ଭାରତରେ ଯେବେବି ସେୟାର ମାର୍କେଟର କଥା ପଡେ ଓ ବଡ ନିବେଶକଙ୍କ ଚର୍ଚ୍ଚା ହୁଏ ରାକେଶ ଝୁନଝୁନୱାଲା, ରାଧାକୃଷ୍ଣ ଦମାନୀ ଓ ଡଲୀ ଖାନ୍ନାଙ୍କ ଭଳି ବଡ ଇନଭେଷ୍ଟରଙ୍କ ନାମ ସାମ୍ନାକୁ ଆସେ। ଏମାନଙ୍କୁ ଧନକୁବେର ମଧ୍ୟ କୁହାଯାଏ, କାରଣ କମ ପଇସା ନିବେଶ କରି ଏମାନେ କୋଟିକୋଟି ଟଙ୍କାର ଲାଭଅର୍ଜନ କରିଛନ୍ତି। ଆଜିକାଲି ଜଣେ ୨୩ ବର୍ଷ ବୟଷ୍କ ଯୁବକ ଶଙ୍କର୍ଷ ଚନ୍ଦା ବେଶ୍ ଚର୍ଚ୍ଚାରେ ଅଛନ୍ତି। ମାତ୍ର ଏତିକି ବୟସରେ ସେ ୧୦୦ କୋଟି ଟଙ୍କା ଆୟ କରିସାରିଲେଣି। ଏବେ ଆସନ୍ତୁ ଜାଣିବା ଶଙ୍କର୍ଷ ଚନ୍ଦାଙ୍କ ସମ୍ପର୍କରେ।
ଶଙ୍କର୍ଷ ହାଇଦ୍ରାବାଦରେ ରହନ୍ତି। ମାତ୍ର ୧୭ ବର୍ଷ ବୟସରୁ ସେ ସେୟାର ବଜାରରେ ନିବେଶ କରିଆସୁଛନ୍ତି। ପ୍ରାୟ ଦେଖାଯାଏ ସେୟାର ମାର୍କେଟରେ ଲୋକେ ସେମାନଙ୍କ ପୁଞ୍ଜି ହରାଉଛନ୍ତି। ହେଲେ ଶଙ୍କର୍ଷ ଏପରି ଲୋକଙ୍କଠାରୁ ଭିନ୍ନ ଓ ସେ ବହୁତ କମ ବୟସରୁ ସେୟାର ମାର୍କେଟରେ ନିବେଶ କରିବାର କୌଶଳ ଶିଖି ଯାଇଛନ୍ତି। ଏଣୁ ସେ ବର୍ତ୍ତମାନ ୧୦୦ କୋଟିର ମାଲିକ ପାଲଟି ଯାଇଛନ୍ତି। ଶଙ୍କର୍ଷ ଚନ୍ଦା ବେନେଟ୍ ୟୁନିଭର୍ସିଟିରି କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରୁଥିଲେ। ସେତେବେଳେ ସେୟାର ମାର୍କେଟ ପ୍ରତି ତାଙ୍କର ଆଗ୍ରହ ବଢିଥିଲା।
ସେ ପାଠପଢାକୁ ମଝିରେ ଛାଡି ଦିନରାତି ସେୟାରମାର୍କେଟରେ ନିବେଶ କରିବାକୁ ଲାଗିଥିଲେ। ଚନ୍ଦାଙ୍କ ଅନୁସାରେ ସେ ମାତ୍ର ୨ହଜାର ଟଙ୍କାରେ ସେୟାର ଇନଭେଷ୍ଟମେଣ୍ଟ ଆରମ୍ଭ କରିଥିଲେ। ଏହା ପରେ ସେ ଧିରେଧିରେ ଅଧିକ ଉପାର୍ଜନ କରିବାରେ ଲାଗିଥିଲେ। ସାକ୍ଷାତକାରରେ ନିଜେ ଶଙ୍କର୍ଷ ଚନ୍ଦା କହିଛନ୍ତି ଯେ ମୁଁ ୨ ବର୍ଷରେ ଷ୍ଟକ୍ ମାର୍କେଟରେ ପ୍ରାୟ ଦେଢଲକ୍ଷ ଟଙ୍କା ନିବେଶ କରିଥିଲି ଓ ମୋ ସେୟାର ମୂଲ୍ୟ ଏହି ୨ ବର୍ଷ ଅବଧିରେ ୧୩ଲକ୍ଷ ଟଙ୍କା ହୋଇଯାଇଥିଲା।
