ଆଜି ଦିଲ୍ଲୀର ଯଶୋଭୂମିରେ ଓଡ଼ିଶା ଏହାର ଯଶବାନା ଉଡ଼ାଇଛି। ସ୍ୱଳ୍ପକୁ ସୁଖର ଆଧାର ବୋଲି ଗ୍ରହଣ କରିଥିବା ଓଡ଼ିଶା ଯେ ସୁଯୋଗ ଆସିଲେ ସାରା ଭାରତକୁ ଚକିତ କରିଦିଏ ତାହାକୁ ସ୍ପଷ୍ଟ କରିଦେଇଛି। ଓଡ଼ିଶା ଗରିବ ହେଲେ ବି ଉନ୍ନତ ଚିନ୍ତା କରେ ଆଉ ଦେଶର ହାତଗଣତି ପ୍ରତିଭାଙ୍କ ଭିତରେ ନିଜକୁ ପ୍ରତିଷ୍ଠିତ କରିପାରେ ତାହାକୁ ପ୍ରତିପାଦିତ କରିଛି। ଯାହାର ନିଦର୍ଶନ ହୋଇଛି ପ୍ରଥମ ଭାରତ ତିଆରି ସେମିକଣ୍ଡକ୍ଟର ଚିପରେ ଓଡ଼ିଶାର ନାଁ। ଆଜି ସଗର୍ବେ ପ୍ରଧାନମନ୍ତ୍ରୀଙ୍କୁ ଏହି ତିନିଟି ଚିପ୍କୁ ହସ୍ତାନ୍ତର କରାଯାଇଛି ଆଗାମୀ ଦିନରେ ବିଶ୍ୱକୁ ନିୟନ୍ତ୍ରଣ ପାଇଁ।
୧୯୭୦ ଏବଂ ୮୦ ଦଶକରେ ଭାରତର ଟେଲିଭିଜନ୍ ଇଣ୍ଡଷ୍ଟ୍ରୀରେ ଓଡ଼ିଶା ଏକ ବଡ଼ ନାଁ ଥିଲା। ମଞ୍ଚେଶ୍ୱରରେ ନିର୍ମାଣ କରାଯାଉଥିବା କୋଣାର୍କ ଟେଲିଭିଜନ୍କୁ କିଣିବା ପାଇଁ ଭାରତୀୟ ବଜାର ଉତ୍ସୁକତାର ସହ ଅନାଇ ବସୁଥିଲା। ପ୍ରାୟ ଦୁଇ ଦଶନ୍ଧି ଧରି ଉଭୟ କଳା ଧଳା ଓ ରଙ୍ଗୀନ ଟିଭି ବଜାରରେ ବେଶ୍ ନାଁ କରିଥିଲା ଏହି ସରକାରୀ ଟିଭି କମ୍ପାନୀ କୋଣାର୍କ ଟିଭି। କିନ୍ତୁ ୯୦ ଦଶକରେ ରାହୁ ପରି ଏ ଇଣ୍ଡଷ୍ଟ୍ରୀକୁ ଗ୍ରାସିଲା ଏଲ୍ସିଡି, ଏଲ୍ଇଡି ବା ଚଉଡ଼ା ମନିଟର। ଏଥିରେ ବ୍ୟବହାର ହେଉଥିବା ସେମିକଣ୍ଡକ୍ଟର ନା ଭାରତରେ ଉତ୍ପାଦନ ହେଉଥିଲା ନା ଏହାର ଟେକ୍ନୋଲୋଜି ଆମଦାନୀ କରିବାକୁ ଆମର ସରକାର ସେତେବେଳେ ଚାହିଁଥିଲେ। ବରଂ ବିଦେଶୀ ଟିଭି କମ୍ପାନୀଙ୍କୁ ଏଠାରେ ବିକ୍ରି କରିବା ପାଇଁ ବ୍ୟାପକ ସୁଯୋଗ ଉନ୍ମୁକ୍ତ କଲେ ଭାରତ ସରକାର। ଫଳରେ କୋଣାର୍କ ଟିଭି ପରି ଅନେକ ଇଣ୍ଡଷ୍ଟ୍ରୀ ମାଟିରେ ମିଶିଗଲେ। ଆମେ ବିଦେଶୀ କମ୍ପାନୀଙ୍କ ଉପରେ ନିର୍ଭର କରିବା ଆରମ୍ଭ କଲୁ। ଆଜିଯାଏ ଏହା ଧାରାକୁ ବଜାୟ ରଖିଛୁ। ଯେତେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ କଲେ ବି ଆମେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରିପାରିଲୁନାହିଁ। ଆଜି କିନ୍ତୁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଆଉ ସେଥିରେ ଓଡ଼ିଶାର ଉତ୍ସାହ ଯୋଗଦାନ କିଛି କମ୍ ନାହିଁ।
