Records: ହ୍ୟାରି ବ୍ରୁକ୍ ବିଦେଶରେ ଖେଳିଥିବା ପ୍ରଥମ ୧୦ଟି ଟେଷ୍ଟରେ ୭ଟି ଶତକ ହାସଲ କରି ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କ ଭଳି ବିଦେଶରେ ଆଉ କେହି ଏଭଳି ସଫଳତା ପାଇଛନ୍ତି ?
ଗତ ସପ୍ତାହରେ ନ୍ୟୁଜିଲାଣ୍ଡ ବିପକ୍ଷ ବେସିନ୍ ରିଜର୍ଭରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡର ମଧ୍ୟ କ୍ରମ ବ୍ୟାଟର ହ୍ୟାରି ବ୍ରୁକ୍ ୧୨୩ ରନର ଇନିଂସ ଖେଳିଥିଲେ। ବିଦେଶରେ ଏହା ଥିଲା ତାଙ୍କର ସପ୍ତମ ଶତକ। ବିଦେଶ ଗ୍ରାଉଣ୍ଡରେ ସେ ମାତ୍ର ୧୦ଟି ଟେଷ୍ଟ ଖେଳି ୭ଟି ଶତକ ଅର୍ଜନ କରିସାରିଛନ୍ତି।
ବିଦେଶରେ ପ୍ରଥମ ୧୦ଟି ଟେଷ୍ଟରେ ସର୍ବାଧିକ ଶତକ ରେକର୍ଡ ରହିଥିଲା କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ବ୍ୟାଟର ସାର ଡନ ବ୍ରାଡମ୍ୟାନଙ୍କ ନାମରେ। ସେ ୧୯୩୪ରେ ବିଦେଶରେ ୧୦ଟି ଟେଷ୍ଟରୁ ୬ଟି ଶତକ ଅର୍ଜନ କରିଥିଲେ। ପରେ ତାଙ୍କ ସହ ଯୋଡ଼ି ହୋଇଥିଲେ ଅଷ୍ଟ୍ରେଲିଆର ନିଲ ହାର୍ଭେ, ଇଂଲଣ୍ଡର କେନ ବାରିଂଟନ ଓ କ୍ରିସ ବ୍ରଡ। ସମସ୍ତ ବ୍ୟାଟର ବିଦେଶରେ ଖେଳିଥିବା ପ୍ରଥମ ୧୦ଟି ଟେଷ୍ଟରେ ୬ଟି ଲେଖାଏଁ ଶତକ ଅର୍ଜନ କରିଥିଲେ।
ବ୍ରୁକ ଏହି ସବୁ ମହାନ ବ୍ୟାଟରଙ୍କ ରେକର୍ଡ ଭଙ୍ଗ କରିଥିଲେ। ମାତ୍ର ବିଦେଶରେ ପ୍ରଥମ ୧୦ଟି ଟେଷ୍ଟରୁ ସର୍ବାଧିକ ରନ୍ ରେକର୍ଡ ଏବେବି ବ୍ରାଡମ୍ୟାନଙ୍କ ନାମରେ ରହିଛି। ସେ ୧୭୩୨ ରନ୍ ସଂଗ୍ରହ କରିଛନ୍ତି। ବ୍ରୁକ୍ ଇତି ମଧ୍ୟରେ ୧୫୧୯ ରନ୍ ସଂଗ୍ରହ କରିସାରିଲେଣି। ଇଂଲଣ୍ଡ ପକ୍ଷରୁ ବିଦେଶରେ ପ୍ରଥମ ୧୦ଟି ଟେଷ୍ଟରୁ ସର୍ବାଧିକ ରନ୍ ରେକର୍ଡ ୱାଲି ହାମଣ୍ଡଙ୍କ ନାମରେ ରହିଥିଲା। ସେ ୧୨୨୬ ରନ୍ ସଂଗ୍ରହ କରିଥିଲେ। ବ୍ରୁକ୍ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୱେଷ୍ଟ ଇଣ୍ଡିଜ୍ର ଏଭରଟନ ୱିକିସ ୧୨୨୨ରନ, ଇଂଲଣ୍ଡର ହର୍ବର୍ଟ ସଟକ୍ଲିଫ ୧୧୫୨ ରନ୍ ସଂଗ୍ରହ କରିଛନ୍ତି।
ଠିକ୍ ସେହିପରି ବିଦେଶରେ ଖେଳିଥିବା ପ୍ରଥମ ୧୦ଟି ଟେଷ୍ଟରୁ ସର୍ବାଧିକ ୱିକେଟ୍ ରେକର୍ଡ ଇଂଲଣ୍ଡର ଜର୍ଜ ଲୋହମାନଙ୍କ ନାମରେ ରହିଛି। ସେ ୭୬ଟି ୱିକେଟ ନେଇଛନ୍ତି। ୱେଷ୍ଟ ଇଣ୍ଡିଜ୍ର ଆଲ୍ଫ ଭାଲେଣ୍ଟାଇନ ଓ ଆଣ୍ଡି ରୋବୋର୍ଟସ ୬୨ଟି ଲେଖାଏଁ ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ୱେଷ୍ଟ ଇଣ୍ଡିଜ ଖେଳାଳି ୱେସ ହଲ ଓ ପାକିସ୍ତାନର ମହମ୍ମଦ ଆସିଫ ବିଦେଶରେ ଖେଳିଥିବା ପ୍ରଥମ ୧୦ଟି ଟେଷ୍ଟରେ ୬୦ଟି ଲେଖାଏଁ ୱିକେଟ ନେଇଛନ୍ତି।
previous article:https://purvapaksa.com/zak-crawley-hit-a-six-in-the-first-over-of-the-wellington-test-how-often-has-this-happened-in-tests/