ଶଙ୍କର୍ଷ ଚନ୍ଦା କେବଳ ସେୟାର ମାର୍କେଟ ନୁହେଁ ତାଙ୍କ ଷ୍ଟାର୍ଟଅପ ‘ସ୍ୱବଧ ଇନଫିନିଟି ଇନଭେଷ୍ଟମେଣ୍ଟ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେ଼’ (ଏସଏଭିଏଆରଟି) ନାମକ ଫିନଟେକ୍ ଷ୍ଟାର୍ଟଅପର ସଂସ୍ଥାପକ ମଧ୍ୟ ଅଟନ୍ତି। ଶଙ୍କର୍ଷ ଚନ୍ଦାଙ୍କ ଏହି ଫିନଟେକ୍ ଲୋକଙ୍କୁ ଷ୍ଟକ୍ ମାର୍କେଟ୍, ମ୍ୟୁଚୁଆଲ ଫଣ୍ଡ ଓ ବଣ୍ଡ ନିବେଶ କରିବାରେ ସହାୟତା କରୁଛି। ଶଙ୍କର୍ଷଙ୍କ ଏହି କମ୍ପାନୀ ପ୍ରଥମ ବର୍ଷ ୧୨ଲକ୍ଷ, ଦ୍ୱିତୀୟ ବର୍ଷ ୧୪ଲକ୍ଷ ଓ ତୃତୀୟ ବର୍ଷ ୩୨ଲକ୍ଷ ଟଙ୍କା କାରବାର କରିଛି। ୨୦୨୦-୨୧ରେ ତାଙ୍କ କମ୍ପାନୀ ୪୦ ଲକ୍ଷ ଟଙ୍କାର କାରବାର କରିଥିବାର ରେକର୍ଡ ରହିଛି।
ନିକଟରେ ଶଙ୍କର୍ଷ ଚନ୍ଦା ‘ଦି ୱିକେଣ୍ଡ ଲିଡର’କୁ ସାକ୍ଷାତକାରରେ ତାଙ୍କ ମୋଟ ସମ୍ପତ୍ତି ୧୦୦ କୋଟି ଟଙ୍କା ବୋଲି କହିଛନ୍ତି। ଏହା ମୋ ଷ୍ଟକ୍ ମାର୍କେଟ ନିବେଶ ଅତିରିକ୍ତ ମୋ କମ୍ପାନୀର ମୂଲ୍ୟାଙ୍କନ ଉପରେ ନିର୍ଭର କରେ ବୋଲି କହିଛନ୍ତି। ଆମେରିକୀୟ ଅର୍ଥଶାସ୍ତ୍ରୀ ବେଞ୍ଜାମିନ୍ ଗ୍ରାହମଙ୍କ ଏକ ଆର୍ଟିକ୍ଲ ପଢି ଶେୟାରରେ ନିବେଶ ପ୍ରତି ତାଙ୍କର ମନ ବଳିଥିଲା ବୋଲି କହିଛନ୍ତି। ୨୦୧୬ ମସିହାରେ ଶଙ୍କର୍ଷ ଚନ୍ଦା ‘ଫାଇନାନ୍ସିଆଲ ନିର୍ବାଣ’ ନାମରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଏହି ପୁସ୍ତକରେ ସେ ବ୍ୟାପାର ଓ ନିବେଶ ମଧ୍ୟରେ ଅନ୍ତର ଦର୍ଶାଇଛନ୍ତି। ତେବେ ଖାସ କଥା ଯାହା ତାହା ହେଉଛି ଶଙ୍କର୍ଷ ଆଜିକାଲି କୋଟିପତିଙ୍କ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି।