-
Ashwin retires ଅଷ୍ଟ୍ରେଲିଆ ଗସ୍ତ ମଝିରୁ ଅଶ୍ୱିନଙ୍କ ଅବସର ସମସ୍ତ ଚକିତ କରିଛି
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଆର ଅଶ୍ୱିନ ହଠାଥ୍ ତାଙ୍କ ଗୌରବମୟ କ୍ୟାରିୟରକୁ ଅଲ୍ବିଦା କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୧୪ବର୍ଷର ଗୌରବମୟ କ୍ୟାରିୟର ଆଜି ଅଶ୍ୱିନଙ୍କୁ ଭାରତର କିମ୍ବଦନ୍ତୀ ବୋଲର ଭାବେ କରିଣତ କରିଛି। ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସେ କାହିଁକି ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ତାହା ଉପରେ ଆମେ ନଜର ପକାଇବା ।
ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶେଷ ହେବା ସହ ଆର ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ସାହସିକ ନିଷ୍ପତ୍ତି ନେଇଛନ୍ତି। ୧୦୬ ଟେଷ୍ଟ ଖେଳି ୫୩୭ ୱିକେଟ୍ ନେବା ସହ ୬ ଶତକ ଓ ୧୪ ଅର୍ଦ୍ଧଶତକ ବଳରେ ମୋଟ ୩୫୦୩ ରନ୍ କରିଥିବା ଅଶ୍ୱିନ୍ ସର୍ବକାଳୀନ ଶ୍ରଷ୍ଠ ଅଲ୍ରାଉଣ୍ଡରଙ୍କ ମଧ୍ୟରେ ଅନ୍ୟତମ । ବୋଧହୁଏ ଏହି କାରଣରୁ ତାଙ୍କ ଅବସର ନିଷ୍ପତ୍ତି ପ୍ରଶଂସକ ଏବଂ କ୍ରିକେଟ୍ ପଣ୍ଡିତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଗାବା ଟେଷ୍ଟର ପଞ୍ଚମ ଦିନରେ ଅଶ୍ୱିନ ଡ୍ରେସିଂ ରୁମରେ ସାଥୀ ଖଳାଳି ବିରାଟ କୋହଲିଙ୍କୁ ଆଲିଙ୍ଗନ କରୁଥିବାର ଭିଡ଼ିଓ ଦେଖିବାକୁ ମିଳିବା ପରେ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହାପରେ ସେ ରୋହିତ ଶର୍ମାଙ୍କ ସହ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀକୁ ଯାଇ ତୁରନ୍ତ ଅବସର ଘୋଷଣା କରି ଚାଲିଯାଇଥିଲେ। ଅନେକ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି ଅନୁଭବ କରୁଥିବା ବେଳେ ଅଶ୍ୱିନ ଏ ବିଷୟରେ ଠିକ୍ ଭାବରେ ଚିନ୍ତା କରିଥିଲେ। ଏହା ପଛରେ କଣ କାରଣ ଥାଇପାରେ?
ଗାବାରେ ରବିନ୍ଦ୍ର ଜାଡେଜାଙ୍କ ଦମଦାର ପ୍ରଦର୍ଶନ
ଅଶ୍ୱିନ ଅବସର ନେବାର ପ୍ରଥମ ସମ୍ଭାବ୍ୟ କାରଣ ହୋଇପାରେ ରବୀନ୍ଦ୍ର ଜାଡେଜାଙ୍କ ଲଢୁଆ ବ୍ୟାଟିଂ। ସେ ୭୭ ରନର ଇନିଂସ ଖେଳି ଶୃଙ୍ଖଳାର ଅବଶିଷ୍ଟ ମ୍ୟାଚ୍ ଦୁଇଟି ପାଇଁ ଏକାଦଶରେ ସ୍ଥାନ ନିଶ୍ଚିତ କରିଦେଇଛନ୍ତି। ତେଣୁ ଅଶ୍ୱିନ ଆଉ ଏକାଦଶକୁ ଫେରିବା ସମ୍ଭାବନା ନଥିଲା। କାରଣ ସେ ଆଡିଲେଡରେ(ଦ୍ୱିତୀୟ ଟେଷ୍ଟ) ବିଫଳ ହୋଇଥିଲେ। ମେଲବର୍ଣ୍ଣ ଓ ସିଡନୀ ପିଚ ସ୍ପିନରଙ୍କୁ ସହାୟତା କରିବ। ତେଣୁ ଜାଡ଼େଜାଙ୍କୁ ଅଗ୍ରାଧିକାର ମିଳିବ। ଦ୍ୱିତୀୟ ସ୍ପିନର ଭାବେ ୱାଶିଂଟନ ସୁନ୍ଦର ମଧ୍ୟ ସ୍ଥାନ ସୁରକ୍ଷିତ କରିଛନ୍ତି।
ଅଶ୍ୱିନଙ୍କ ଠାରୁ ଆଗରେ ୱାଶିଂଟନ ସୁନ୍ଦର
