Odisha Assembly : ୫ ମାସ ମଧ୍ୟରେ ରାଜ୍ୟରେ ମଲେଣି ୪୦ଟି ହାତୀ, ୫ କଲରାପତରିଆ, ଅନ୍ୟ ୨୦୦ ବନ୍ୟପ୍ରାଣୀ ମୃତ
ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ଆକ୍ରମଣରେ ୬୬୮ ଓ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି । ଗୃହରେ ବିଜଦ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୫୦୯ ଜଣ ଆହତ ହୋଇଛନ୍ତି । କେବଳ ୨୦୨୨ରୁ ୨୦୨୩ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୧୪୯ ଜଣ ପ୍ରାଣ ହରାଇଛନ୍ତି ।
ଏହି ସମୟ ମଧ୍ୟରେ ହାତୀପଲ ୭୩,୬୨୦ ଏକର ଫସଲ ନଷ୍ଟ କରିବା ସହ ୧୦,୨୫୯ ଟି ଘର ନଷ୍ଟ କରିଥିବାରୁ ହାତୀଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବିଶୃଙ୍ଖଳା ସମସ୍ୟା ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ ।
ବିଜଦ ବିଧାୟକ ତୁଷାରକାନ୍ତି ବେହେରାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ପହିଲାରୁ ନଭେମ୍ବର ୨୦ ମଧ୍ୟରେ ରାଜ୍ୟରେ ୪୦ଟି ହାତୀ, ୫ଟି କଲରାପତରିଆ ବାଘ ଓ ୨୦୦ଟି ବନ୍ୟପ୍ରାଣୀ ପ୍ରଜାତିର ପ୍ରାଣ ହରାଇଛନ୍ତି ।
ହାତୀ ଓ ଚିତାବାଘ ମୃତ୍ୟୁ ଘଟଣାରେ ବିଭାଗୀୟ ତଦନ୍ତ କରାଯାଇଛି । ହାତୀ ମୃତ୍ୟୁ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ ଜଣ ରେଷ୍ଟଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ରାଜ୍ୟରେ ଚିତାବାଘ ମୃତ୍ୟୁ ଘଟଣାରେ ୧୪ ଜଣଙ୍କୁ ଗିର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ହାତୀ ଓ ଚିତାବାଘ ମୃତ୍ୟୁକୁ ରୋକିବା ପାଇଁ ଆବାସସ୍ଥଳୀର ସୁରକ୍ଷା ଓ ଉନ୍ନତିକରଣ, ବୃକ୍ଷରୋପଣ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ସୁରକ୍ଷା, ଶିକାର ନିରୋଧୀ ଶିବିର, ପକ୍ଷୀ ସୁରକ୍ଷା ଶିବିର, ଜଙ୍ଗଲ ପାଟ୍ରୋଲିଂ, ବନ୍ୟଜନ୍ତୁ ଓ ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବା, ଶିକାର ନିବାରଣ, ଶିକାର ନିରୋଧୀ ସ୍କ୍ୱାଡ୍ ମୁତୟନ ଓ ଜନସଚେତନତା ଭଳି ସ୍ୱତନ୍ତ୍ର ପଦକ୍ଷେ ନିଆଯାଉଛ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତିି ।
ରାଜ୍ୟରେ ଶୀତକାଳୀନ ହାତୀ ଗଣନା ଶେଷ ହୋଇଛି । ବୁଧବାର ଦିନ ହାତୀ ଗଣନାର ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେଭଳି କୌଣସି ହାତୀ ଦୁଇଥର ଗଣତି ନ ହୁଏ ସେଥିପାଇଁ ଫିଲ୍ଡ ତଥ୍ୟର ତାଳମେଳ ସହ ଜିପିଏସ୍ କୋର୍ଡିନେଟ କରାଯାଉଛି । ଖରାଦିନେ ହୋଇଥିବା ଗଣନାବେଳେ ଯେଉଁ ହାତୀଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି । ଏହାପରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି ସେନେଇ ସଠିକ ତଥ୍ୟ ଆସିପାରିବ । ଗତଥର ଗଣନାରେ ଓଡ଼ିଶାରେ ୨ହଜାର ୯୮ଟି ହାତୀ ଥିବା ଜଣାପଡ଼ିଥିଲା।