ରାଜ୍ୟରେ ବିଜୁ ଜନତା ଦଳର ନବୀନ ପଟ୍ଟନାୟକଙ୍କୁ ନିରଙ୍କୁଶ କ୍ଷମତା ପ୍ରଦାନ କରି ରାଜ୍ୟର ଶାସନ କ୍ଷମତାରେ ରହିବା ପାଇଁ ୨୪ ବର୍ଷ ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର କେବଳ ଅମଲାଙ୍କ ଉପରେ ନିର୍ଭର କରି ଶାସନ ଚଳାଇବାରୁ ରାଜ୍ୟର ୮ହଜାରରୁ ଅଧିକ ଗାଁରେ ସଡକ ଯୋଜନା ପହଞ୍ଚି ପାରିନାହିଁ । ଏହି ଗାଁ’ଗୁଡ଼ିକ ବିଭିନ୍ନ ସଡ଼କ ଯୋଜନାରେ ସାମିଲ ଲାଗି ଯୋଗ୍ୟ ବିବେଚିତ ହୋଇନଥିବାରୁ ଏଠାକୁ ସଡ଼କ ସଂଯୋଗ ହୋଇପାରିନଥିବା କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ।
ରାଜ୍ୟରେ ଗାଁ’ଗୁଡ଼ିକୁ ସଡ଼କ ସଂଯୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସର୍ବଶେଷ ଜନଗଣନାକୁ ଭିତ୍ତିକରି ୨୦୧୭-୧୮ ମସିହାରେ ଜିଲ୍ଲା ଗ୍ରାମ୍ୟ ସଡ଼କ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଯୋଜନା ଅନୁସାରେ ରାଜ୍ୟରେ ୫୯,୯୭୧ଟି ଗ୍ରାମ ରହିଥିଲା । ସେଥି ମଧ୍ୟରୁ ୫୧,୬୭୧ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ପର୍ଯ୍ୟାୟକ୍ରମେ ସଂଯୋଗୀକରଣ କରାଯାଇଥିଲା ।
ଜିଲ୍ଲା | ଗ୍ରାମସଂଖ୍ୟା |
କୋରାପୁଟର | ୧୩୭୪ |
ରାୟଗଡ଼ା | ୧୦୯୯ |
ନବରଙ୍ଗପୁର | ୬୪୧ |
କଳାହାଣ୍ଡି | ୫୭୪ |
ମାଲକାନଗିରି | ୪୩୯ |
ମୟୁରଭଞ୍ଜ | ୪୩୮ |
କନ୍ଧମାଳ | ୪୨୬ |
ସମ୍ବଲପୁର | ୩୯୩ |
କଟକ | ୨୧ |
ଜଗତ୍ସିଂହପୁର | ୧୮ |
ଖୋରଧା | ୫୧ |
ପୁରୀ | ୧୮ |
ଯାଜପୁର | ୧୮ |
ଝାରସୁଗୁଡ଼ା | ୩୪ |
ହେଲେ ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇନଥିବାରୁ ୮୩୦୦ଟି ଗ୍ରାମକୁ ସଂଯୋଗୀକରଣ କରାଯାଇ ନାହିଁ । ଏହିସବୁ ଗ୍ରାମ ମଧ୍ୟରେ କୋରାପୁଟର ସର୍ବାଧିକ ୧୩୭୪ଟି ଗ୍ରାମ ଥିବାବେଳେ ରାୟଗଡ଼ାର ୧୦୯୯ଟି ଗ୍ରାମ ରହିଛି। ସେହିଭଳି ନବରଙ୍ଗପୁର ଜିଲ୍ଲାର ୬୪୧, କଳାହାଣ୍ଡିର ୫୭୪, ମାଲକାନଗିରିର ୪୩୯, ମୟୁରଭଞ୍ଜର ୪୩୮, କନ୍ଧମାଳର ୪୨୬, ସମ୍ବଲପୁରର ୩୯୩ଟି ଗ୍ରାମ ରହିଛି ।
ସଡକ ସଂଯୋଗୀକରଣରୁ ଦୂରେ ଥିବା ଗ୍ରାମ ମଧ୍ୟରୁ ସଂଖ୍ୟାଧିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବାବେଳେ ଉପକୂଳ ଜିଲ୍ଲାରେ ସଂଯୋଗୀକରଣ ନଥିବା ଗ୍ରାମସଂଖ୍ୟା ଆଶାତୀତ ଭାବେ କମ୍ ରହିଛି । ତଥାପି ଏବେ ବି କଟକ ଜିଲ୍ଲାରେ ୨୧ଟି ଗ୍ରାମକୁ ସଡକ ସଂଯୋଗ ହୋଇପାରିନଥିବାବେଳେ ଜଗତ୍ସିଂହପୁରରେ ଏହି ସଂଖ୍ୟା ୧୮, ଖୋରଧାରେ ୫୧, ପୁରୀରେ ୧୮, ଯାଜପୁରରେ ୧୮, ଝାରସୁଗୁଡ଼ାରେ ୩୪ ରହିଛି ।
ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ନିୟମାବଳୀ ପ୍ରକାଶ ପାଇନାହିଁ । ବିସ୍ତୃତ ନିୟମାବଳୀ ପ୍ରକାଶ ପାଇବାପରେ ଯୋଗ୍ୟ ବିବେଚିତ ହୋଇଥିବା ଗ୍ରାମଗୁଡ଼ିକୁ ସଂଯୋଗୀକରଣ କରିବାପାଇଁ ପଦକ୍ଷେପ ନିଆଯିବ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମୋଟ୍ ୧୨୨୬ଟି ଗ୍ରାମକୁ ସଡ଼କ ସଂଯୋଗୀକରଣ କରିବାପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ।
ଏହି ତାଲିକାରୁ ଦୁଇଟି ଗ୍ରାମକୁ ବାଦ ଦେଲେ ଅନ୍ୟ ସମସ୍ତ ୧୨୨୪ଟି ଗ୍ରାମକୁ ସଡ଼କ ସଂଯୋଗ କରାଯାଇଛି । ଏହି ଦୁଇଟି ଗ୍ରାମ ମଧ୍ୟରେ ମାଲିକାନଗିରି ଓ ମୟୁରଭଞ୍ଜର ଗୋଟିଏ କରି ଗାଁ ରହିଛି । ଏହି ଦୁଇଟି ଗ୍ରାମକୁ ଏବେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହାକୁ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।
Also readhttps://purvapaksa.com/it-raids-on-mining-companies-from-cag-report/