ଆଜିକୁ ପ୍ରାୟ ସାଢ଼େ ଚାରିବର୍ଷ ପୂର୍ବେ ଭାରତରେ ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୨୧ରେ ଏଥିଲାଗି ଭାରତ ସରକାର ଏକ ମିଶନ ଆରମ୍ଭ କରିଥିଲେ ଯାହାର ନାଁ ଥିଲା ‘ଇଣ୍ଡିଆ ସେମି କଣ୍ଡକ୍ଟର ମିଶନ’ ବା ଆଇଏସ୍ଏମ୍। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନରେ ଏହି ମିଶନ ପରିଚାଳନା କରାଯାଇଥିଲା, ଯେଉଁଥିରେ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ହାତ ଖୋଲି ଦେଇଥିଲେ। ଆଉ ୨୮୦ ଶିକ୍ଷାନୁଷ୍ଠାନ ଏବଂ ୭୨ଟି ଷ୍ଟାର୍ଟଅପ୍ ଏଥିରେ ସୁଯୋଗ ପାଇଥିଲେ। ସେଥିରେ ଓଡ଼ିଶାର ଅଂଶଗ୍ରହଣ କିଛି କମ୍ ନ ଥିଲା। ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା ସମେତ ରାଜ୍ୟର ୨୫ଟି ଶିକ୍ଷାନୁଷ୍ଠାନ ଏହି ଗବେଷଣା ଓ ଉତ୍ପାଦନ କାର୍ଯ୍ୟରେ ଲାଗିଥିଲେ। ଆଉ ଏମାନଙ୍କ ଭିତରୁ ଦୁଇଟି ଅନୁଷ୍ଠାନର ତିନିଟି ଚିପ୍କୁ ଆଜି ପ୍ରଥମ ମେଡ୍ ଇନ ଇଣ୍ଡିଆ ଚିପ୍ ଭାବରେ ସ୍ଥାନୀତ କରାଯାଇଛି। ଖାଲି ସେତିକି ନୁହେଁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ତିନିଟି ଚିପ୍କୁ ଉପହାର ଦେଇଛନ୍ତି।
ସେମିକନ୍ ୨୦୨୫ ଉନ୍ମୋଚନ ଅବସରରେ; ଏହା ଥିଲା ପ୍ରଥମ ଏବଂ ସର୍ବୃହତ୍ ଆକର୍ଷଣ। ଭାରତର ଉତ୍ପାଦିତ ୩୫ଟି ଚିପ୍ ଭିତରେ ରାଜ୍ୟର ଏହି ତିନିଟି ଅତ୍ୟନ୍ତ ଗୌରବ ଆଣିଛି ରାଜ୍ୟ ପାଇଁ। ଏ ଭିତରେ ରହିଛି ଏନ୍ଆଇଟି ରାଉରକେଲା ନିର୍ମିତ ଦୁଇଟି ଚିପ୍- ସି ଟୁ ଏସ୍ ୦୦୦୧୮ ଯାହା ଆମ୍ପ୍ଲିଫାୟର ଏବଂ ସେନ୍ସର ସର୍କିଟ ଭାବେ ବିକଶିତ କରାଯାଇଛି ଏବଂ ସିଟୁ ଏସ୍ ୦୦୧୭, ଯାହାକୁ ଏକ ଏନ୍କ୍ରିପ୍ସନ୍ କୋର୍ ଭାବେ ବିକଶିତ କରିଛନ୍ତି ଏନ୍ଆଇଟି ରାଉରକେଲାର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ।
