ଯ୍ୟନ୍ତ ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ।ଏହି ସମୟ ମଧ୍ୟରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସୋମବାର ସକାଳ ପର୍ଯ୍ୟନ୍ତ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।ଡିସେମ୍ବର ୩୦ ରୁ ସାରା ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ନୂଆବର୍ଷ ପାଳନ ଥଣ୍ଡା ହେବାର ସମ୍ଭାବନା ରହିଛି।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା)ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏହାପରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

