ଡ. ସମନ୍ୱୟ ନନ୍ଦ
ଭାରତର ପଶ୍ଚିମୋତ୍ତର ଅଞ୍ଚଳରେ ଆରମ୍ଭ ହୋଇଥିବା ଭାରତୀୟ ଦଶଗୁରୁ ପରମ୍ପରା ଯଦି ନ ଥାନ୍ତା ତେବେ ପାଖାପାଖି ଅଧା ଉତ୍ତର ଭାରତ ଇସଲାମରେ ମତାନ୍ତରିତ ହୋଇସାରିଥାନ୍ତା। ଦଶଗୁରୁ ପରମ୍ପରାର ଦଶମଗୁରୁ ଗୁରୁଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ରେ ଦୁଇ ସାନ ଗୁରୁପୁତ୍ରଙ୍କ ବଳିଦାନ ଦିବସକୁ ବୀର ବାଳ ଦିବସରୂପେ ପାଳନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି।
ସେତେବେଳେ ମୋଗଲ ଶାସକ ଔରଙ୍ଗଜେବର ଶାସନ ଥିଲା। ସବୁଆଡ଼େ ହିନ୍ଦୁମାନଙ୍କୁ ଜୋରଜବରଦସ୍ତ ଧର୍ମାନ୍ତରୀକରଣ କରାଯାଉଥିଲା। ଜିଜିଆକର ନିଆଯାଉଥିଲା। ହିନ୍ଦୁମାନଙ୍କର ପବିତ୍ରସ୍ଥଳଗୁଡ଼ିକୁ ଅପବିତ୍ର କରାଯାଉଥିଲା। ଏଭଳି ଏକ ମହୁର୍ତ୍ତରେ ଭାରତୀୟ ଦଶଗୁରୁ ପରମ୍ପରାର ଦଶମଗୁରୁ ଗୁରୁ ଗୋବିନ୍ଦ ସିଂହ ଆନନ୍ଦପୁର ସାହେବଠାରେ ପଞ୍ଚ ପ୍ୟାରେଙ୍କୁ ନେଇ ଖାଲସା ପନ୍ଥ ଆରମ୍ଭ କରିଥିଲେ। ଗୁରୁ ଗୋବିନ୍ଦ ସିଂହଙ୍କ ପିତା ତଥା ନବମଗୁରୁ ଗୁରୁ ତେଗ୍ ବାହାଦୁର ଓ ଜେଜେବାପା ଗୁରୁ ଅର୍ଜୁନ ଦେବଙ୍କ ଧର୍ମରକ୍ଷା ପାଇଁ ବଳିଦାନ ହୋଇ ସାରିଥିଲା।
ଔରଙ୍ଗଜେବ ବାରମ୍ବାର ଆନନ୍ଦପୁର ସାହେବ ଉପରେ ଆକ୍ରମଣ କରିବାକୁ ତା’ର ବିଭିନ୍ନ ସ୍ଥାନରେ ଥିବା ନବାବମାନଙ୍କୁ ପଠାଉଥିଲା। ଅନେକ ଥର ସେମାନେ ବିଫଳ ହୋଉଥିଲେ। ଏହାପରେ ସେ ସରହିନ୍ଦର ନବାବ ବଜିର ଖାନ, ଲାହୋରର ନବାନ ଦିଲାବର ଖାନ ଓ କାଶ୍ମୀରର ନବାବ ଜବରଦସ୍ତ ଖାନକୁ ଆଦେଶ ଦେଲା ଯେ ସେମାନେ ଆନନ୍ଦପୁର ସାହେବ ଉପରେ ଆକ୍ରମଣ କରନ୍ତୁ। ଏହାପରେ ସେମାନେ ଆନନ୍ଦପୁର ସାହେବକୁ ଘେରି ଆକ୍ରମଣ କରି ଦେଲେ। ଅନେକ ଦିନ ଧରି ଯୁଦ୍ଧ ଚାଲିଲା। ଏହାପରେ ଗୁରୁଜୀ କିଛି ସୈନିକଙ୍କୁ ଧରି ଦୂର୍ଗରୁ ବାହାରି ଆସିଲେ। ସାମନାରେ ସରସା ନଦୀ ଥିଲା। ଗୁରୁଜୀ ସରସା ନଦୀ ପାର କରି ଚମକୌର ସାହେବ ପହଞ୍ଚିଲେ। ସେତେବେଳକୁ ତାଙ୍କ ସହ ମାତ୍ର ୪୦ ଜଣ ସୈନିକ ଥିଲେ। ଗୁରୁଜୀ ତାଙ୍କର ଏହି ସେନାକୁ ଛୋଟ ଛୋଟ ଦଳରେ ବିଭାଜିତ କରି ଦେଲେ। ତାଙ୍କର ଦୁଇ ବଡ଼ ପୁଅ ଅଜିତ ସିଂହ ଓ ଜୁଝାର ସିଂହ ଦୁଇଟି ଦଳର ନେତୃତ୍ୱ ନେଇଥିଲେ। ସେମାନେ ମୋଗଲ ସେନା ସହ ରଣଭୂମିରେ ଲଢ଼ି ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ବୀରଗତି ପ୍ରାପ୍ତ ହେଲେ। ଅନ୍ୟପଟେ ସରସା ନଦୀରେ କୂଳରେ ହୋଇଥିବା ଭୟଙ୍କର ଯୁଦ୍ଧ ସମୟରେ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସାନ ପୁତ୍ର ଜୋରାବର ସିଂହ ଓ ଫତେହ ସିଂହ ତଥା ଗୁରୁଜୀଙ୍କ ମାତା ଗୁଜରୀ ଦେବୀ ଖାଲସା ପରିବାରଠାରୁ ଅଲଗା ହୋଇଯାଇଥିଲେ। ସେମାନଙ୍କ ସରହିନ୍ଦର ନବାବ ତାଙ୍କୁ ଗିରଫ କରି ନେଇଥିଲା।
ଡିସେମ୍ବର ମାସର ଏହି ହାଡ଼ଥରା ଶୀତରେ ଜେଜେମା ଗୁଜରୀ ଦେବୀ ଓ ଦୁଇ କୁନି ନାତି ଜୋରାବର ସିଂହ ଓ ଫତେହ ସିଂହଙ୍କୁ ସେ ଖୋଲାରେ କଏଦୀ କରି ରଖିଲା। ସେତେବେଳେ ବୟସ ଜଣଙ୍କର ୯ ବର୍ଷ ଓ ଅନ୍ୟ ଜଣଙ୍କର୭ ବର୍ଷ। ତା’ ପରଦିନ ଏହି ଦୁଇ ଶିଶୁଙ୍କୁ ସରହିନ୍ଦର ନବାବର କଚେରୀକୁ ନିଆଗଲା। ଏହି ଦୁଇ ନିଷ୍ପାପ ଶିଶୁ ନବାବ ସାମନାରେ ପହଞ୍ଚିଥିଲେ। ସେମାନଙ୍କ ମନରେ ଭୟର ସାମାନ୍ୟତମ ଲକ୍ଷଣ ନ ଥିଲା। ସେମାନେ ଉଚ୍ଚ ସ୍ୱରରେ କହିଥିଲେ –‘ବାହେ ଗୁରୁଜୀ କା ଖାଲସା, ବାହେ ଗୁରୁଜୀ କୀ ଫତେହ’। ଏହା ଶୁଣି ନବାବର ଦରବାରରେ ଥିବା ଜଣେ ବ୍ୟକ୍ତି ଶିଶୁମାନଙ୍କୁ କହିଲା ପିଲାମାନେ, “ଏହା ତୁମ ପିତା ଗୁରୁ ଗୋବିନ୍ଦ ସିଂହଙ୍କ ଦରବାର ନୁହେଁ। ଏହା ସରହିନ୍ଦର ନବାବ ବଜିର ଖାନର କଚେରୀ। ତେଣୁ ନତ ମସ୍ତକ ହୋଇ ତାଙ୍କୁ ସଲାମ କର”। ତେବେ ଏହି ଦୁଇଜଣ ଶିଶୁ ଉଚ୍ଚ ସ୍ୱରରେ କହିଥିଲେ “ଗୁରୁଙ୍କ ଖାଲସା କେବଳ ବାହେ ଗୁରୁଙ୍କ ଫତେହ ହିଁ କହିଥାଏ , ଆଉ କିଛି କହିନଥାଏ।” ଏହି ଶିଶୁମାନଙ୍କଠାରୁ ଏପରି କଥା ଶୁଣି ନବାବ ରାଗି ଯାଇଥିଲା।
