Justice Hansraj Khanna :ସେତେବେଳେ ଜଷ୍ଟିସ୍ ହଂସରାଜ ଖାନ୍ନା ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଥିଲେ। ତେବେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ନିଷ୍ପତ୍ତିକୁ ବିରୋଧ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା।
ସଂସଦର ଶୀତକାଳୀନ ଅଧିବେଶନରେ ଶନିବାର ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମ୍ବିଧାନ ଉପରେ ଆଲୋଚନା ହୋଇଥିଲା। ଏହି ସମୟରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ସମ୍ବିଧାନ ବଦଳାଇବାକୁ ଚେଷ୍ଟା କରୁଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଥିଲା। ଏହି ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ଆରମ୍ଭ କଲେ,ସେତେବେଳେ ସେ ଅତୀତରେ କଂଗ୍ରେସ କେମିତି ସମ୍ବିଧାନର ଆତ୍ମର ହତ୍ୟା କରିଛି ସେ କଥା କହିଥିଲେ । ମୋଟାମୋଟିଭାବେ ବିରୋଧୀ ଓ ଶାସକ ଦଳ ମଧ୍ୟରେ କଥା କଟାକଟିରୁ କିଏ ସମ୍ବିଧାନ ପ୍ରତି ବିଶ୍ୱସ୍ତ ତାହାର ପୋଷ୍ଟମର୍ଟମ ହୋଇଥିଲା। ଜଷ୍ଟିସ୍ ହଂସରାଜ ଖାନ୍ନାଙ୍କୁ ଉଦ୍ଦେଶ୍ୟମୂଳକଭାବେ ପ୍ରଧାନ ବିଚାରପତି ହେବାରୁ ରୋକିବା ଘଟଣାକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର ଗୁମର ଖୋଲିଥିଲେ। ଆଜି ଆମେ ଆପଣଙ୍କୁ ଜରୁରୀକାଳୀନ ପରିସ୍ଥିତି ସମୟରେ ଘଟିଥିବା ଏହି ଘଟଣା ବିଷୟରେ ବିସ୍ତୃତ ଭାବେ କହିବୁ।
କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଘନିଷ୍ଠତା ଅଭିଯୋଗ କରି ଆସୁଛନ୍ତି। ଅବସର ପୂର୍ବରୁ ଗଣପତି ପୂଜା ସମୟରେ ପ୍ରଧାନ ବିଚାରପତିଙ୍କ ଘରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଏବଂ ପୂଜାରେ ଯୋଗ ଦେବା ମଧ୍ୟ ଅତ୍ୟନ୍ତ ବିବାଦୀୟ ଥିଲା। କେନ୍ଦ୍ର ସରକାର ନ୍ୟାୟପାଳିକାର କାର୍ଯ୍ୟରେ ସିଧାସଳଖ ହସ୍ତକ୍ଷେପ କରୁଛନ୍ତି, ଯାହା ସମ୍ବିଧାନ ପ୍ରତି ବିପଦ ବୋଲି ବିରୋଧୀ ଦଳମାନେ କହିଛନ୍ତି। ଏଭଳି ପରିସ୍ଥିତିରେ ସଂସଦରେ ଯେତେବେଳେ ସମ୍ବିଧାନ ଉପରେ ଆଲୋଚନା ହୋଇଥିଲା ସେତେବେଳେ ଜରୁରୀକାଳୀନ ପରିସ୍ଥିତି ପରେ ଇନ୍ଦିରା ଗାନ୍ଧୀଙ୍କ ସବୁଠାରୁ ବିବାଦୀୟ ନିଷ୍ପତ୍ତିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ‘ଲଜ୍ଜିତ’ କରିବାର ସୁଯୋଗ ହାତଛଡ଼ା କରିନଥିଲେ।
ଜଷ୍ଟିସ ଖାନ୍ନା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲେ
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ସମୟରେ ‘ଏଡିଏମ୍ ଜବଲପୁର ବନାମ ଶିବକାନ୍ତ ଶୁକ୍ଳା’ ହେବିୟସ୍ କର୍ପସ୍ ପିଟିସନ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଜରୁରୀକାଳୀନ ପରିସ୍ଥିତି ସମୟରେ ନାଗରିକଙ୍କ ମୌଳିକ ଅଧିକାର ଉପରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଏ.ଏନ୍. ରାୟ, ଜଷ୍ଟିସ ଏମ.ଏଚ୍. ବେଗ, ଜଷ୍ଟିସ ୱାଇ.ଭି. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପି.ଏନ୍. ଭଗବତୀ ସରକାରଙ୍କ ସହ ସହମତ ହୋଇଥିଲେ। ସମ୍ବିଧାନରେ ଉପଲବ୍ଧ ଜୀବନ ଓ ସ୍ୱାଧୀନତାର ଅଧିକାର ଭଳି ମୌଳିକ ଅଧିକାର ଜରୁରୀକାଳୀନ ପରିସ୍ଥିତି ସମୟରେ ସମାପ୍ତ ହେଲା ବୋଲି ବିଚାର କରାଯିବା ଉଚିତ, ଏହି ଚାରି ଜଣ ବିଶ୍ୱାସ କରିଥିଲେ। ପଞ୍ଚମ ବିଚାରପତି ଜଷ୍ଟିସ୍ ହଂସ ରାଜ ଖାନ୍ନା ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ୪-୧ ସଂଖ୍ୟାଗରିଷ୍ଠତା ସହ ଇନ୍ଦିରା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଥିଲା।
କନିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତିଭାବେ ନିଯୁକ୍ତ କଲେ ଇନ୍ଦିରା ଗାନ୍ଧୀ
ଦୀର୍ଘ ୨୧ ମାସ ପରେ ଦେଶରୁ ଜରୁରୀକାଳୀନ ପରିସ୍ଥିତି ହଟିଥିଲା। ଏହାର ୯ ମାସ ପରେ ଦେଶକୁ ନୂଆ ସିଜେଆଇ ମିଳିବାକୁ ଯାଉଥିଲା। ପରମ୍ପରା ଅନୁଯାୟୀ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥାଏ। ସେତେବେଳେ ଜଷ୍ଟିସ୍ ହଂସରାଜ ଖାନ୍ନା ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଥିଲେ। ତେବେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ନିଷ୍ପତ୍ତିକୁ ବିରୋଧ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା। ଜଷ୍ଟିସ ଖାନ୍ନାଙ୍କୁ ପ୍ରଧାନ ବିଚାରପତିଭାବେ ନିଯୁକ୍ତି ପାଇଁ ଇନ୍ଦିରା ଗାନ୍ଧି ଫାଇଲରେ ଦସ୍ତଖତ କରିନଥିଲେ। ତାଙ୍କ ସ୍ଥାନରେ କନିଷ୍ଠ ବିଚାରପତି ଜଷ୍ଟିସ୍ ଏମ୍.ଏଚ୍. ବେଗଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା। ଇନ୍ଦିରା ଗାନ୍ଧିଙ୍କ ଏହି ନିଷ୍ପତ୍ତିରେ କ୍ରୋଧିତ ହୋଇ ଜଷ୍ଟିସ ଖାନ୍ନା ତୁରନ୍ତ ଇସ୍ତଫା ଦେଇଥିଲେ।
Also readhttps://purvapaksa.com/when-did-home-registration-begin-in-india/