ଆଉ ଏକ ଚିପ୍ ଯାହା ଏହି ତାଲିକାରେ ସାମିଲ ରହିଛି ତାହା ହେଲା ଏକ ହାଇ ପରଫର୍ମାନ୍ସ ମଲ୍ଟିପ୍ଲାୟର ଆଇସି । ଏହାର ନାଁ ସି ଟୁ ଏସ୍ ୦୦୬୧। ଏହାକୁ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବିକଶିତ କରିଛି। ବିଶେଷକରି ସିଗ୍ନାଲ ପ୍ରସେସିଂ, ଯୋଗାଯୋଗ, ଶକ୍ତି ପରିଚାଳନାରେ ଏହି ପ୍ରକାର ଚିପ୍ର ଆବଶ୍ୟକତା ଅଧିକ। ଏହା କେବଳ କୌଣସି ପ୍ରତିଷ୍ଠାନ ବା ସରକାରୀ ଦୂରଦୃଷ୍ଟିର ପ୍ରତିବଦ୍ଧତାକୁ ଦର୍ଶାଉଛି ତାହା ନୁହେଁ, ବରଂ ଭାରତକୁ ସେମିକଣ୍ଡକ୍ଟର ଶିଳ୍ପରେ ଆର୍ମନିର୍ଭର କରିବା ଦିଗରେ ଏହା ଆଗକୁ ଅନେକ ଦିଗ ପ୍ରଦର୍ଶନ କରିବ।
ଯୁବପିଢ଼ିଙ୍କ ପାଇଁ ନିଯୁକ୍ତର ମାର୍ଗ ଏବଂ ବ୍ୟବସାୟର ଭିତ୍ତିଭୂମି ପକାଇବ ଆଉ ଦେଶକୁ ଆତ୍ମନିର୍ଭର କରିବା ଦିଗରେ ସହାୟକ ହେବ। ଓଡ଼ିଶା ମଧ୍ୟ ଏହି ଗତିରେ ଦେଶର ଅନ୍ୟ ପ୍ରାନ୍ତ ସହ ଚାଲିବାକୁ ଚାହିଁଛି। ସେଥିଲାଗି ଓଡ଼ିଶାରେ ତିନିଟି ସେମିକଣ୍ଡକ୍ଟର ଶିଳ୍ପ ସ୍ଥାପନ ଲାଗି ସରକାର ଅନୁମତି ଦେଇଛନ୍ତି। ଭୁବନେଶ୍ୱରରେ ଖୋଲିବାକୁ ଥିବା ଏହି ତିନିଟି ଅନୁଷ୍ଠାନରୁ ଦୁଇଟିରେ ସିଲିକନ୍ କାର୍ବାଇଡ୍ ନିର୍ମାଣ ହେବ। ଆଉ ଗୋଟିଏ ଥ୍ରୀଡି ଗ୍ଲାସ୍ ନିର୍ମାଣ କରିବ। ସରକାରୀ ପଦକ୍ଷେପରେ ଆମ ଅନୁଷ୍ଠାନ ଓ ଯୁବପିଢ଼ିମାନଙ୍କର ଏହି ପ୍ରତିବଦ୍ଧତା ନିଶ୍ଚିତ ଭାବେ ରାଜ୍ୟକୁ ୭୦ ଦଶକର ଇଲେକ୍ଟ୍ରୋନିକ ବଜାର ପରି ଭାରତରେ ପ୍ରତିଷ୍ଠିତ କରିବ, ଏହା ଆଶା କରାଯାଇପାରେ।
Also Read https://purvapaksa.com/trump-trying-to-sow-chaos-in-india/
Trump trying to sow chaos in India! ।। ଭାରତରେ ଅରାଜକତା ବୁଣିବାକୁ ଟ୍ରମ୍ପଙ୍କ ପ୍ରୟାସ!
