ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ । କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟରେ ୨୦୨୫-୨୬ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରପାଇଁ ୩୭,୮୩୮ କୋଟି ଟଙ୍କା କୃଷି ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ପୂର୍ବ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ। ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ୧୪,୭୦୧ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି ବ୍ୟୟବରାଦ ହୋଇଛି। କୃଷକମାନଙ୍କୁ ଠିକ୍ ସମୟରେ ଆର୍ଥିକ ସହାୟତା ଏବଂ ଇନପୁଟ୍ ସହାୟତା ପାଇଁ ସିଏମ୍-କିଷାନ ଅଧୀନରେ ୨୦୨୫-୨୬ ବର୍ଷ ପାଇଁ ୨୦୨୦ କୋଟି ଟଙ୍କା, ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଅଣଧାନ ଫସଲ ପାଇଁ ୬୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଆଳୁରେ ଆତ୍ମ ନିର୍ଭର ଯୋଜନା
ଚଳିତ ବର୍ଷ ଆଳୁ ଚାଷ ପାଇଁ ୧.୮୦ ଲକ୍ଷ କୃଷକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ରବି ଋତୁରେ ୧.୬୦ ଲକ୍ଷ କୁଇଣ୍ଟାଲ ସାର୍ଟିଫାଏଡ୍ ବିହନ ଆଳୁ ଯୋଗାଣ କରାଯାଇଛି।
ଶ୍ରୀ ଅନ୍ନ ଅଭିଯାନ
ଶ୍ରୀ ଅନ୍ନ ଅଭିଯାନ’ରେ ସମସ୍ତ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ବିସ୍ତାର କରାଯାଇଛି। ଆମ ସରକାର ଚଳିତ ବର୍ଷ କ୍ୱିଣ୍ଟାଲ ପିଛା ୪୨୯୦ ଟଙ୍କା ଏମଏସପିକୁ କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା ଅତିରିକ୍ତ ବଜେଟ୍ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଫଳରେ ମାଣ୍ଡିଆର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୪୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ୬୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।
ଶୀତଳ ଭଣ୍ଡାର
ଶୀତଳ ଭଣ୍ଡାରର କରୁଥିବା ଘରୋଇ ଉଦ୍ୟୋଗୀମାନଙ୍କୁ ୭ ବର୍ଷ ପାଇଁ ମୋଟ୍ ବିଜୁଳି ବିଲ୍ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ନିବେଶ ସବସିଡି ଏବଂ ୫୦ ପ୍ରତିଶତ ଶୁଳ୍କ ସବସିଡି ସୁନିଶ୍ଚିତ କରାଯାଇଛି। ଏ ବାବଦରେ ୨୫୨ କୋଟି ଟଙ୍କାର ପ୍ରତିଶ୍ରୁତି ଦେଇଛୁ। ଏହି ଯୋଜନାରେ ରାଜ୍ୟର ସମସ୍ତ ୫୮ଟି ସବ୍ ଡିଭିଜନରେ ନୂତନ ଶୀତଳ ଭଣ୍ଡାର ୟୁନିଟ୍ ନିର୍ମାଣ ସହ ଅଚଳ ଥିବା ଉପଖଣ୍ଡଗୁଡ଼ିକର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦିଆଯାଇଛି।
କୃଷି ଉଦ୍ୟୋଗ
କୃଷି ଯାନ୍ତ୍ରିକକରଣ ଓ କୃଷି ଉଦ୍ୟୋଗ ଯୋଜନାରେ ୪୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା ଅଧୀନରେ କୃଷି ଉଦ୍ୟୋଗର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମକେୟୁୱାଇ) ଯୋଜନା ପାଇଁ ୨୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୃଷିକ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ପାଇଁ ଓୟୁଏଟି ପାଇଁ ୫୧୧ କୋଟି ଟଙ୍କା ପ୍ରଦାନ କରାଯିବ।
୧,୦୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ସମର୍ଥନ କରାଯିବ, ଯାହାଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅତି କମରେ ୩ ଲକ୍ଷ କୃଷକ ଉପକୃତ ହେବେ। ଏହି କାର୍ଯ୍ୟକ୍ରମ ପାଇଁ ୭୪ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ରାଜ୍ୟରେ ୨୦୨୯-୩୦ ସୁଦ୍ଧା ଜଳସେଚନ କ୍ଷମତା ୧୫ ଲକ୍ଷ ହେକ୍ଟର ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ଜଳସମ୍ପଦ ବିଭାଗର ଆବଣ୍ଟନ ୨୦୨୪-୨୫ରେ ୧୩,୨୭୨ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୧୨% ବୃଦ୍ଧି ସହ ୧୪,୮୯୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
