Aparajita : ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କାଙ୍କୁ ଯେଉଁ ବ୍ୟାଗ୍ ଉପହାର ଦେଇଛନ୍ତି ସେଥିରେ ’୧୯୮୪’ ଲେଖା ରହିଥିବାବେଳେ ରକ୍ତ ବୁନ୍ଦା ଚିତ୍ର ରହିଛି।
ସଂସଦରେ ଗତ କିଛିଦିନ ହେଲା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବ୍ୟାଗକୁ ବଡ଼ ଚର୍ଚ୍ଚା ଲାଗି ରହିଛି । ଏହି ଚର୍ଚ୍ଚା ଭିତରେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଯାହାକୁ ନେଇ ଦେଶବ୍ୟାପୀ ଏବେ ଆଲୋଚନାର ବିଷୟବସ୍ତୁ ହୋଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ବ୍ୟାଗ୍ ଉପହାର ଦେଇଛନ୍ତି ସେଥିରେ ’୧୯୮୪’ ଲେଖା ରହିଥିବାବେଳେ ରକ୍ତ ବୁନ୍ଦା ଚିତ୍ର ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା। ଏଥିରେ ସାରାଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏହି ବ୍ୟାଗ୍ ସେହି ଘଟଣାକୁ ମନେପକାଇ ଦେଇଛି। ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପ୍ରତିପକ୍ଷଙ୍କୁ ଏଭଳି ଜବାବକୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଭାରି ଚର୍ଚ୍ଚା ହେଉଛି। ଯାହାକି ବ୍ୟାଗ୍ର ଜବାବ, ବ୍ୟାଗରେ ଦେଲେ ବୋଲି ଆଲୋଚନା ହେଉଛି।
ବିଗତ ଦିନରେ ସଂସଦକୁ ପାଲେଷ୍ଠାଇନ ଲେଖାଥିବା ଓ ବାଂଲାଦେଶ ଲେଖାଥିବା ବ୍ୟାଗ୍ ଆଣି ଚର୍ଚ୍ଚାରେ ଥିଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଅନ୍ୟପଟେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କୁ ନେଇ ସଂସଦରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଧକ୍କା ମାରି ଆହତ କରିବା ଅଭିଯୋଗରେ ଏମିତି ଢଙ୍ଗରେ ଜବାବ ଦେଇଛନ୍ତି ଅପରାଜିତା। ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଥିବାବେଳେ ଅପରାଜିତା ବ୍ୟାଗ ଉପହାର ଦେଇ ସମଗ୍ର ଭାରତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଛନ୍ତି।
ସୂଚନାଯୋଗ୍ୟ,ଗତ ସପ୍ତାହରେ ପାଲେଷ୍ଠାଇନ ଲେଖାଥିବା ବ୍ୟାଗ ଧରି ପ୍ରିୟଙ୍କା ସଂସଦକୁ ଆସିଥିଲେ। ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା। ଏହି ବିତର୍କ ଥମିନଥିବାବେଳେ ପ୍ରିୟଙ୍କା ପୁଣି ଏକ ବାଂଲାଦେଶ ଲେଖାଥିବା ବ୍ୟାଗ୍ ଧରି ସଂସଦକୁ ଆସିଥିଲେ । ଏହି ବ୍ୟାଗରେ ଲେଖାଥିଲା ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡ଼ାହୁଅ। ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେ ଏହି ବ୍ୟାଗ୍ ଧରି ସଂସଦକୁ ଆସିଥିଲେ। ବାଂଲାଦେଶର ସଂଖ୍ୟାଲଘୁମାନଙ୍କ ସୁରକ୍ଷା ଲାଗି ସରକାର କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ସେ ଦାବି କରିଥିଲେ।
୧୯୭୧ରେ ବାଂଲାଦେଶର ମୁକ୍ତି ଯୁଦ୍ଧରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାର କହିଥିଲେ ପ୍ରିୟଙ୍କା। ତେବେ ତାଙ୍କୁ କଡ଼ା ଜବାବ ଦେଇଥିଲେ ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ର। ଶ୍ରୀ ପାତ୍ର କହିଥିଲେ, ଗାନ୍ଧି ପରିବାର ସବୁବେଳେ ତୁଷ୍ଟିକରଣ ବ୍ୟାଗ୍ ଧରି ବୁଲେ। ଏହି ତୁଷ୍ଟିକରଣ ବ୍ୟାଗ୍ ପାଇଁ କଂଗ୍ରେସ ପରାଜୟର ସାମନା କରୁଛି। ପ୍ରିୟଙ୍କାଙ୍କ ବ୍ୟାଗ୍ ରାଜନୀତିକୁ ବ୍ୟାଗରେ କାଉଣ୍ଟର କରିଛନ୍ତି ଅପରାଜିତା। ମନେପକାଇ ଦେଇଛନ୍ତି ଶିଖ୍ ବିରୋଧୀ ଦଙ୍ଗାର କଥା, ରକ୍ତପାତର କଥା।
ଅପରାଜିତା ଗଣମାଧ୍ୟମକୁ କହିଛନ୍ତି, ୧୯୮୪ର ଅତ୍ୟାଚାରକୁ ପଦାକୁ ଆଣିବା ଅତ୍ୟନ୍ତ ଜରୁରୀ ଥିଲା। ଯେହେତୁ ପ୍ରିୟଙ୍କାଜୀ ବ୍ୟାଗ୍କୁ ବହୁତ ଭଲ ପାଆନ୍ତି, ତେଣୁ ମୁଁ ତାଙ୍କୁ ୧୯୮୪ ରେ ଶିଖ୍ ହତ୍ୟାକାଣ୍ଡ ଉପରେ ଏହି ବ୍ୟାଗ୍ ଦେଇଥିଲି ଯେଉଁଥିରେ ରକ୍ତ ବୁନ୍ଦା ଥିଲା। ସେ ନିଶ୍ଚିତ ଭାବରେ ଆରାମଦାୟକ ନ ଥିଲେ ଏବଂ ପ୍ରଥମେ ଦ୍ୱିଧାରେ ଥିଲେ କିନ୍ତୁ ପରେ ଏହି ବ୍ୟାଗ୍କୁ ପ୍ରିୟଙ୍କା ଛଡ଼ାଇ ନେଇଥିଲେ।
ପ୍ରାୟ ୫୫ ବର୍ଷ ଧରି କ୍ଷମତାରେ ଥିବାବେଳେ ଦଳ ଯେଉଁ ଐତିହାସିକ ତ୍ରୁଟି କରିଛି, ସେ ସମ୍ପର୍କରେ ବର୍ତ୍ତମାନର କଂଗ୍ରେସକୁ ଅବଗତ କରାଯିବା ଦରକାର ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି। ଧାରା ୩୭୦, ୩୫(ଏ), ତିନି ତଲାକ୍ ଏବଂ ନିକଟରେ ପ୍ରକାଶିତ ଏକ ଦେଶ, ଏକ ନିର୍ବାଚନ ବିଲ୍ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଆମେ ବିଜେପି ଏବଂ ଏନଡିଏରେ ଏହିସବୁ ଐତିହାସିକ ତ୍ରୁଟିକୁ ସୁଧାରିବା ପାଇଁ ସେମାନଙ୍କ ଆଗରେ ଉପସ୍ଥାନ କରିବାକୁ ଆଗ୍ରହୀ।
Also readhttps://purvapaksa.com/deendayal-upadhyaya-founder-of-ekatma-manavvad/