ଏହାପରେ ଏହି ଗୁରୁପୁତ୍ରମାନଙ୍କୁ ଇସଲାମରେ ମତାନ୍ତରିତ କରିବାକୁ ପ୍ରୟାସ କରାଗଲା। ପ୍ରଥମେ ସେମାନଙ୍କୁ ଭଲରେ ବୁଝାଗଲା ପରେ ଲୋଭ ଦେଖାଗଲା ଓ ଶେଷରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକ ଦିଆଗଲା। ହେଲେ ଗୁରୁପୁତ୍ରମାନେ ଇସଲାମ ସ୍ୱୀକାର କରିବାକୁ ମନା କରିଦେଇଥିଲେ। ବଜିର ଖାନ ସେମାନଙ୍କୁ ପଚାରିଥିଲା- “ଯଦି ତୁମକୁ ଛାଡ଼ି ଦିଆଯାଏ, ତେବେ ତୁମେ କ’ଣ କରିବ? ଏହାର ଉତ୍ତରରେ ଗୁରୁପୁତ୍ରମାନେ କହିଥିଲେ- ପ୍ରଥମେ ତ ତୁମେ ଆମକୁ ଛାଡ଼ି ଦେବ ବୋଲି ଆମେ ବିଶ୍ୱାସ କରୁନାହୁାଁ କିନ୍ତୁ ଯଦି ତୁମେ ଆମକୁ ଛାଡ଼ି ଦିଅ ତେବେ ଆମେ ବାହାରକୁ ଯାଇ ଅଧିକ ଲୋକଙ୍କୁ ଏକତ୍ରିତ କରିବୁ ଓ ତୁମର ଏହି ନୃଶଂସ ଶାସନକୁ ହଟାଇବା ପାଇଁ ଯୁଦ୍ଧ କରିବୁ।” ଏହା ଶୁଣି ବଜୀର ଖାନ ଆହୁରି ରାଗିଗଲା। ସେ ଗୁରୁପୁତ୍ରମାନଙ୍କୁ କହିଲା– “ଏବେ ମଧ୍ୟ ସମୟ ଅଛି, ତୁମେ ମୋ କଥା ମାନି ନିଅ। ତୁମେ ଇସଲାମ ଆପଣାଇ ନିଅ। ନ ହେଲେ ତୁମକୁ ଅତ୍ୟନ୍ତ କଷ୍ଟରେ ମରିବାକୁ ପଡ଼ିବ।” ଏହାର ଉତ୍ତରରେ ଗୁରୁପୁତ୍ରମାନେ କହିଥିଲେ – “ଏ ବଜୀର ଖାନ, ଆମକୁ ମୃତ୍ୟୁର ଭୟ ଦେଖାଅ ନାହିଁ। ଜୀବନ ଓ ମୃତ୍ୟୁ ପରମାତ୍ମାଙ୍କ ହାତରେ ଅଛି। ଆମେ ବିନା ଭୟରେ ବଞ୍ଚୁ, ବିନା ଭୟରେ ମରୁ। ଆମେ ଆମ ଧର୍ମ କଦାପି ଛାଡ଼ିବୁ ନାହିଁ। ନିଜ ଧର୍ମ ପାଇଁ ବଳିଦାନ ଦେବାର ଶିକ୍ଷା ଆମେ ଆମର ଅଣଜେଜେ ଗୁରୁ ଅର୍ଜୁନ ଦେବଜୀ ଓ ଜେଜେ ଗୁରୁ ତେଗ୍ ବାହାଦୁରଜୀଙ୍କଠାରୁ ଶିଖିଛୁ।”
ଗୁରୁପୁତ୍ରମାନଙ୍କୁ ମୁଣ୍ଡ ନୂଆଇଁବା ପାଇଁ ଶତଚେଷ୍ଟା କରିବା ପରେ ମଧ୍ୟ ନବାବ ବଜୀର ଖାନ ବିଫଳ ହେବା ପରେ ସେ ଆହୁରି ରାଗି ଯାଇଥିଲା। ସେ ସଙ୍ଗେ ସଙ୍ଗେ ନିର୍ଦେଶ ଦେଲା- ଏହି ଦୁଇ ବାଳକଙ୍କ ଚାରିପଟେ କାନ୍ଥ ଉଠାଇ ଜୀବନ୍ତ ସମାଧି ଦେଇଦିଅ। ନବାବର ଏହି କ୍ରୁର ଆଦେଶ ସମ୍ପୂର୍ଣ୍ଣ ଆକାଶରେ ଗୁଞ୍ଜରିତ ହେଲା। ତା’ପରେ ଏହି ନିଷ୍ପାପ ବାଳକ ଦୁଇଜଣଙ୍କ ଚାରିପଟେ କାନ୍ଥ ଉଠାଇବା କାମ ଆରମ୍ଭ ହେଲା। କିଛି ସମୟ ପରେ ବଡ଼ ଭାଇଙ୍କ ଆଖିରେ ଅଶ୍ରୁ ବହିବାରେ ଲାଗିଲା। ସାନଭାଈ ତାଙ୍କୁ ପଚାରିଲେ “ଭାଇ, ଆଖିରେ ଲୁହ କାହିଁକି। ବଳିଦାନକୁ ଡରି ଗଲ କି?” ବଡ଼ ଭାଇ ଉତ୍ତର ଦେଲେ– “ମୁଁ ମୃତ୍ୟୁକୁ ଡରେ ନାହିଁ, ଇର୍ଷା ହେଉଛି। ତୁ ମୋ’ଠାରୁ ପରେ ଏହି ଦୁନିଆକୁ ଆସିଥିଲୁ ହେଲେ ଧର୍ମ ରକ୍ଷା ପାଇଁ ମୋ’ଠାରୁ ଆଗରୁ ବଳିଦାନ ଦେବାର ସୌଭାଗ୍ୟ ତୋତେ ମିଳୁଛି। ଏହାକୁ ନେଇ ମୋ ମନରେ ଦୁଃଖ ହେଉଛି।”
ଏହାପରେ ଉଭୟ ବାଳକଙ୍କ ଚାରିପଟେ କାନ୍ଥ ଉଠାଇ ଦିଆଗଲା। ଏହି ଦିନଟି ଅନନ୍ତ କାଳ ପାଇଁ ଇତିହାସରେ ଅଙ୍କିତ ହୋଇଗଲା। ଗୁରୁ ଗୋବିନ୍ଦ ସିଂହଜୀଙ୍କର ଦୁଇପୁଅଙ୍କ ବଳିଦାନ ହେଲା। ତାଙ୍କର ଅପରାଧ କ’ଣ ଥିଲା? ସେମାନଙ୍କର କେବଳ ଏତିକି ଅପରାଧ ଥିଲା ଯେ ସେମାନେ ସତ୍ୟ ଓ ଧର୍ମର ତ୍ୟାଗ କରିନଥିଲେ। ମୃତ୍ୟୁକୁ ପରିହାସ କରୁଥିବା ଭଳି ଏଭଳି ଇତିହାସ ବିଶ୍ୱରେ ଆଉ କେଉଁଠି ବା ମିଳିବ? ଏହାପରେ ଏହି ବାଳକମାନଙ୍କର ଜେଜେମା ଗୁଜୁରୀ ଦେବୀ ମଧ୍ୟ ବଳିଦାନ ଦେଲେ।
ପରବର୍ତ୍ତୀ ସମୟରେ ନିଜର ଧର୍ମପତ୍ନୀ ଗୁରୁ ଗୋବିନ୍ଦ ସିଂହଜୀଙ୍କୁ ତାଙ୍କର ପୁତ୍ରମାନଙ୍କ ସମ୍ପର୍କରେ ପଚାରିଲେ। ଗୁରୁଜୀ ଜଣେ ନିର୍ଲିପ୍ତ ସନ୍ୟାସୀଭାବେ ଏହାର ଉତ୍ତର ଦେଲେ। କହିଲେ– “ଇନ୍ ପୁତ୍ରନ କେ ସିସପର ବାର ଦିଏ ସୁତ ଚାର, ଚାର ମୁଏ ତୋ କ୍ୟା ହୁଆ ଜୀବତ କଇ ହଜାର।”
ଶହ ଶହ ବର୍ଷ ଧରି ହୋଇଥିବା ବିଦେଶୀ, ବିଧର୍ମୀ ଆକ୍ରମଣକାରୀମାନଙ୍କର ବର୍ବର ଆକ୍ରମଣ ସତ୍ତ୍ୱେ ଏହି ଜାତି ଏପରି ହିଁ ବଞ୍ଚି ନାହିାଁ ଏଥିପାଇଁ ଏହି ବୀର ବାଳକମାନଙ୍କ ପରି ହଜାର ହଜାର ସଂଖ୍ୟାରେ ବଳିଦାନ ଦେବା କାରଣରୁ ଏହି ଜାତି ଆଜି ବଞ୍ଚିଛି। ଆଜି ମଧ୍ୟ ସରହିନ୍ଦର ଲୋକମାନେ ଏହି ଘଟଣାକୁ ମନେପକାଇ ଡିସେମ୍ବର ୨୬ ତାରିଖ ଦିନ ରାତ୍ରୀରେ ଖଟରେ ନ ଶୋଇ ଚଟାଣରେ ଶୋଇଥାନ୍ତି।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ହିନ୍ଦୁସ୍ତାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି।)