ଚଳିତ ବର୍ଷ ବଜେଟରେ ବ୍ୟାପକ ବନ୍ୟା ପରିଚାଳନା ପାଇଁ ୩୮୬ କୋଟି ଟଙ୍କାର ପ୍ରସ୍ତାବ ରହିଛି। ହୀରାକୁଦ ଡ୍ୟାମ୍ ପ୍ରକଳ୍ପର କେନାଲ ବ୍ୟବସ୍ଥାର ନବୀକରଣ ପାଇଁ ନାମରେ ୮୫୦ କୋଟି ଟଙ୍କା, ଉନ୍ନତ କଂକ୍ରିଟ ଲାଇନି ପାଇଁ ୨୦୨୪-୨୫ରୁ ୨୦୨୫-୨୬ ପର୍ଯ୍ୟନ୍ତ ୨୦୦ଟି ଫିଲ୍ଡ ଚ୍ୟାନେଲ ହାତକୁ ନିଆଯାଉଛି। ଏଥିପାଇଁ ଚଳିତ ବର୍ଷ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଡ୍ୟାମ ସୁରକ୍ଷା ଏବଂ ଉନ୍ନତି କାର୍ଯ୍ୟ ଯୋଜନା ଅଧୀନରେ ୫୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
୧୯୦୦୦ ୠଭୀର ନଳକୂପ ଏବଂ ୧୬୩୦ କମ୍ୟୁନିଟି ଲିଫ୍ଟ ପଏଣ୍ଟ ପାଇଁ ୧୧୫୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ଏହାବ୍ୟତୀତ ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଯୋଜନା ଅଧୀନରେ ୧୯୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ୧୩୧୮ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି। ଇନ-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ଯୋଜନା ଅଧୀନରେ ୮୮୦ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆଦିବନ୍ଧ ତିଆରି ଯୋଜନାରେ ୩୫୦ କୋଟି ଟଙ୍କାର ପ୍ରସ୍ତାବିତ ବଜେଟ୍ ବ୍ୟବସ୍ଥା ସହିତ ପ୍ରାୟ ୧୦,୦୦୦ହେକ୍ଟର ଆୟକଟ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି।
ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ୧୬୦ଟି କେଏମ୍ ଲାଇନିଂ ପାଇଁ ୪୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ନବକୃଷ୍ଣ ଚୌଧୁରୀ ସେଚା ଉନ୍ନୟନ ଯୋଜନା ଅଧୀନରେ ୨୪୦ କୋଟି ଟଙ୍କା ଏବଂ କମାଣ୍ଡ ଏରିଆ ଡେଭଲପମେଣ୍ଟ ଆଣ୍ଡ ୱାଟର ମ୍ୟାନେଜମେଣ୍ଟ ଅଧୀନରେ ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ବାଲେଶ୍ୱର ଜିଲ୍ଲାରେ ୭୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ୧୯୩ କିଲୋମିଟର ଲମ୍ବର ଲୁଣିଆ ବନ୍ଧକୁ ସୁଦୃଢ଼ କରାଯିବ। ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରେ ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଏଣ୍ଟ୍ ଲୁଣିଆ ବନ୍ଧ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
କେନାଲ ମରାମତି, ନବୀକରଣ ଓ ପୁନରୁଦ୍ଧାର ପାଇଁ ୫୩୯ କୋଟି ଟଙ୍କା ବ୍ୟୟଅଟକଳରେ ୫୭୪ଟି ପ୍ରକଳ୍ପର ମରାମତି, ନବୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ଏଥିପାଇଁ ୨୦୨୫-୨୬ ରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। କଟକ ପେଟାନାଲାର ମରାମତି, ଗଞ୍ଜାମର ବାହାନନାଳା ଓ ବାହାଲନାଲାର ନଦୀ ମୁହାଣ ସଫା କରିବା ସହ ବାଲେଶ୍ୱରରେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପାଇଁ ଅଧୀନରେ ୩୬୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି।
ରିଅଲ ଟାଇମ୍ ଏମଆଇଏସ ଏବଂ ଡ୍ୟାସବୋର୍ଡ ସହିତ ପ୍ରକଳ୍ପ ମନିଟରିଂ ଏବଂ କେନାଲ ପରିଚାଳନାପାଇଁ ୨୦୨୫-୨୬ ରେ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧୯୦୯ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ମତ୍ସ୍ୟ ଚାଷ ଭିତ୍ତିଭୂମି ବିକାଶ ପାଇଁ ୨୦୨୫-୨୬ରେ ୧୪୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୪୫ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୪୬ କୋଟ, ମୁଖ୍ୟମନ୍ତ୍ରୀ ପ୍ରଣୀ କଲ୍ୟାଣ ଯୋଜନା ପାଇଁ ୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ସମଗ୍ର ରାଜ୍ୟରେ ୧୦୦ଟି ଆଦର୍ଶ ମଣ୍ଡି ପ୍ରତିଷ୍ଠା କରିବାକୁ ସମବାୟ ବିଭାଗ ପାଇଁ ୨୨୭୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କୃଷକମାନଙ୍କୁ ଫସଲ ଋଣ ପ୍ରଦାନ ପାଇଁ ସୁଧ ଛାଡ଼ ବାବଦରେ ୯୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୫୦ କୋଟି ଟଙ୍କା, ଅଫିସ କୋଠା ଓ ଗୋଦାମ ନିର୍ମାଣ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଚାଷୀମାନଙ୍କୁ ଋଣ ବୃଦ୍ଧି ନିମନ୍ତେ ଇକ୍ୱିଟି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ୧୫୦ କୋଟି ଟଙ୍କାର ଅଂଶଧନ ପୁଞ୍ଜି ସହାୟତା ପ୍ରଦାନ କରିବେ।
ମୋହନ ସରକାର ଆସିବା ପରେ ହସ୍ପିଟାଲରେ କେତେ ମହିଳାଙ୍କୁ ହୋଇଛି ନିର୍ଯାତନା?