ଅଶ୍ୱିନଙ୍କ ଅବସର ବିଷୟରେ ଆଲୋଚନା କରିବା ବେଳେ ସୁନୀଲ ଗାଭାସ୍କର ସଙ୍କେତ ଦେଇଥିଲେ ଯେ ସୁନ୍ଦର ଏହି ଅଭିଜ୍ଞ ସ୍ପିନରଙ୍କ ଠାରୁ ଆଗରେ ରହିପାରନ୍ତି। କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ନୂଆ କୋଚିଂ ଟିମ୍ ତାମିଲନାଡୁର ଏହି ଯୁବ ଅଲରାଉଣ୍ଡରଙ୍କ ବଡ଼ ପ୍ରଶଂସକ ବୋଲି ଜଣାପଡ଼ୁଛି, ଯିଏକି ନ୍ୟୁଜିଲାଣ୍ଡ ସିରିଜ୍ ମଧ୍ୟଭାଗରେ ସାମିଲ ହୋଇ ଉଭୟ ବ୍ୟାଟ୍ ଓ ବଲ୍ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଦଳରେ ଅଶ୍ୱିନ ଓ ଜାଡେଜାଙ୍କ ଭଳି ସିନିୟର ସ୍ପିନର ରହିଥିବା ସତ୍ତ୍ୱେ ପ୍ରଥମ ଟେଷ୍ଟରେ ସୁନ୍ଦରଙ୍କୁ ଅଗ୍ରାଧିକାର ମିଳିଥିଲା।
ନୀତୀଶ କୁମାର ରେଡ୍ଡୀଙ୍କ ଆବିର୍ଭାବ
ଏହି ସିରିଜ ଜରିଆରେ ପେସ୍ ବୋଲିଂ ଅଲରାଉଣ୍ଡର ପାଇଁ ଭାରତର ସନ୍ଧାନ ବେଶ୍ ସଫଳ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଲାଲ ବଲ୍ କ୍ରିକେଟରୁ ଦୂରେଇ ରହିବା ପରଠାରୁ ଭାରତ ଜଣେ ପେସ ବୋଲିଂ ଅଲରାଉଣ୍ଡର ଖୋଜୁଥିଲା। ଏଭଳି ବ୍ୟାଟିଂ ଅଲରାଉଣ୍ଡର ହୋଇଥିବ, ଯିଏ ବିଶେଷ କରି ବିଦେଶୀ ପରିବେଶରେ ମଧ୍ୟ କିଛି ଓଭର ବୋଲିଂ କରି ଯୋଡ଼ି ଭାଙ୍ଗି ପାରୁଥିବ। ନୀତୀଶ କୁମାର ରେଡ୍ଡୀ ବର୍ଡର-ଗାଭାସ୍କର ଟ୍ରଫିରେ ନିଜର ପ୍ରଦର୍ଶନ ଦ୍ୱାରା ଏବେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ନୀତୀଶ ୫ଟି ଇନିଂସରେ ୪୪.୭୫ ହାରରେ ୧୭୯ ରନ୍ କରିଛନ୍ତି। ଏହି ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ସିରିଜ୍ ରେ ଏପର୍ଯ୍ୟନ୍ତ ୩ଟି ୱିକେଟ୍ ନେବା ସହ ୨୭ ଓଭର ବୋଲିଂ କରିଛନ୍ତି।
ନୀତୀଶଙ୍କ ଆବିର୍ଭାବର ଅର୍ଥ ହେଉଛି ଭାରତ ଯଶପ୍ରୀତ ବୁମରାଙ୍କ ରୂପରେ ଜଣେ ଦ୍ରୁତ ବୋଲରଙ୍କୁ ଚୟନ କରିପାରିବ ଏବଂ ତା’ପରେ ଘରୋଇ ପରିବେଶରେ ୩ ଜଣ ସ୍ପିନରଙ୍କ ସହ ଯାଇପାରିବ। ବିଦେଶରେ ନୀତୀଶଙ୍କ ପେସ୍ ଓ ସ୍ୱିଙ୍ଗ୍ ସହ ବ୍ୟାଟିଂ ସହ କାମରେ ଆସିପାରେ।
ଆଗକୁ ଘରୋଇ ସିରିଜ୍ ନାହିଁ
ଭାରତରେ ଅଶ୍ୱିନଙ୍କ ରେକର୍ଡ ବେଶ୍ ଚମତ୍କାର। ସେ ଘରୋଇ ମାଟିରେ ମୋଟ ୩୮୩ ୱିକେଟ୍ ନେଇଛନ୍ତି। ଭାରତରେ ଟେଷ୍ଟ ଖେଳାଗଲେ ଅଶ୍ୱିନ ଏକାଦଶର ପ୍ରଥମ ପସନ୍ଦ ଖେଳାଳି ହେବେ। ମାତ୍ର ଆଗକୁ ଭାରତର ଘରୋଇ ଟେଷ୍ଟ ସିରିଜ ନାହିଁ। ୨୦୨୫ରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ ପରେ ଯିବ। ଘରୋଇ ସିରିଜ ଆରମ୍ଭ ହେବ ବେଳକୁ ଅଶ୍ୱିନଙ୍କ ବୟସ ୩୯ ବର୍ଷ ହୋଇସାରିଥିବ। ତେଣୁ ତାଙ୍କ ଫିଟନେସ ଅନ୍ୟ ଏକ କାରଣ ରହିବ। ଘରୋଇ ଗ୍ରାଉଣ୍ଡରେ ଜାଡ଼େଜା ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି।
previous article:https://purvapaksa.com/ashwin-has-retired-from-international-cricket-with-immediate-effect/