ସିବିଆଇ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶରୁ ୧୩୪ ଜଣ ପଳାତକଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ ରୁ ୨୦୧୯ ମଧ୍ୟରେ ସମଗ୍ର ଦଶନ୍ଧି ମଧ୍ୟରେ ପ୍ରତ୍ୟର୍ପିତଙ୍କ ସଂଖ୍ୟାଠାରୁ ପ୍ରାୟ ଦୁଇଗୁଣ । ଇଣ୍ଟରପୋଲ୍ ସହିତ ଭିନ୍ନ ଦେଶ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହ ସମନ୍ବୟ ରକ୍ଷା କରି ସିବିଆଇ ୨୦୨୦ରୁ ଏହି ୧୩୪ ଜଣ ପଳାତକଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଛି ସେଥିମଧ୍ୟରୁ ୨୩ ଜଣଙ୍କୁ ଚଳିତ ବର୍ଷ ଫେରାଇ ଅଣାଯାଇଛି ।
ଅପରପକ୍ଷରେ ୨୦୧୦ ରୁ ୨୦୧୯ ଦଶନ୍ଧି ମଧ୍ୟରେ ମାତ୍ର ୭୪ ଜଣ ପଳାତକଙ୍କୁ ଫେରାଇ ଅଣାଯାଇଥିଲା ସଫଳତା ହାରରେ ବୃଦ୍ଧି ପାଇଁ ସରକାରଙ୍କ କୂଟନୈତିକ ଯୋଗାଯୋଗ ବୃଦ୍ଧି, ଭିଭିଆଇପି ଗସ୍ତ, ପାକ୍ଷିକ ସମ୍ପର୍କ, ବୈଷୟିକ ଉନ୍ନତି ଓ ଇଣ୍ଟରପୋଲ୍ ସହ ଉନ୍ନତ ସମନ୍ଵୟ ପ୍ରମୁଖ କାରଣ ବୋଲି ଅଧିକାରୀମାନେ କହିଛନ୍ତି ।
ପ୍ରତ୍ୟର୍ପଣ ପ୍ରକ୍ରିୟାର ତିନୋଟି ପର୍ଯ୍ୟାୟ ରହିଛି: ଇଣ୍ଟରପୋଲ୍ ଦ୍ଵାରା ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବା, ପଳାତକଙ୍କୁ ଠାବ କରିବା ଏବଂ ଆଇନଗତ ଓ କୂଟନୈତିକ ପ୍ରକ୍ରିୟାରେ ପ୍ରତ୍ୟର୍ପଣ। ଏସବୁ ସମୟ ସାପେକ୍ଷ ପ୍ରକ୍ରିୟା। ଇଣ୍ଟରପୋଲ ପକ୍ଷରୁ ରେଡ୍ ନୋଟିସ୍ ଜାରି କରିବା ପାଇଁ ସମସ୍ତ ୧୯୫ଟି ଦେଶକୁ ପଳାତକ ଓ୍ୱାଣ୍ଟେଡ୍ ବିଷୟରେ ସତର୍କ କରାଇବା ଆବଶ୍ୟକ । ଏହି ସମୟ ହ୍ରାସ କରିବା ପାଇଁ ସିବିଆଇ ଜାନୁଆରି ମାସରେ ଏହାର ଡିଜିଟାଲ ପୋର୍ଟାଲ ଭାରତପୋଲ ଆରମ୍ଭ କରିଥିଲା । ଫଳରେ ରେଡ୍ ନୋଟିସ୍ ପ୍ରକାଶ ପାଇଁ ହାରାହାରି ସମୟ ୬ ମାସରୁ ୩ ମାସକୁ ହ୍ରାସ ପାଇଛି।
ପଳାତକଙ୍କୁ ଫେରାଇ ଆଣିବାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଭୂମିକା, ବିଶେଷ କରି ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ଭୂମିକା ଗୁରୁତ୍ବପୂର୍ଣ ହୋଇ ଆସିଛି। ଏହି ସମନ୍ୱିତ ପ୍ରୟାସର ଏକ ଉଲ୍ଲେଖନୀୟ ସଫଳତା ହେଉଛି ଆମେରିକାରେ ନେହଲ ମୋଦୀଙ୍କୁ ଗିରଫ କରିବା। ନେହଲ ହେଉଛନ୍ତି ନିରବ ମୋଦୀଙ୍କ ଭାଇ, ଯିଏ କି ବର୍ତ୍ତମାନ ବ୍ରିଟେନରେ ବନ୍ଦୀ ଅଛନ୍ତି ଏବଂ ଭାରତକୁ ପ୍ରତ୍ୟର୍ପଣ ଅପେକ୍ଷାରେ ଅଛନ୍ତି । ନିରବ ମୋଦୀ ତାଙ୍କ ମାମୁଁ ମେହୁଲ ଚୋକ୍ସିଙ୍କ ସହ ମିଶି ଜାଲ୍ ଲେଟର ଅଫ୍ ଅଣ୍ଡରଟେକିଂ ଜରିଆରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଠକେଇ କରିଥିଲେ।
