Mo School Abhiyan: ନବୀନ ପଟ୍ଟନାୟକଙ୍କ ସରକାରର ସର୍ବେସର୍ବା ପାଲଟିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ କାମ କେବଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ଦିଷ୍ଟ ଥିଲା, ତାହାର ଗୁମର ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି।
ଶୁକ୍ରବାର ଦିନ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିଧ୍ୟାୟମାନଙ୍କରେ ଶୌଚାଳୟ ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୂର୍ବରୁ ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସରକାରର ରଙ୍ଗମରା କାମ ଓ ତାଙ୍କଠାରୁ ରାଜୀତି ଶିକ୍ଷାଲାଭ କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଣିତ ମୋ ସ୍କୁଲ ଅଭିଯାନର ବିଫଳତାକୁ ବିଧାନସଭାରେ ବଖାଣିଛନ୍ତି।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଓଡ଼ିଶାର ୫୫୨ଟି ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ପୃଥକ୍ ଶୌଚାଳୟ ବ୍ୟବସ୍ଥା ନାହିଁ। ଏଥିରେ ରାଜ୍ୟର ୪୧୨ଟି ପ୍ରାଥମିକ ବିଦ୍ୟାଳୟ, ୧୧୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨୫ଟି ହାଇସ୍କୁଲ ରହିଛି।
ରାଜ୍ୟରେ ବିଜେପି ସରକାର ମାତ୍ର ୧୦ମାସ ହେଲା କ୍ଷମତାକୁ ଆସିଛି। ତେଣୁ ଏଥିପାଇଁ ବିଜେପି ସରକାରକୁ ଦାୟୀ କରିହେବ ନାହିଁ। ବିଗତ ୨୪ ବର୍ଷ ଧରି କ୍ଷମତାରେ ନବୀନ ପଟନାୟକ ସରକାର ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ପୃଥକ୍ ଶୌଚାଳୟ ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦେଇନଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ଫଷ୍ଟ ହୋଇଛି।
ନବୀନଙ୍କ ଏକାନ୍ତ ଅନୁଗତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଗତ ନିର୍ବାଚନ ପୂର୍ବରୁ ପାର୍ଟି ଫଣ୍ଡ ସଂଗ୍ରହ କରିବା ପାଇଁ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ ବୋଲି ଅଭିଯୋଗ ହୁଏ। ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରତ୍ୟେକ ସ୍କୁଲର ରୂପାନ୍ତରୀକରଣ ନାମରେ ୫୦ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ରାଜକୋଷରୁ ଖର୍ଚ୍ଚ କରିଥିବା ବିଜେଡି ସରକାର ତଥ୍ୟ ପ୍ରଦାନ କରିଥିଲା।
କିନ୍ତୁ ବାସ୍ତବ କଥା ହେଲା ସ୍କୁଲ ରୂପାନ୍ତରୀକରଣ ନାମରେ ସରକାରୀ କଳ ଓ ଦଳ ସରକାରୀ ଅର୍ଥକୁ ହରିଲୁଟ୍ କରିଛନ୍ତି। ସ୍କୁଲ କାନ୍ଥରେ କେବଳ ହାଲୁକା ରଙ୍ଗ ମାରି କୋଟି କୋଟି ଟଙ୍କାର ବିଲ୍ ହୋଇଥିବା ଏହାର ଉଦ୍ଘାଟନୀ ସମୟରେ ସରକାର ପ୍ରଚାର ଉଦ୍ଦେଶ୍ୟରେ ତଥ୍ୟ ପ୍ରଦାନ କରିଥିଲେ।
ଯଦି ସତରେ ସ୍କୁଲ ରୂପାନ୍ତରୀକରଣ କାମ ହୋଇଥା’ନ୍ତା ତେବେ ୫୫୨ଟି ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ପୃଥକ୍ ଶୌଚାଳୟ ବ୍ୟବସ୍ଥା ନିଶ୍ଚିତ ହୋଇଥା’ନ୍ତା ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ବିଜେପି କ୍ଷମତାକୁ ଆସିବା ପରେ ବିଧାନସଭାର ୩ୟ ଅଧିବେଶନ ଆରମ୍ଭ ହୋଇଛି। ପ୍ରତ୍ୟେକଟି ଅଧିବେଶନରେ ବିଜେଡି ବିଧାୟକମାନେ ବିଜେପିର ମୋହନ ସରକାରକୁ ଅକଳରେ ପକାଇବା ପାଇଁ ଯେତେ ଅପଚେଷ୍ଠା କରୁଛନ୍ତି ତାହା କାମ କରୁନାହିଁ। ବରଂ ସେମାନଙ୍କ ପ୍ରଶ୍ନ ବିରୋଧୀଦଳ ନେତା ନବୀନ ପଟନାୟକ ଓ ତାଙ୍କ ଏକାନ୍ତ ଅନୁଗତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।
ତେଣୁ ବିଜେଡି ବିଧାୟକମାନେ ବିଜେପି ସରକାରକୁ ଅଡ଼ୁଆରେ ପକାଇବା ପାଇଁ ପ୍ରଶ୍ନ ପଚାରିବା ପୂର୍ବରୁ ଶହେ ଥର ଚିନ୍ତା କରିବା ଆବଶ୍ୟକ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ରୟାସ ସମ୍ପର୍କରେ ଗୋଣ୍ଡ କହିଛନ୍ତି ଯେ ପ୍ରତିବର୍ଷ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ଜରିଆରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରଦାନ କରାଯାଏ। ଅନୁମୋଦନ ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ବାଳିକାମାନଙ୍କ ପାଇଁ ୭୨୪ଟି ଶୌଚାଳୟ ନିର୍ମାଣ ପାଇଁ ୨୦୨୪-୨୫ରେ ୩୫୪୦.୩୬ ଲକ୍ଷ ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ଏହି ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ଏହାବ୍ୟତୀତ ବିଦ୍ୟମାନ ଶୌଚାଳୟଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଉପଯୋଗୀତା ସୁନିଶ୍ଚିତ କରିବା ପାଇଁ ଏସ୍ଏସ୍ଏ ଅଧୀନରେ ପ୍ରଦାନ କରାଯାଇଥିବା କମ୍ପୋଜିଟ୍ ଗ୍ରାଣ୍ଟକୁ ବ୍ୟବହାର କରିବାକୁ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଶିକ୍ଷାର କଳାପାହାଡ଼ମାନଙ୍କ ମୁଖା ଖୋଲିଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
