ଗତ ନିର୍ବାଚନରେ ଦାଦନ ଶ୍ରମିକ ସମସ୍ୟା ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ନିର୍ବାଚନୀ ପ୍ରସଙ୍ଗ ହୋଇଥିଲା । ନିର୍ବାଚନ ପ୍ରଚାରବେଳେ ଏହି ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ମତବ୍ୟକ୍ତ କରିଥିଲେ । ଦାଦନ ଶ୍ରମିକଙ୍କ ସମସ୍ୟା ନେଇ ମଙ୍ଗଳବାର ଦିନ ବିଧାନସଭାରେ ଶ୍ରମମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ ଯେଉଁ ସୂଚନା ଦେଇଛନ୍ତି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି ।
ବିଜଦ ସରକାର ଅମଳରେ ଗତ ୩ ବର୍ଷ ମଧ୍ୟରେ ୨୩୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ବିଭାଗ ନିକଟରେ ତଥ୍ୟ ରହିଛି ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ ସୂଚନା ଦେଇଛନ୍ତି । ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଗତ ୧୦ବର୍ଷ ମଧ୍ୟରେ ୪୦୩ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ୫୯ଜଣ ଗଞ୍ଜାମ ଜିଲ୍ଳାର ରହିଛନ୍ତି ବୋଲି ଶ୍ରମମନ୍ତ୍ରୀ କହିଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ଉପରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ଗତ ୨୦୧୫ରୁ ୨୦୨୪ ମଧ୍ୟରେ ମୃତ ହୋଇଥିବା ୪୦୩ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୯ ଜଣ, କଳାହାଣ୍ଡିରୁ ୩୯, ବଲାଙ୍ଗିରରୁ ୩୫, କନ୍ଧମାଳରୁ ୩୨, ରାୟଗଡ଼ରୁ ୨୮, ନୂଆପଡ଼ାରୁ ୧୮ ଜଣ, ବୌଦ୍ଧରୁ ୧୮ ଜଣ, ଖୋର୍ଦ୍ଧାରୁ ୧୭, ନବରଙ୍ଗପୁରରୁ ୧୬, କୋରାପୁଟରୁ ୧୪ଜଣ, ଯାଜପୁରରୁ ୧୪ଜଣ, କେନ୍ଦ୍ରାପଡାରୁ ୧୪, ନୟାଗଡ଼ରୁ ୧୩, ସୁବର୍ଣ୍ଣପୁରରୁ ୧୨, ସୁନ୍ଦରଗଡ଼ରୁ ୮ , କେନ୍ଦୁଝରରୁ ୮, ମାଲକାନଗିରିରୁ ୮, ପୁରୀରୁ ୬, କଟକରୁ ୬, ଭଦ୍ରକରୁ ୫, ଅନୁଗୁଳରୁ ୪, ବାଲେଶ୍ୱରରୁ ୪, ବରଗଡ଼ରୁ ୪, ଗଜପତିରୁ ୪, ଢେଙ୍କାନାଳରୁ ୩, ଦେବଗଡ଼ରୁ ୨, ଜଗତସିଂପୁରରୁ ୧, ଝାରସୁଗୁଡ଼ାରୁ ୧ଦାଦନଙ୍କ ମୃତ୍ୟୁ ହୋଇଛି ।
ସେହିଭଳି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହାରେ ଶ୍ରମିକମାନଙ୍କୁ ବାହାରକୁ କାମ କରାଇବାକୁ ନେବାପାଇଁ ୩୮୮ଟି ଲାଇସେନ୍ସ ମଞ୍ଜୁର ହୋଇଥିବାବେଳେ ୨୦୨୪ରେ ବର୍ତ୍ତମାନ ସୁଦ୍ଧା ତାହା ୮୮୩ରେ ପହଞ୍ଚିଛି । ଏହି ବର୍ଷଗୁଡ଼ିକରେ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ଲାଇସେନ୍ସ ପ୍ରଦାନ କରାଯାଇଛି । ସେହଭଳି ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୬୦ହଜାରକୁ ଟପିଯାଇଛି । ୨୦୧୪ ମସିହାରେ ଏହା ୨୬ହଜାରରୁ ସାମାନ୍ୟ ଅଧିକ ରହିଥିଲା । ମୃତ ୨୩୩ ଦାଦନ ଶ୍ରମିକଙ୍କ ମଧ୍ୟରୁ ୧୯୯ ଜଣଙ୍କ ଶବ ଓଡ଼ିଶାକୁ ଫେରି ପାରିଛି । ଦାଦନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଅକ୍ଟୋବର ୨୦୨୪ରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଉ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତରାଜ ବିଭାଗର ସଚିବଙ୍କୁ ସଦସ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।
Also readhttps://purvapaksa.com/badris-explosive-statement-mla-loses-due-to-non-completion-of-project/
